ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡର ବେଲଫାଷ୍ଟଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ୍ ଦିଆଯିବା ପରେ କ୍ରିକେଟ୍ ପ୍ରେମୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନିଷ୍ପତ୍ତିକୁ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରିକି ସେ ଭାରତୀୟ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସାରା ବିଶ୍ୱର ନଜର ଏହି ୧୫ ବର୍ଷୀୟ ବିସ୍ଫୋରକ ଓପନରଙ୍କ ଉପରେ ରହିଥିଲା ଏବଂ ସମସ୍ତେ ଆଶା କରିଥିଲେ ଯେ, ସେ ଭାରତୀୟ ସିନିୟର ଦଳ ପାଇଁ ଡେବ୍ୟୁ କରିବେ। କିନ୍ତୁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଖେଳୁଥିବା ମେନ୍ ଇନ୍ ବ୍ଲୁ, ନିକଟରେ ଟି-୨୦ ବିଶ୍ୱକପ୍ ଜିତିଥିବା ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ି ଉପରେ ହିଁ ଆସ୍ଥା ପ୍ରକଟ କରିଛି। ସେଥିପାଇଁ ଯୁବ ତାରକା ବୈଭବଙ୍କୁ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ ନକରାଯିବାକୁ ନେଇ ମାଇକେଲ୍ ଭନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କେବଳ ଏହି ଚୟନକୁ ସମାଲୋଚନା କରିନାହାନ୍ତି, ବରଂ ଏହି ୧୫ ବର୍ଷୀୟ ଖେଳାଳିଙ୍କୁ ବର୍ତ୍ତମାନ ସମୟରେ ସାରା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଟି-୨୦ କ୍ରିକେଟର ବୋଲି କହିଛନ୍ତି। ସେ ଲେଖିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ, ଭାରତ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିନାହିଁ । ସେ ବର୍ତ୍ତମାନ ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ଖେଳାଳି ।’

ଭନଙ୍କ ମତରେ ବୈଭବ ବର୍ତ୍ତମାନ ଯେଉଁଭଳି ଚମତ୍କାର ଫର୍ମରେ ଅଛନ୍ତି, ତାଙ୍କୁ ସିଧାସଳଖ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ଉଚିତ୍ ଥିଲା। ନିକଟରେ ଦାମ୍ବୁଲାଠାରେ ଶ୍ରୀଲଙ୍କା ‘ଏ’ ବିରୋଧରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଏହି ବାମହାତୀ ବ୍ୟାଟର ମାତ୍ର ୧୧ଟି ବଲ୍ରୁ ଲିଷ୍ଟ-ଏ ଇତିହାସର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।

ଆଇପିଏଲରେ ସୃଷ୍ଟି କରିଥିଲେ ରେକର୍ଡ

ବୈଭବ କେବଳ ଘରୋଇ କ୍ରିକେଟ୍ ନୁହେଁ, ବରଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ମଧ୍ୟ ନିଜର ବ୍ୟାଟିଂର ଯାଦୁ ଦେଖାଇ ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି। ସେ ଗୋଟିଏ ଆଇପିଏଲ୍ ସିଜନରେ ୧୬ଟି ମ୍ୟାଚ୍ ଖେଳି ୭୭୬ ରନ୍ ସଂଗ୍ରହ କରିଥିଲେ।ଏହି ପ୍ରଦର୍ଶନ ମଧ୍ୟରେ ଏକ ଚମତ୍କାର ଶତକ ଏବଂ ଦୁଇଟି ୯୦ରୁ ଅଧିକ ରନର ଇନିଂସ ସାମିଲ ଥିଲା। ଏଥିସହିତ ସେ କ୍ରିସ୍ ଗେଲଙ୍କର ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଆୟରଲ୍ୟାଣ୍ଡ ବିରୋଧରେ ପ୍ରଥମ ମ୍ୟାଚ୍ରେ ସୁଯୋଗ ମିଳିନଥିଲେ ମଧ୍ୟ, ଆସନ୍ତା ରବିବାର ବେଲଫାଷ୍ଟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ବୈଭବ ଡେବ୍ୟୁ କରିପାରନ୍ତି ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ମଧ୍ୟ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।