ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ (Strait of Hormuz) ଆମେରିକାର ଏକ ଚାଳକହୀନ ଜାହାଜକୁ ଆକ୍ରମଣ କରିଥିବା ନେଇ ଇରାନ ଦାବି କରିଛି। କିନ୍ତୁ ଆମେରିକା ସେନା ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ  'ସମ୍ପୂର୍ଣ୍ଣ ମିଛ' ବୋଲି କହିଛି। ଗୋଟିଏ ଦିନ ପୂର୍ବରୁ ଆମେରିକା ସେନା ଇରାନର ତିନୋଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିବା ଦାବି କରିବା ପରେ ଇରାନ ପକ୍ଷରୁ ଏହି ବୟାନ ଆସିଛି।

ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରଠାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ଜୁନ୍ ମାସରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ସୁଦ୍ଧା ଆଲୋଚନା ବିଫଳ ହେବା ପରେ ଦୁଇ ଦେଶ ମଧ୍ୟରେ ପୁଣି ଛୋଟବଡ଼ ସଂଘର୍ଷ ଜାରି ରହିଛି।

ଆମେରିକା ଗୋଟିଏ ପଟେ ସାମରିକ ଆକ୍ରମଣର ଜବାବ ଦେଉଥିବା ବେଳେ ଅନ୍ୟପଟେ ଇରାନର ଆର୍ଥିକ କାରବାର ସହ ଜଡ଼ିତ ବିଦେଶୀ ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଛି। ଜୁନ୍ ମଧ୍ୟଭାଗରେ ସ୍ୱାକ୍ଷରିତ ଚୁକ୍ତି ପରେ ମଧ୍ୟ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଆଗେଇ ପାରିନାହିଁ। ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ଇରାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି।

ସେପଟେ ବର୍ତ୍ତମାନ ବିଶ୍ୱର ପ୍ରମୁଖ ତେଲ ଓ ଗ୍ୟାସ୍ ପରିବହନ ପଥ 'ହର୍ମୁଜ ପ୍ରଣାଳୀ'କୁ ନିଜର ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରୁଛି ଇରାନ। ଏହାରି ମଧ୍ୟରେ ଆମେରିକାକୁ କଡ଼ା ଜବାବ ଦେବାକୁ ଇରାନ ପ୍ରସ୍ତୁତ ହେଉଛି । ଇରାନର ଅନ୍ୟତମ ଶୀର୍ଷ ନେତା ମହମ୍ମଦ ବାଘେର ଗାଲିବାଫ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ।