ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ ପାଇଁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଚୟନ ପ୍ରକ୍ରିୟାରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଭାରତର ଷ୍ଟାର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ୫୩ କିଲୋଗ୍ରାମ ବର୍ଗର ସେମିଫାଇନାଲ୍ ମ୍ୟାଚରେ ପରାଜିତ ହୋଇଛନ୍ତି । ରୋମାଞ୍ଚକର ମୁକାବିଲାରେ ଯୁବ କୁସ୍ତିଯୋଦ୍ଧା ମୀନାକ୍ଷୀ ଗୋୟତ ତାଙ୍କୁ ୬-୪ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ପରାଜୟ କାରଣରୁ ବିନେଶ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ଦଳରୁ ବାଦ୍ ପଡ଼ିଛନ୍ତି ।

ମ୍ୟାଚ୍ ହାରିବା ପରେ ବିନେଶ ଫୋଗାଟ୍ ନିଜର ଭାରତୀୟ କୁସ୍ତି ମହାସଂଘ ଏବଂ କ୍ରୀଡ଼ା ପ୍ରଶାସନ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟମ ସହ କଥା ହେବା ବେଳେ ସେ କହିଛନ୍ତି, "ମୁଁ ମ୍ୟାଚ୍ରେ ନିଜର ଶତ ପ୍ରତିଶତ ଦେଇଛି, କିନ୍ତୁ ଏଠାରେ ପରିସ୍ଥିତି ଏପରି କରାଯାଇଥିଲା ଯେ ମତେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ପ୍ରତିଟି ପଏଣ୍ଟ ପାଇଁ କଠିନ ସଂଘର୍ଷ କରିବାକୁ ପଡ଼ୁଥିଲା । ଏହା କେବଳ ଏକ ମ୍ୟାଚ୍ ନଥିଲା ବରଂ ମୋ ପାଇଁ ଏକ ଯୁଦ୍ଧ ଭଳି ଥିଲା । ସମ୍ପୂର୍ଣ୍ଣ କୁସ୍ତି ସିଷ୍ଟମ ଏବଂ ଅଫିସିଆଲ୍ସ ମୋ ବିପକ୍ଷରେ କାମ କରୁଥିଲେ ।"

ଟ୍ରାଏଲ୍ସ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା

ବିନେଶ ଆହୁରି କହିଛନ୍ତି ଯେ ତାଙ୍କୁ ଏହି ଟ୍ରାଏଲ୍ସରେ ଭାଗ ନେବାକୁ ସହଜରେ ସୁଯୋଗ ମିଳି ନ ଥିଲା । କୁସ୍ତି ମହାସଂଘ ତାଙ୍କ ଏଣ୍ଟ୍ରିକୁ ବିରୋଧ କରୁଥିଲା, ଯେଉଁଥି ପାଇଁ ତାଙ୍କୁ କୋର୍ଟଙ୍କ ଆଶ୍ରୟ ନେବାକୁ ପଡ଼ିଥିଲା । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦେଶ ପରେ ହିଁ ସେ ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

"ମନୋବଳ ଦୃଢ଼, ଆଗକୁ ଜାରି ରହିବ ଲଢ଼େଇ"

ଏହି ବଡ଼ ପରାଜୟ ସତ୍ତ୍ୱେ ବିନେଶଙ୍କ ମନୋବଳ ଭାଙ୍ଗି ନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ ସିଷ୍ଟମ ତାଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଗର୍ବର ସହ ଛାତିକୁ ଟାଣି ସେମାନଙ୍କ ସାମ୍ନାରେ ଠିଆ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ପରାଜୟ ତାଙ୍କ କ୍ୟାରିୟରର ଶେଷ ନୁହେଁ, ବରଂ ସେ ନିଜର ଭୁଲ୍ ସୁଧାରି ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ ଭାବେ କୁସ୍ତି ମ୍ୟାଟ୍କୁ ପ୍ରତ୍ୟାବର୍ତ୍ତନ କରିବେ ।