ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀକୁ ନେଇ ବର୍ତ୍ତମାନ ଚାରିଆଡ଼େ ହାଲ୍ଲା ହେଉଛି। ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ବଡ଼ ବଡ଼ କ୍ରିକେଟର ତାଙ୍କ ଖେଳକୁ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଥିବା କହୁଛନ୍ତି। ନିକଟରେ ରବି ଶାସ୍ତ୍ରୀ ବୈଭଙ୍କ ଉପରେ ଯେଉଁ ଟିପ୍ପଣୀ କରିଥିଲେ ତାହା ମିଡିଆରେ ଚର୍ଚ୍ଚା ହେଉଥିଲା। ଏବେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ କପିଲ ଦେବ ମଧ୍ୟ ବୈଭବକୁ ନେଇ ଏକ ଟିପ୍ପଣୀ କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ପଡକାଷ୍ଟରେ ବୈଭବଙ୍କ ବିଷୟରେ ଟିପ୍ପଣୀ କରି କପିଲ ଦେବ କହିଛନ୍ତି ଯେ ମୁଁ ତାଙ୍କୁ ବେଶି ଦେଖି ନାହିଁ। କିନ୍ତୁ ତାଙ୍କ ପାଖରେ ବହୁତ ଟ୍ୟାଲେଣ୍ଟ ଅଛି। ତେବେ ତାଙ୍କୁ ଏତେ କମ ବୟସରେ ଏତେ ହାଇପ କରିବା କଥା ନୁହେଁ, ଆଗକୁ ବହୁତ ଟାଇମ ଅଛି। ତେବେ ସୂର୍ଯ୍ୟବଂଶୀଙ୍କ ପାଖରେ ସଚିନ ଓ କୋହଲିଙ୍କ ଭଳିଆ ଟ୍ୟାଲେଣ୍ଟ ଅଛି ବୋଲି କପିଲ ଦେବ କହିଛନ୍ତି।

କପିଲ ଦେବ ବୈଭବଙ୍କର ଟି-୨୦ ପ୍ରଦର୍ଶନକୁ ଖୁବ୍ ତାରିଫ କରିଛନ୍ତି। ତାଙ୍କର ଅନେକ ପ୍ରତିଭା ଅଛି ବୋଲି କହିଛନ୍ତି। ହେଲେ ଏତେ କମ ବୟସରେ ଚାରିଆଡ଼େ ଯେଉଁ ହୋହଲ୍ଲା କରାଯାଉଛି ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କପିଲ ଦେବ।

ସ୍ପୋର୍ଟ୍ସ ତକ୍‌ର ବିକ୍ରାନ୍ତ ଗୁପ୍ତା ଏନେଇ କପିଲ ଦେବଙ୍କୁ ପ୍ରଶ୍ନ କରିଥିଲେ। କହିଥିଲେ ଯେ ସେ ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ଟି-୨୦ରେ ବି ଭଲ ଖେଳୁଛନ୍ତି। ଆପଣ ବୈଭବଙ୍କୁ କେମିତି ଦେଖୁଛନ୍ତି ? ଏ ପ୍ରଶ୍ନରେ କପିଲ କହିଛନ୍ତି “ମୁଁ ତାଙ୍କୁ ଏତେ ଦେଖି ନାହିଁ। ଅଳ୍ପ ଦେଖିଛି। ଯେତିକି ବି ଦେଖିଛି ତାଙ୍କ ପାଖରେ ବହୁତ ପ୍ରତିଭା ଅଛି। ହେଲେ ମୁଁ ଭାବୁଛି ଆମେ ତାଙ୍କ ବିଷୟରେ ଟିକେ ଅଧିକ ଚର୍ଚ୍ଚା କରୁଛେ। ତାଙ୍କୁ ଟିକେ ସମୟ ଦେବା ଦରକାର। ତାଙ୍କ ବିଷୟରେ ଏତେ ଚର୍ଚ୍ଚା କରିବା କଥା ନୁହେଁ। ତାଙ୍କ ବୟସ ବହୁତ ଛୋଟ। ବୁଝାମଣା ବିକଶିତ ହୋଇ ନାହିଁ। କିନ୍ତୁ ଟ୍ୟାଲେଣ୍ଟ କଥା କହିଲେ ତାଙ୍କ ପାଖରେ ସଚିନ ଓ ବିରାଟ କୋହଲିଙ୍କ ଭଲି ଟ୍ୟାଲେଣ୍ଟ ଅଛି। କିନ୍ତୁ ଏହା ବର୍ତ୍ତମାନ ପାଇଁ କେବଳ ଟି-୨୦ରେ। ବାକି ମ୍ୟାଚ୍‌ରେ ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଯେଉଁଦିନ ଟେଷ୍ଟ୍ ମ୍ୟାଚ୍ ଖେଳିବେ, କଣ ସେ ୫ ଓଭର ମ୍ୟାଡେନ ଖେଳିପାରିବେ, ସେଇଟା ଦେଖିବା କଥା। କିନ୍ତୁ ଟି-୨୦ରେ ସେ ଜବରଦସ୍ତ। ସାରା ବିଶ୍ୱରେ ପ୍ରଭାବ ପକାଇଛନ୍ତି।”

ସେହିପରି ଟିମ୍ ଇଣ୍ଡିଆର ସିନିୟର ଟିମ୍‌ରେ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ବିକ୍ରାନ୍ତ ଗୁପ୍ତା। ସମସ୍ତେ ଅପେକ୍ଷା କରିଥିଲେ ବି କାହିଁକି ତାଙ୍କୁ ଡେବ୍ୟୁ କରାଯାଉ ନାହିଁ? ଆପଣ ଥିଲେ କଣ ତାଙ୍କୁ ଟିମ୍‌ରେ ଖେଳିବାକୁ ସୁଯୋଗ ଦେଇ ଥାନ୍ତେ ?

ବିକ୍ରାନ୍ତଙ୍କ ପ୍ରଶ୍ନରେ କପିଲ କହିଛନ୍ତି “ ସଚିନ ବି ଏହି ବୟସରେ ଥିଲେ ଯେତେବେଳେ ସେ ଖେଳିଥିଲେ। ସେତେବେଳେ ଆମେ ଭାବୁଥିଲୁ ଯେ ତାଙ୍କୁ ଖେଳାଇବା ଜଲ୍‌ଦୀ ହୋଇଯିବନି ତ? କିନ୍ତୁ ମୋତେ ଲାଗୁଛି ଯଦି ସେ ସକ୍ଷମ ତେବେ ତାଙ୍କ ବୟସକୁ ନ ଦେଖି ତାଙ୍କୁ ଖେଳାଇବା ଦରକାର। ଯଦି ଲାଗୁଛି ତାଙ୍କ ପାଖରେ ଦକ୍ଷତା ଅଛି ତାଙ୍କୁ ଖେଳାଇବା ଦରକାର ନହେଲେ ଲେଟ୍‌ ହୋଇଯାଇପାରେ।”

ସୂଚନା ଥାଉକି, ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ ଟିମ ସହ ୟୁକେ ଅଛନ୍ତି। ଏହା ପୂର୍ବରୁ ତାଙ୍କୁ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଡେବ୍ୟୁ କରିବାକୁ ସୁଯୋଗ ମିଳି ନଥିଲା। ସେହିପରି ଜୁଲାଇ-୧ରେ ଚେଷ୍ଟର-ଲେ-ଷ୍ଟ୍ରିଟର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ବି ତାଙ୍କୁ ଖେଳାଯାଇ ନାହିଁ। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ବୈଭବଙ୍କ ଅନ୍ତ୍ରଜାତୀୟ ଡେବ୍ୟୁ ଉପରେ ରହିଛି। ଆଗାମୀ ମ୍ୟାଚ୍‌ରେ ବୈଭବଙ୍କୁ ପ୍ଲେଇଁ ୧୧ରେ ସ୍ଥାନ ମିଳିବ କି ନାହିଁ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।