ନୂଆଦିଲ୍ଲୀ: ଯୁଦ୍ଧର ନିଆଁରେ ଜଳୁଛି ପଶ୍ଚିମ ଏସିଆ। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ। ବାରୁଦ ଗଦା ଉପରେ ଉଭୟ ଦେଶ। ସତେ ଯେମିତି ଆମେ ମହାଯୁଦ୍ଧର ଅତି ନିକଟତର। ଇରାନ ବିପକ୍ଷରେ ଆମେରିକୀୟ ସେନା ଆରମ୍ଭ କରିଛି ବଡ଼ ଧରଣର ଏୟାରଷ୍ଟ୍ରାଇକ୍। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଇରାନ ଉପରେ ଏହି ନୂଆ ଏୟାରଷ୍ଟ୍ରାଇକ୍ କରାଯାଇଛି।

ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ- ହର୍ମୁଜ ପ୍ରଣାଳୀରେ ବ୍ୟବସାୟିକ ଜାହାଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଥିବା ଇରାନର ସାମରିକ କ୍ଷମତାକୁ ଧ୍ୱଂସ କରିବା। ଜୋର୍ଡାନରେ ଆମେରିକୀୟ ସୈନିକଙ୍କ ଉପରେ ଆକ୍ରମଣ କରିଥିବା ରିଭୋଲ୍ୟୁସନାରୀ ଗାର୍ଡକୁ ମୁହଁତୋଡ଼ ଜବାବ ଦେବା।

ଗତ ଜୁଲାଇ ୧୭ ତାରିଖରେ ଜୋର୍ଡାନରେ ଇରାନ ପକ୍ଷରୁ କରାଯାଇଥିବା ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣରେ ଆମେରିକାକୁ ବଡ଼ ଝଟ୍କା ଲାଗିଛି। ଏହି ଆକ୍ରମଣରେ ୨ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ସୈନିକ ଏବେ ବି ନିଖୋଜ ଅଛନ୍ତି। ଆକ୍ରମଣରେ ଗୁରୁତର ୪ ଜଣ ସୈନିକଙ୍କୁ ଜର୍ଡାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସଂଘର୍ଷ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇ ସାରିଲେଣି। ୪୩୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି।

ଆମେରିକା ଏବେ କୌଣସି ପ୍ରକାରେ ନଇଁବା ମୁଡ୍ରେ ନାହିଁ। ଶନିବାର ଲଗାତାର ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଇରାନର ସାମରିକ Surveillance Centers, ସାମରିକ ଲଜିଷ୍ଟିକ୍ସ ଭିତ୍ତିଭୂମି, ମାଟିତଳେ ଥିବା ଗୋପନୀୟ ଅସ୍ତ୍ରଶସ୍ତ୍ର ଭଣ୍ଡାର, ସାମୁଦ୍ରିକ ସାମରିକ ବାହିନୀର ଶକ୍ତୁ ପ୍ରବଳ କ୍ଷତି ପହଞ୍ଚାଇଛି।

ଆମେରିକାର ଏହି ଆକ୍ରମଣ ପରେ ଇରାନ ଚୁପ୍ ବସିନାହିଁ। ଇରାନ ମଧ୍ୟ ଆମେରିକାକୁ ତାରି ଭାଷାରେ ଜବାବ ଦେବା ଆରମ୍ଭ କରିଛି। ଖୋଜି ଖୋଜି ଟାର୍ଗେଟ। ଇରାନ ପକ୍ଷରୁ କୁୱେତ, ଇରାକ, ବାହାରିନ, ଜର୍ଡାନ ଏବଂ ସାଉଦି ଆରବରେ ଥିବା ଆମେରିକୀୟ ସାମରିକ ଘାଟି ଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣରେ କୁଏତରେ ଥିବା ଏକ ସାମୁଦ୍ରିକ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଏକ ତୈଳ ପ୍ରକଳ୍ପ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ 'X' ରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆମେରିକା ନିଜର ଆକ୍ରମଣ ବନ୍ଦ ନକରେ, ତେବେ ତାକୁ ଏଭଳି ଶିକ୍ଷା ଦିଆଯିବ ଯାହାକୁ ସେ କେବେ ଭୁଲିପାରିବ ନାହିଁ। ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାକ୍ଷରିତ କୌଣସି ବି ଚୁକ୍ତିର ଏବେ କୌଣସି ବୈଧତା କିମ୍ବା ମୂଲ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହି ଲଢ଼େଇ ଏବେ କେବଳ ଆମେରିକା ଏବଂ ଇରାନ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏହା ସମଗ୍ର ବିଶ୍ୱକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି। ଗୋଟିଏ ପଟେ ଆମେରିକାର ସୁପରପାୱାରର ଅହଂକାର ଏବଂ ଅନ୍ୟପଟେ ଇରାନର ରିଭେଞ୍ଜ ନୀତି, ପଶ୍ଚିମ ଏସିଆର ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି।