ନୂଆଦିଲ୍ଲୀ,|୦୬:ଭୂମିକମ୍ପରେ ଥରିଛି ଭେନେଜୁଏଲା । ଦେଶରେ ଲାଗିଛି ଡବଲ ଝଟକା । ମାତ୍ର ୩୯ ସେକେଣ୍ଡ ମଧ୍ୟରେ ଆସିଥିବା ଦୁଇ ଦୁଇଟି ଭୂକମ୍ପ ରାଜଧାନୀ କାରାକସ ସମେତ ଅନେକ ସହରକୁ ଦୋହଲାଇ ଦେଇଛି । ବଡ ବଡ ଘର ଏବଂ କୋଠା ଭୁଶୁଡି ପଡିଛି । ସରକାରୀ ଭାବେ ୩୫ ଜଣ ପ୍ରାଣ ହରାଇଥିବା କୁହାଯାଉଛି । କିନ୍ତୁ ବିଦେଶୀ ଗଣମାଧ୍ୟମରେ ୧୦ ହଜାର ପ୍ରାଣ ହରାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଆଉ କିଛି ଜାଗାରେ ମୃତ୍ୟୁସଂଖ୍ୟା ଲକ୍ଷେ ଛୁଇଁବା ନେଇ ତଥ୍ୟ ରହିଛି । ତେବେ ଏହି ପ୍ରତିକୂଳ ସମୟରେ ଭେନେଜୁଏଲା ପ୍ରତି ଭାରତ ସହାୟତାର ହାତ ବଢାଇଛି ।

ଭୂମିକମ୍ପ ପରେ ଭେନେଜୁଏଲାର ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳୁ ଜୀବନର ସନ୍ଧାନ ଚାଲିଛି । ଏହି ସ୍ଥିତି ଉପରେ ଭାରତ ସରକାର ନଜର ରଖିଛନ୍ତି । ଏହାସହ ସରକାର ସେଠାକୁ ଏନଡିଆରଏଫ୍ ଟିମ୍ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏନଡିଆରଏଫ୍ ଟିମ୍ କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାର ଏନଡିଆରଏଫର ଏକ ସ୍ୱତନ୍ତ୍ର ଟିମକୁ ଭେନେଜୁଏଲା ପଠାଇବାକୁ ସମସ୍ତ ବନ୍ଦୋବସ୍ତ କରିସାରିଛନ୍ତି । ଭାରତର ଏହି ପଦକ୍ଷେପ ବିଶ୍ୱରେ ମାନବୀୟ ସହଯୋଗ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରତି ଥିବା ଭୂମିକାକୁ ଦର୍ଶାଉଛି । ଏହାଦ୍ୱାରା ବିଶ୍ୱର କେଉଁଠି କିଛି ବଡ ପ୍ରାକୃତିକ ବିପର୍ଯ୍ୟୟ ହେଲେ ଭାରତ ସଦାବେଳେ ସହଯୋଗ ପାଇଁ ଆଗଭର ବୋଲି ପ୍ରମାଣିତ କରିଛି ।

Also Read :-Venezuela Earthquake : ମାତ୍ର ୩୯ ସେକେଣ୍ଡ...ଭାଙ୍ଗିଗଲା ସବୁକିଛି, ଇଣ୍ଟରନେଟ୍ ଠପ୍ : ଦେଖନ୍ତୁ ଛାତିଥରା ଭିଡିଓ

ସୂତ୍ରାନୁସାରେ, ଉଦ୍ଧାରକାରୀ ଟିମ୍ ସହ ଭାରତ ଚିକିତ୍ସା ସାମଗ୍ରୀ, ବିଶେଷଜ୍ଞ କର୍ମୀଙ୍କୁ ପଠାଇପାରେ । ଯାହା ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପରେ ସହାୟତା ପ୍ରଦାନ କରିବ ।

ପୂର୍ବରୁ ବି ଭାରତ କରିଛି ସହଯୋଗ

ବିପର୍ଯ୍ୟୟ ସମୟରେ ଭାରତ ସଦାବେଳେ ଅନ୍ୟ ଦେଶକୁ ସହଯୋଗର ହାତ ବଢାଇ ଆସିଛି । ଏହାପୂର୍ବରୁ ତୁର୍କୀଏ, ନେପାଳ, ମ୍ୟାମାଁର, ଇଣ୍ଡୋନେସିଆ ଆଦି ଦେଶରେ ଭୂମିକମ୍ପ, ବନ୍ୟା, ବାତ୍ୟା ସମୟରେ ଭାରତ ଉଦ୍ଧାରକାରୀ ଟିମ୍ ପଠାଇ ସାରିଛି ।