ନୂଆଦିଲ୍ଲୀ ୮।୩: ପଶ୍ଚିମ ଏସିଆ ଯୁଦ୍ଧ ଯେତିକି ଦୀର୍ଘ ହେବ ସାରା ବିଶ୍ୱରେ ଲୋକଙ୍କୁ ଖାଦ୍ୟ ପାଇଁ ଅଧିକ ମୂଲ୍ୟ ଦେବାର ଆଶଙ୍କା ସେତିକି ବଢିଯିବ। ଏଥିରେ ସବୁଠୁ ଅସୁରକ୍ଷିତ ଦେଶରେ ରହୁଥିବା ଲୋକଙ୍କୁ ଅନାହାର ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିପାରେ। ପାରସ୍ୟ ଉପସାଗର କୃଷି ଉପଯୋଗୀ ସାର ପରିବହନର ପ୍ରମୁଖ ସ୍ରୋତ। ଏହି କ୍ଷେତ୍ରକୁ ପ୍ରାକୃତିକ ତୈଳ ଓ ଗ୍ୟାସର ବିଶାଳ ସ୍ରୋତ ରୂପେ ମଧ୍ୟ ଜଣାଯାଏ। ତେବେ ଇନ୍ଧନର ପ୍ରଚୁରତା ଅନେକ ପ୍ରକାରର ସାର ବିଶେଷ କରି ନାଇଟ୍ରୋଜେନ ଯୁକ୍ତ ସାର ନିମନ୍ତେ କଞ୍ଚାମାଲ ନିର୍ମାଣକାରୀ କାରଖାନାଙ୍କୁ ଏହି କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି।

ନାଇଟ୍ରୋଜେନ ସାର ତିଆରି ପାଇଁ ପ୍ରାକୃତିକ ଗ୍ୟାସକୁ ଗଛ ଲାଗି ପୋଷକ ତତ୍ୱରେ ପରିବର୍ତ୍ତନ କରି ତିଆରି କରାଯାଏ। ଏହା ସେହି ସବୁ ଫସଲକୁ ପୋଷଣ ଦିଏ ଯେଉଁଥିରୁ ବିଶ୍ୱର ଅଧା ଖାଦ୍ୟ ଯୋଗାଣ ହୁଏ। ଏବେ ପାରସ୍ୟ ଉପସାଗରରେ ନାଇଟ୍ରୋଜେନ ସାର ତିଆରି କରୁଥିବା ଅଧିକାଂଶ କାରଖାନା ଉତ୍ପାଦନ ଜାରି ରଖିଛନ୍ତି। ହେଲେ ହର୍ମୁଜ ପ୍ରଣାଳୀ ବନ୍ଦ ଅବସ୍ଥାକୁ ଚାଲି ଆସିବା ଯୋଗୁ ଚାଷୀଙ୍କ ନିକଟକୁ ସାର ପହଞ୍ଚାଇବା ଏବେ କଷ୍ଟକର ହୋଇଯାଇଛି। ହର୍ମୁଜ ପ୍ରଣାଳୀ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ସଂଯୁକ୍ତ କରୁଛି।

ଏଣୁ ହର୍ମୁଜ ପ୍ରଣାଳୀ ଦେଇ ସାମୁଦ୍ରିକ ଯାତାୟାତ ବନ୍ଦ ହେବା ଯୋଗୁ ବିଶ୍ୱରେ ତୈଳ ଓ ଗ୍ୟାସ ଦର ବୃଦ୍ଧି ହୋଇଛି। ଏଥିରେ ଯଦି ଜଳମାର୍ଗ ବନ୍ଦ ରହେ ତେବେ ପ୍ରମୁଖ ସାର ଓ ଏହାକୁ ତିଆରି କରିବାକୁ ଉପଯୋଗ ହେଉଥିବା ରସାୟନର ମୂଲ୍ୟ ମଧ୍ୟ ବଢିଯିବ। ଏଣୁ ଚାଷୀ ଅମଳ ପାଇଁ ସାର ଉପଯୋଗ ହ୍ରାସ କରିପାରନ୍ତି। ଫଳରେ ଖାଦ୍ୟ ଉତ୍ପାଦନ ହ୍ରାସ ହେବା ସହ ଜୀବନଯାପନ ମହଙ୍ଗା ହୋଇଯିବ। ଲଣ୍ଡନସ୍ଥିତ କମଡିଟି ଗବେଷଣା ଓ ଡାଟା ଫାର୍ମ ସିଆରୟୁ ଗ୍ରୁପ ଉପାଧ୍ୟକ୍ଷ କ୍ରିସ ଲସନ କହିଛନ୍ତି ଯେ ଯାହା ହେଉଛି ବହୁତ ଖରାପ ହେଉଛି।

ସେ କହିଛନ୍ତି ଯେ ସାରା ବିଶ୍ୱର ଦେଶମାନେ ଇନ୍ଧନ ଓ ସାର ଯୋଗାଣ ପାଇଁ ସେହି ଜଳମାର୍ଗ ଉପରେ ନିର୍ଭରଶୀଳ। ଏଣୁ ଯୁଦ୍ଧ ପାରସ୍ପାରିକ ସମ୍ପର୍କର ଦୁର୍ବଳତାକୁ ଉଜାଗର କରୁଛି। ୪ ବର୍ଷ ପୂର୍ବେ ଯେବେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିଲା ସେତେବେଳେ ବିଶ୍ୱକୁ କୃଷି ଭୂଗୋଳରେ ଏକ ଶିକ୍ଷା ମିଳିଥିଲା। ଦୁଇ ଦେଶ ଗହମ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟଶସ୍ୟ ଯୋଗାଣର ମୁଖ୍ୟ ସ୍ରୋତ ଥିଲେ। ଏହି ଯୁଦ୍ଧ ପରେ ପଶ୍ଚିମ ଆଫ୍ରିକାରୁ ନେଇ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟର ଅଭାବ ଦେଖିବାକୁ ମିଳିଥିଲା।

ପଶ୍ଚିମ ଏସିଆରେ ଦେଖା ଦେଇଥିବା ପରିସ୍ଥିତିର ପ୍ରଭାବ ଏବେ କୃଷି ଉତ୍ପାଦନ ଉପରେ ପଡି ନାହିଁ। ତେବେ ସାର ଉପରେ ଏହାର ପ୍ରଭାବ ବେଶ୍ ଗଭୀର ହୋଇପାରେ। କମଡିଟି ଆଧାରିତ ସମାଚାର ଓ ଡାଟା ସେବା ଅର୍ଗସ ମିଡିଆ ସମ୍ପାଦକ ସାରା ମାର୍ଲୋ କହିଛନ୍ତି ଯେ ଏଥର ସାର ଉପରେ ପ୍ରଭାବ ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବଠାରୁ ଅନେକ ଗୁଣା ଅଧିକ ଦେଖିବାକୁ ମିଳିବ।