ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟପ୍ରାଚ୍ୟ। ଇରାନ ଆମେରିକା ଲଢ଼େଇ ଚରମ ସୀମାରେ। ବଡ଼ ରଣନୈତିକ ଖେଳ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ତୈଳ ବଜାରରେ ଏକଚାଟିଆ ପ୍ରଭାବ ବିସ୍ତାର କରୁଥିବା ହରମୁଜ୍ ଉପରେ ନିର୍ଭରଶୀଳତା କମାଇବାକୁ ଆମେରିକା ମାଷ୍ଟରପ୍ଲାନ। ହାତ ମିଳାଇଲେ ଇରାକ ଏବଂ ସିରିଆ। ଦଶନ୍ଧି ଦଶନ୍ଧି ଧରି ବନ୍ଦ ପଡ଼ିଥିବା ଐତିହାସିକ ତୈଳ ପାଇପଲାଇନ୍ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଆସନ୍ତା ସପ୍ତାହରେ ହେବ ବଡ଼ ଘୋଷଣା। ଟ୍ରମ୍ପଙ୍କ ଗୋଟି ଖେଳରେ ଫସିଯିବକି ଇରାନ୍।

ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ହରମୁଜ୍ ପ୍ରଣାଳୀ ପ୍ରତି ବିପଦ ମଧ୍ୟରେ ଆମେରିକା ଏକ ବଡ଼ କୂଟନୈତିକ ଚାଲ୍ ଖେଳିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆସନ୍ତା ସପ୍ତାହରେ ଆମେରିକା, ଇରାକ ଏବଂ ସିରିଆ ମଧ୍ୟରେ ଏକ ପ୍ରମୁଖ ଶକ୍ତି ଚୁକ୍ତିନାମା ସ୍ଵାକ୍ଷରିତ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଉତ୍ତର ଇରାକକୁ ସିରିଆର ଭୂମଧ୍ୟସାଗରୀୟ ଉପକୂଳ ସହିତ ସଂଯୋଗ କରୁଥିବା ଏକ ଦଶନ୍ଧି ପୁରୁଣା ବନ୍ଦ ତୈଳ ପାଇପଲାଇନ୍କୁ ପୁନଃଆରମ୍ଭ କରାଯିବ।

ଏହି ମେଗା ଡିଲକୁ ବିଶ୍ୱସ୍ତରରେ ହଲଚଲ ଆରମ୍ଭ। ଆସନ୍ତା ସପ୍ତାହରେ ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୟାଦି ଆମେରିକା ଗସ୍ତରେ ଯାଉଛନ୍ତି। ଏହି ସମୟରେ ହ୍ୱାଇଟ୍ ହାଉସରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଦ୍ଵିପାକ୍ଷିକ ଆଲୋଚନା ସମୟରେ ହିଁ ତିନି ଦେଶ ମଧ୍ୟରେ ଐତିହାସିକ ଚୁକ୍ତିନାମା ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ। ଏପରିକି ଇରାକ ପ୍ରଧାନମନ୍ତ୍ରୀ ଆମେରିକାର ଶକ୍ତି କେନ୍ଦ୍ର କୁହାଯାଉଥିବା ଟେକ୍ସାସ ମଧ୍ୟ ଗସ୍ତ କରିବେ।

ଏହି ସମ୍ପୂର୍ଣ୍ଣ ଯୋଜନାର କେନ୍ଦ୍ରବିନ୍ଦୁ ସାଜିଛି 'କିରକୁକ-ବାନିଆସ୍ ପାଇପଲାଇନ'। ଉତ୍ତର ଇରାକର ସହର କିରକୁକରୁ ସିରିଆର ଭୂମଧ୍ୟସାଗରୀୟ ବନ୍ଦର ବାନିଆସ୍ ପର୍ଯ୍ୟନ୍ତ ଏହି ପାଇପଲାଇନ୍ ପ୍ରାୟ ୮୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ। ଏହା କାର୍ଯ୍ୟକ୍ଷମ ହେଲେ ଇରାକ ନିଜର ତୈଳକୁ ଉପସାଗରୀୟ ଜାହାଜ ମାର୍ଗ ବଦଳରେ ସିଧାସଳଖ ଭୂମଧ୍ୟସାଗର ଦେଇ ଆନ୍ତର୍ଜାତୀୟ ବଜାରକୁ ରପ୍ତାନି କରିପାରିବ। ଆମେରିକାର ସ୍ୱତନ୍ତ୍ର ଦୂତ ଟମ୍ ବାରାକ୍ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ନେତୃତ୍ୱ ନେଉଛନ୍ତି।

ଯଦି ଏହି ପାଇପଲାଇନର ଇତିହାସ ଦେଖିବା, ତେବେ ୧୯୫୨ ମସିହାରେ ଇରାକ ପେଟ୍ରୋଲିୟମ୍ କମ୍ପାନୀ ଦ୍ୱାରା ଏହା ନିର୍ମିତ ହୋଇଥିଲା, ଯାହାର ଦୈନିକ କ୍ଷମତା ଥିଲା ପ୍ରାୟ ୩,୦୦,୦୦୦ ବ୍ୟାରେଲ୍। ହେଲେ ୧୯୮୦ ଦଶକରେ ଇରାନ-ଇରାକ ଯୁଦ୍ଧ ସମୟରେ ସିରିଆ ଇରାନକୁ ସମର୍ଥନ କରିବାରୁ ଏହା ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୩ ମସିହା ଆମେରିକା-ଇରାକ ଯୁଦ୍ଧ ବେଳେ ଏହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଅଚଳ ହୋଇପଡ଼ିଥିଲା। ଆମେରିକା ଓ ଇରାନ ଉତ୍ତେଜନା କାରଣରୁ ହରମୁଜ୍ ଜଳମାର୍ଗ ସଦାବେଳେ ଅସୁରକ୍ଷିତ ରହିଥାଏ। ଏହି ପାଇପଲାଇନ୍ ତୈଳ ପରିବହନ ପାଇଁ ଏକ ସୁରକ୍ଷିତ ବିକଳ୍ପ ରାସ୍ତା ଦେବ।