US-Chaina Trade war: ଋଷିଆ ଭଳି ଜିନପିଙ୍ଗଙ୍କ ଦେଶକୁ ବରବାଦ କରିଦେବନି ତ ଆମେରିକା?

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ ୧୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ କଟକଣା ଯୋଗୁ ଚୀନ୍‌ର ଆର୍ଥିକ ଅବସ୍ଥା ଏବେ ଖରାପ ଆଡକୁ ଗତି କରୁଛି। ନିଜେ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଦେଶର ବଡ଼ବଡ଼ ଅର୍ଥନୀତିଜ୍ଞ ଏବେ ଚିନ୍ତାରେ ପଡିଯାଇଛନ୍ତି। ସମସ୍ତଙ୍କର ଗୋଟିଏ ଚିନ୍ତା ଆଗାମୀ ଦିନରେ କେଉଁ ଅବସ୍ଥାକୁ ଯାଉଛି ଚୀନ? ଏଥିରେ ସବୁଠୁ ବଡ଼ କଥା ହେଉଛି ଯଦି ଆମେରିକା ଚୀନ୍‌ର ବିଦେଶୀ ସମ୍ପତ୍ତିକୁ ଜବତ କରେ ତେବେ ଦେଶର ଅବସ୍ଥା ଋଷିଆଠାରୁ ମଧ୍ୟ ଅଧିକ ଖରାପ ହୋଇଯିବ। 

ସାଉଥ୍ ଚାଇନା ପୋଷ୍ଟ ରିପୋର୍ଟ ଅନୁସାରେ ଚୀନ୍‌ର ଜଣେ ବରିଷ୍ଠ ଅର୍ଥଶାସ୍ତ୍ରୀ ତଥା ସେଣ୍ଚ୍ରାଲ ବ୍ୟାଙ୍କର ପୂର୍ବତନ ପରାମର୍ଶଦାତା ୟୁ ୟୋଙ୍ଗଡିଙ୍ଗ ଆମେରିକା ସହିତ ବଢୁଥିବା ଟ୍ରେଡ ୱାର ମଧ୍ୟରେ ଚୀନ୍ ର ବିଦେଶୀ ସମ୍ପତ୍ତି ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଚୀନ୍ ଅଧିକାରୀଙ୍କୁ ଏଥିପ୍ରତି ସତର୍କ ରହିବାକୁ ଓ ଯଦି ଏଭଳି କୌଣସି ପରିସ୍ଥିତି ଉପୁଜେ ସମ୍ଭାବିତ କ୍ଷତିକୁ କମ୍ କରିବା ପାଇଁ ଜରୁରି ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି। 

ୟୁ ୟୋଙ୍ଗଡିଙ୍ଗ ବେଜିଂରେ ଆୟୋଜିତ ଏକ ଫୋରମରେ କହିଛନ୍ତି ଯେ ‘ଆମେରିକା ଡଲାରକୁ ହତିୟାର କରିପାରେ। ବାଣିଜ୍ୟ ଯୁଦ୍ଧ ତୀବ୍ର ହେଉଛି, ମୋତେ ଏହା ଡର ଯେ ଏହି ସଂଘର୍ଷ ଚୀନର ବିଦେଶୀ ସମ୍ପତ୍ତି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ’। ୨୦୨୪ ମସିହା ଶେଷ ସୁଦ୍ଧା ଚୀନ୍ ନିକଟରେ ୧୦.୨ ଟ୍ରିଲିୟନର ବିଦେଶୀ ସମ୍ପତ୍ତି ଥିଲା। ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୮୫୦ଲକ୍ଷ କୋଟି ଟଙ୍କା ହେବ। ଏଥିରୁ ୩.୨ଟ୍ରିଲିୟନ ଡଲାର କେବଳ ଫୋରେକ୍ସ ରିଜର୍ଭ ଓ ଏଥିରୁ ଅଧିକାଂଶ ଆମେରିକୀୟ ଡଲାରରେ ରହିଛି। 

ତେବେ ଚୀନ୍ ଗତ କିଛି ବର୍ଷ ହେଲା ଆମେରିକୀୟ ଟ୍ରେଜରୀ ବିଲସର ହୋଲ୍ଡିଂ ହ୍ରାସ କରିଚାଲିଛି। ୨୦୧୭ ମସିହା ପରଠାରୁ ଚୀନ୍‌ ପାଖାପାଖି ୨୫% ଆମେରିକୀୟ ବଣ୍ଡ ହ୍ରାସ କରିଛି। ୟୁ ୟୋଙ୍ଗଡିଙ୍ଗ ଚେତାବନୀ ଦେଇଛନ୍ତି ଯେ ଋଷିଆ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଯେପରି ଋଷିଆ ସମ୍ପତ୍ତି ଜବତ କଲା, ଏଥିରୁ ଶିକ୍ଷା ନେଇ ଚୀନ୍ କୁ ସତର୍କ ରହିବାକୁ ହେବ।  ସେ କହିଛନ୍ତି ଯେ ‘ଆମକୁ ପ୍ରସ୍ତୁତ ରହିବାକୁ ପଡିବ ଓ ମଜଭୁତ ପଦକ୍ଷେପ ନେବାକୁ ପଡିବ, ଯାହା ଦ୍ୱାରା ଭବିଷ୍ୟତରେ ହେବାକୁ ଥିବା କ୍ଷତିକୁ ହ୍ରାସ କରାଯାଇ ପାରିବ’। 

ୟୁ ‘ମାର-ଏ-ଲାଗୋ ଏକର୍ଡ’ ନାମକ ଏକ ହାଇପୋଥେଟିକାଲ ପ୍ଲାନକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏହି ଆକର୍ଡ ଅନୁସାରେ ଆମେରିକା ବିଦେଶୀ ଋଣୀଙ୍କ ଡଲାର ଡିନୋମିନେଟେଡ ଋଣକୁ ୧୦୦ ବର୍ଷିଆ ବଣ୍ଡରେ ବଦଳାଇଦେଇ ପାରିବ। ୟୁ ଙ୍କ ଅନୁସାରେ ଏହା ଏକପ୍ରକାରର ଡିଫଲ୍ଟ ହେବ, ଯାହା ଚୀନ୍ ପାଇଁ ବିପଦ ସୃଷ୍ଟିକରିପାରେ। ଚୀନ୍-ଆମେରିକା ଦ୍ୱନ୍ଦ୍ୱ ଏବେ ବାଣିଜ୍ୟରୁ ଆଗକୁ ବଢି ଆର୍ଥିକ କ୍ଷେତ୍ରକୁ ପହଞ୍ଚିପାରେ। ଚୀନ୍‌ର ବିଦେଶୀ ସମ୍ପତ୍ତି, ଖାସ କରି ଆମେରିକୀୟ ଡଲାରରେ ରଖାଯାଇଥିବା ପାଣ୍ଠିକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି। ଏଥିରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଚୀନ୍‌ ନିଜ ଅର୍ଥ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ସହିତ ଡଲାର ଉପରେ ନିର୍ଭରତା ହ୍ରାସ କରିବାକୁ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.