ନୂଆଦିଲ୍ଲୀ: ଆମେରିକାର କଡ଼ା ଚେତାବନୀ ଏବଂ ବିରୋଧ ସତ୍ତ୍ୱେ ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' (Strait of Hormuz) ରେ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଜବରଦସ୍ତି ଟିକସ ବା ଟୋଲ୍ ଆଦାୟ କରିବା ପାଇଁ ଏକ ସ୍ୱତନ୍ତ୍ର ଜାହାଜ ମୁତୟନ କରିଛି। ବିଶ୍ୱର ସାମୁଦ୍ରିକ ଜାହାଜଗୁଡ଼ିକ ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା 'ମେରାଇନ୍‌-ଟ୍ରାଫିକ' (Marine-Traffic) ଇରାନର ଏହି ବିପଦଜନକ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଛି, ଯାହା ଆଗାମୀ ଦିନରେ ଏକ ବଡ଼ ଯୁଦ୍ଧର କାରଣ ସାଜିପାରେ।

ମେରାଇନ୍‌ ଟ୍ରାଫିକର ରିପୋର୍ଟ ଅନୁଯାୟୀ, ଇରାନ ଯେଉଁ ଜାହାଜକୁ ମୁତୟନ କରିଛି ତାର ନାମ ‘IRGC ଟୋଲ୍ କଲେକ୍ଟ’ (IRGC Toll Collect) ରଖାଯାଇଛି। ଏହି ଜାହାଜଟି ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ସଂଗଠନ 'ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ କୋର' (IRGC) ର ଜାହାଜ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ଜାହାଜଟି ଇରାନର କେଶମ ଦ୍ୱୀପ ନିକଟରେ ଥିବା ଆଇଆରଜିସିର ଏକ ନୌସେନା ଘାଟିରେ ରହିଛି।

ଏହା ପ୍ରକୃତରେ ଏକ 'ଡ୍ରେଜର ଜାହାଜ' (Dredger Ship), ଏହା ବନ୍ଦରରେ ଜମି ରହିଥିବା କାଦୁଅ ଓ ଆବର୍ଜନା ସଫା କରେ। ଏବେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ନୌସେନା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆମେରିକାର ଦାବି ଅନୁଯାୟୀ, ଇରାନର ପ୍ରାୟ ୧୫୦ଟି ଛୋଟବଡ଼ ଯୁଦ୍ଧ ଜାହାଜ ନଷ୍ଟ ହୋଇସାରିଛି। ତେଣୁ ସମ୍ବଳର ଅଭାବ ଯୋଗୁଁ ଇରାନ ନିଜର ଏକ ପୁରୁଣା ଡ୍ରେଜର ଜାହାଜକୁ ଟୋଲ୍ ଆଦାୟକାରୀ ଜାହାଜରେ ପରିଣତ କରିଛି।

ଇରାନର ବୈଦେଶିକ ମନ୍ତ୍ରଣାଳୟ ଏବଂ ସରକାରୀ ପ୍ରବକ୍ତାମାନେ ଅନ୍ତର୍ଜାତୀୟ ସ୍ତରରେ ହର୍ମୁଜ ପ୍ରଣାଳୀରେ ଟ୍ୟାକ୍ସ ନେବା କଥାକୁ ଅସ୍ୱୀକାର କରୁଛନ୍ତି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। IRGC ଏହି ବେଆଇନ ଟୋଲ୍ ଆଦାୟକୁ 'ପରିବେଶ ଟ୍ୟାକ୍ସ' ବୋଲି ନାମିତ କରିଛି। ଏହା ସହିତ ଇରାନ ପଡ଼ୋଶୀ ଓମାନ ସହିତ ମିଶି ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ତେଲ ଜାହାଜ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକର ପରିଚାଳନା ପାଇଁ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଘୋଷଣା କରିଛି ।

ଚଳିତ ବର୍ଷ ଫେବୃଆରୀ ୨୮ ରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ହର୍ମୁଜ ଷ୍ଟ୍ରେଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା। ଏହାଫଳରେ ସାରା ବିଶ୍ୱରେ ତେଲ ସଙ୍କଟ ଦେଖାଦେଇଥିଲା।  ଏହି ସମୁଦ୍ର ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଇରାନର ସେନା ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିବା ସହ ସମୁଦ୍ର ମଧ୍ୟରେ  Mines ବିଛାଇ ଦେଇଥିଲା, ଯାହା ଦ୍ୱାରା ଅନେକ ବାଣିଜ୍ୟିକ ଜାହାଜ କ୍ଷତିଗ୍ରସ୍ତ ହୋଇଥିଲା ।

କିଛି ସପ୍ତାହ ପୂର୍ବରୁ ଇରାନ ଘୋଷଣା କରିଥିଲା ଯେ, ଜାହାଜଗୁଡ଼ିକ କେବଳ IRGC ର ଅନୁମତି ଏବଂ ଟୋଲ୍ ଦେଇ ଏହି ପଥ ବ୍ୟବହାର କରିପାରିବେ। ଏଥିପାଇଁ ଇରାନ 'ପର୍ସିଆନ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି' (PGSA) ନାମକ ଏକ ସଂସ୍ଥା ଗଠନ କରିଛି ଏବଂ 'ଲାରକ ଦ୍ୱୀପ' ନିକଟ ଦେଇ ଜାହାଜ ଚଳାଚଳ ପାଇଁ ଏକ ନୂଆ ମାନଚିତ୍ର ଜାରି କରିଛି। ହର୍ମୁଜ ପ୍ରଣାଳୀ ଦେଇ ସମଗ୍ର ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତେଲ ପରିବହନ ହୋଇଥାଏ । ଏଭଳି ପରିସ୍ଥିତିରେ ଇରାନ ଏହି ‘ଟୋଲ୍-କଲେକ୍ଟର’ ଜାହାଜ ମୁତୟନ କରି ଆମେରିକାକୁ ଆହୁରି କ୍ରୋଧିତ କରିବ । ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତୀବ୍ରତା ଆହୁରି ବଢ଼ିପାରେ ।