ନୂଆଦିଲ୍ଲୀ: ଗାଜା ପୁନଃନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଗଠିତ 'ବୋର୍ଡ ଅଫ୍ ପିସ୍' (Board of Peace) କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସଦସ୍ୟ ଦେଶଗୁଡ଼ିକ ବିଲିୟନ ବିଲିୟନ ଡଲାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହି ବୋର୍ଡକୁ ଏପର୍ଯ୍ୟନ୍ତ କୌଣସି ପାଣ୍ଠି ବା ଅର୍ଥ ମିଳିନାହିଁ ବୋଲି ଜଣାପଡ଼ିଛି । ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଭୟଙ୍କର ସଂଘର୍ଷର ଅନ୍ତ ଘଟାଇବା ପାଇଁ ଗତ ଅକ୍ଟୋବର ମାସରେ ଏକ ଅସ୍ତ୍ରବିରତି (Ceasefire) ଚୁକ୍ତି ହୋଇଥିଲା। ଏହା ପରେ ଆମେରିକାର ସମର୍ଥନରେ ଗାଜାର ପୁନଃନିର୍ମାଣ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଏହି ବୋର୍ଡର ପରିକଳ୍ପନା କରିଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ଏହି ବୋର୍ଡ ବିଧିବଦ୍ଧ ଭାବେ ଗଠନ ହୋଇଥିଲା।

ଏହି ଯୋଜନାରେ ବିଶ୍ୱବ୍ୟାଙ୍କ (World Bank) ଦ୍ୱାରା ପାଣ୍ଠି ପରିଚାଳନା କରାଯିବା ସହ ଜାତିସଂଘ (UN) ଏହାକୁ ସହଯୋଗ କରୁଛି। ତେବେ ଏହି ବୋର୍ଡରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ସହ ଜଡ଼ିତ ନଥିବା କିଛି ଦେଶକୁ ସଦସ୍ୟତା ପାଇଁ ଆମନ୍ତ୍ରଣ କରାଯାଇଥିବାରୁ ଏହା ପ୍ରାରମ୍ଭରୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଫାଇନାନ୍ସିଆଲ୍ ଟାଇମ୍ସ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟ କରିଛି ଯେ, ବୋର୍ଡ ଗଠନ ହେବା ଦିନଠାରୁ ଏହି ପାଣ୍ଠିକୁ କୌଣସି ଦେଶ ସିଧାସଳଖ ଆର୍ଥିକ ଅନୁଦାନ ଦେଇନାହାନ୍ତି।

ବୋର୍ଡର ମୁଖପାତ୍ର କହିଛନ୍ତି ଯେ, ସିଧାସଳଖ ଅନୁଦାନ ମିଳିନଥିଲେ ମଧ୍ୟ 'ଜେପିମୋର୍ଗାନ ଚେଜ୍' (JPMorgan Chase) ଆକାଉଣ୍ଟ ମାଧ୍ୟମରେ କିଛି ଆର୍ଥିକ ସହାୟତା ବୋର୍ଡକୁ ହସ୍ତଗତ ହୋଇଛି। ଏହି ବୋର୍ଡର ସଂରଚନା ଏଭଳି କରାଯାଇଛି ଯେଉଁଠି ଆମେରିକା ମେରୁଦଣ୍ଡ ସାଜିବ ଏବଂ ସମସ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ଟ୍ରମ୍ପଙ୍କ ପାଖରେ ରହିବ। ଏପରିକି ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଟ୍ରମ୍ପ ଏହି ସଂସ୍ଥାର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଫ୍ରାନ୍ସ ଏବଂ ବ୍ରିଟେନ ଭଳି ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏହି ଯୋଜନାରୁ ନିଜକୁ ଦୂରେଇ ରଖିଛନ୍ତି।

ଏହି ବୋର୍ଡରେ ମୁଖ୍ୟତଃ ଆମେରିକାର ପୁରୁଣା ସହଯୋଗୀ ଦେଶ, ଟ୍ରମ୍ପଙ୍କ ବିଚାରଧାରାକୁ ସମର୍ଥନ କରୁଥିବା ନେତା ଏବଂ ଆମେରିକା ସହ ସମ୍ପର୍କ ସୁଧାରିବାକୁ ଚାହୁଁଥିବା କିଛି ଛୋଟ ଦେଶ ସାମିଲ ଅଛନ୍ତି। ନିୟମ ଅନୁଯାୟୀ, ବୋର୍ଡର ସ୍ଥାୟୀ ସଦସ୍ୟ ହେବା ପାଇଁ ପ୍ରତ୍ୟେକ ଦେଶକୁ ୧ ବିଲିୟନ ଡଲାର ସହାୟତା ଦେବାକୁ ପଡ଼ିବ। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଆମେରିକା ଏହି ପୁନଃନିର୍ମାଣ କାର୍ଯ୍ୟ ପାଇଁ ୧୦ ବିଲିୟନ ଡଲାର ପ୍ରଦାନ କରିବ। ଏହା ସହିତ କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ପ୍ରତ୍ୟେକ ପ୍ରାୟ ୧ ବିଲିୟନ ଡଲାର ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏପ୍ରିଲ ମାସରେ ଜାତିସଂଘ ଏବଂ ୟୁରୋପୀୟ ୟୁନିଅନ୍ (EU) ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁଯାୟୀ, ଯୁଦ୍ଧ ଯୋଗୁଁ ଗାଜାରେ ଯେଉଁ ବ୍ୟାପକ ସ୍ତରରେ ବିଧ୍ୱଂସ ଲୀଳା ଘଟିଛି, ତାହାର ପୁନଃନିର୍ମାଣ ପାଇଁ ଆଗାମୀ ୧୦ ବର୍ଷ ମଧ୍ୟରେ ୭୧ ବିଲିୟନ ଡଲାରରୁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଅକ୍ଟୋବରରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ଗାଜାର ସ୍ଥିତି ଏବେ ମଧ୍ୟ ଅତ୍ୟନ୍ତ ଅସ୍ଥିର ରହିଛି। ସେଠାରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବା ରିପୋର୍ଟ ସାମ୍ନାକୁ ଆସୁଛି। ଇସ୍ରାଏଲ ସେନା ଏବଂ ହାମାସ ଉଭୟ ପରଷ୍ପର ଉପରେ ଚୁକ୍ତି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣୁଛନ୍ତି, ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ସ୍ଥିତି ଲାଗିରହିଛି। ଏଭଳି ପରିସ୍ଥିତିରେ ପାଣ୍ଠିର ଅଭାବ ଗାଜାର ପୁନଃନିର୍ମାଣ କାର୍ଯ୍ୟକୁ ଆହୁରି ମନ୍ଥର କରିଦେଇଛି।