ଭୁବନେଶ୍ବର ୧୧:ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରା ଅବଧି ଆଉ ଗୋଟିଏ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଫଳରେ ନଭେମ୍ବର ୧୨ ତାରିଖ ଅର୍ଥାତ ବୁଧବାର ଶେଷ ହେବାକୁ ଥିବା କଟକ ବାଲିଯାତ୍ରା ନଭେମ୍ବର ୧୩ ତାରିଖ ଅର୍ଥାତ ଗୁରୁବାର ଉଦ୍‌ଯାପିତ ହେବ । ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି ।

ଐତିହାସିକ କଟକ ବାଲିଯାତ୍ରାର ଆକର୍ଷଣରେ ଯୋଡି ହୋଇଛି ଆଉ ଗୋଟିଏ ଫର୍ଦ୍ଦ । ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଦୁଃସାହସିକ ଜଳକ୍ରୀଡା ବା ଫ୍ଲାଏ  ବୋଟ୍ ଶୋ’ ଆରମ୍ଭ ହୋଇଛି । ଏହାସହ ମହାନଦୀର ଗଡଗଡିଆ ଘାଟରେ ଜାତୀୟ ସ୍ତରୀୟ ମହାନଦୀ ବୋଟ୍ ରେସ୍ ଆରମ୍ଭ ହୋଇଛି । ଏଭଳି ଆୟୋଜନ ଓଡ଼ିଶାର ନୌଚାଳନା ଖେଳକୁ ନୂଆ ଦିଗ ଦେବା ସହ ପର୍ଯ୍ୟଟନ ଓ ବାଲିଯାତ୍ରାକୁ ଆହୁରି ଲୋକପ୍ରିୟ କରିପାରିବ ।

​​​​​​​

ମହାନଦୀ ବୋଟ୍ ରେସ୍‌ରେ ଓଡ଼ିଶା, ଆସାମ, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟଣା, ପଞ୍ଜାଵ ଓ ଦିଲ୍ଲୀ ଆଦି ରାଜ୍ୟର ଟିମ୍ ଭାଗ ନେଇଥିଲେ । ମହାନଦୀ ପାଣିରେ ଯୁବକଙ୍କ ଫ୍ଲାଏ ବୋଟ୍ ଶୋ’କୁ ବେଶ୍ ଉପଭୋଗ କରିଥିଲେ ବାଲିଯାତ୍ରାକୁ ଆସିଥିବା ଲୋକେ । ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଏଭଳି ଫ୍ଲାଏ ବୋଟ୍ ଶୋ’ ଆୟୋଜନ କରାଯାଇଛି । ଏଣିକି ପ୍ରତିବର୍ଷ ବାଲିଯାତ୍ରାରେ ଏହି ଭଳି କିଛି ଦୁଃସାହସିକ ଜଳକ୍ରୀଡ଼ା ଆୟୋଜିତ ହେବ । ଏଭଳି ଆୟୋଜନ ଓଡ଼ିଶାର ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ସହ ଆଗକୁ ଗଡଗଡିଆ ଘାଟରେ ଓ୍ବାଟର ସ୍ପୋର୍ଟସ କମ୍ପ୍ଲେକ୍ସ କରି ନିୟମିତ ଅଭ୍ୟାସ କରାଯିବ ।

​​​​​​​​​​​​​

ବାଲିଯାତ୍ରାରେ ସମସ୍ତଙ୍କ ଆକର୍ଷଣ ପାଲଟିଥିଲା ୱାଟର ଲେଜର ଶୋ' । ଐତିହାସିକ ବାଲିଯାତ୍ରାର ଷଷ୍ଠ ସଂଧ୍ୟାରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲା ୱାଟର ଲେଜର ଶୋ' । ରଙ୍ଗବେରଙ୍ଗ ଲାଇଟରେ ଉଛୁଳୁ ଉଠିଥିଲା ମହାନଦୀର ଗଭୀର ଜଳରାଶି । ପ୍ରାୟ ୩୦ ମିନିଟ୍ ଧରି ଚାଲିଥିଲା ଏହି ଲେଜର ଶୋ' । ଯେଉଁଥିରେ କଳିଙ୍ଗ ଏବଂ କଟକର ନୌବାଣିଜ୍ୟ, କଳା, ସଂସ୍କୃତି, ଐତିହ୍ୟ, ତାରକସୀ, ଦୁର୍ଗା ପୂଜା ଆଦି ଅନେକ ଗୁଡ଼ିଏ ଜିନିଷ ଶୋ' ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ସେହିପରି ବାଲିଯାତ୍ରା ସମ୍ପର୍କରେ ମଧ୍ୟ ଏହି ଭିଡ଼ିଓ ଶୋ'ରେ ସ୍ଥାନିତ ହୋଇଥିଲା ।