CNG Car Explosion Video: ପେଟ୍ରୋଲ ଡିଜେଲ କାର୍ ଛାଡ଼ି ଇଲେକ୍ଟ୍ରିକ କିମ୍ବା ସିଏନ୍‌ଜି କାର୍ ଚଳାଇବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି, ପ୍ରଚାର ବି କରୁଛନ୍ତି। ହେଲେ ମଝିରେ ମଝିରେ ଏଭଳି ଘଟଣା ଘଟୁଛି ସିଏନ୍‌ଜି କିମ୍ବା ଇଲେକ୍ଟ୍ରିକ୍ କାର୍ ଆଣିବାକୁ ଲୋକେ ଭୟ କରୁଛନ୍ତି। ଗତକାଲି ମଧ୍ୟ ରାତ୍ରୀରେ ଭଦୋଦରାରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଏ ଦିଗରେ ପୁଣିଥରେ ଭାବିବାକୁ ବାଧ୍ୟ କରିଛି।
​​​​​​​
ନଭେମ୍ବର ୪ ତାରିଖ ରାତିରେ, ଗୁଜରାଟ ଭଦୋଦରାର ନଭାୟାର୍ଡ ସ୍ଥିତ ରାମୱାଡିର ଏକ ଆବାସିକ ଅଞ୍ଚଳରେ ପାର୍କିଂ କରାଯାଇଥିବା ଏକ 'ହୋଣ୍ଡା ସିଟି' କାର ହଠାତ୍ ବିସ୍ଫୋରଣ ଘଟି ପୂରା ନଷ୍ଟ ହୋଇଯାଇଛି। କାର ଭିତରେ ଥିବା ସିଏନଜି ସିଲିଣ୍ଡରରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାର୍‌ର କିଛି ପାର୍ଟ୍ଟ ୨୦୦ ମିଟର ପର୍ଯ୍ୟନ୍ତ ଦୂରକୁ ଉଡ଼ିଯାଇଥିଲା। ଏହି ଘଟଣାରେ ୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଛିଡ଼ା ହୋଇଥିବା କାର୍‌ରେ ହଠାତ୍ ନିଆଁ ଲାଗିଯିବା ପରେ ଦମକଳ ବାହିନୀକୁ କଲ୍ କରାଯାଇଥିଲା। ହେଲେ ଦମକଳ ବାହିନୀ ସେଠାରେ ପହଞ୍ଚିବା ପୂର୍ବରୁ କାର୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମଧ୍ୟରାତ୍ରୀରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା।

ସିସିଟିଭି ଫୁଟେଜରେ ବିସ୍ଫୋରଣର ଭୟଙ୍କର ଚିତ୍ର କଏଦ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାର୍‌ର ଏକ ଖଣ୍ଡ ଛିଟିକି ପଡ଼ି ଜଣେ ମହିଳାଙ୍କ ହାତ ଚିରି ନେଇଥିଲା। ସେହିପରି ଆଉ ଏକ ଖଣ୍ଡ ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜି ଗଭୀର କ୍ଷତ ସୃଷ୍ଟି କରିଛି। ଏଥିରେ ଆହତ ହୋଇଥିବା ୫ ଜଣଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି।

ତେବେ ଏହି ବିସ୍ଫୋରଣରେ ସିଏନ୍‌ଜି କାର୍‌ର ବିଶ୍ୱାସନୀୟତା ନେଇ ପ୍ରଶ୍ନ ଛିଡ଼ା ହୋଇଛି। ଗାଡ଼ି ଛିଡ଼ା ହୋଇଥିବା ବେଳେ ସିଏନ୍‌ଜି ଟ୍ୟାଙ୍କି ଏଭଳି ହଠାତ୍ ଫାଟିଯିବାକୁ ଆଶ୍ଚର୍ଯ୍ୟ କରିଛି।