ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧୫ ଦିନ ପରେ ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଶୁକ୍ରବାର ଦିନ ଆମେରିକା ଇରାନର 'ଖାର୍ଗ ଦ୍ୱୀପ' ଉପରେ ଆକ୍ରମଣ କରିବା ପରେ ପୂରା ଅଞ୍ଚଳରେ ହାହାକାର ଖେଳିଯାଇଛି। ମାତ୍ର ୨୦ ବର୍ଗ କିଲୋମିଟର ପରିସର ମଧ୍ୟରେ ଥିବା ଏହି ଛୋଟ ଦ୍ୱୀପଟି ଇରାନର ମୋଟ ତୈଳ ରପ୍ତାନିର ୯୦ ପ୍ରତିଶତ ପରିଚାଳନା କରୁଥିବାରୁ ଏହାର ରଣନୀତିକ ଗୁରୁତ୍ୱ ରହିଛି।

ଅଞ୍ଚଳଛୋଟ,କିନ୍ତୁ ଭୂମିକା ବଡ଼

ପାରସ୍ୟ ଉପସାଗରର ଉତ୍ତର ଭାଗରେ ଏବଂ ଇରାନର ବୁଶେହର ପ୍ରଦେଶର ମୂଳ ଭୂଖଣ୍ଡଠାରୁ ୨୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଦ୍ୱୀପଟି ୮ କିଲୋମିଟର ଲମ୍ବ ଏବଂ ୫ କିଲୋମିଟର ଚଉଡ଼ା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଇରାନର 'କ୍ରାଉନ୍ ଜୁଏଲ୍' ବା ମୁକୁଟର ମଣି ବୋଲି କହିଥିବା ବେଳେ ପ୍ରସିଦ୍ଧ ଇରାନୀୟ ଲେଖକ ଜଲାଲ ଅଲ-ଏ-ଅହମ୍ମଦ ଅନେକ ବର୍ଷ ପୂର୍ବେ ଏହାକୁ "ପାରସ୍ୟ ଉପସାଗରର ଅନାଥ ମଣି" ବୋଲି ଆଖ୍ୟା ଦେଇଥିଲେ।

କିପରି ହୁଏ ତୈଳ ପରିଚାଳନା?

ଖାର୍ଗ ଦ୍ୱୀପର ଷ୍ଟୋରେଜ୍ ଟ୍ୟାଙ୍କ, ଲୋଡିଂ ଟର୍ମିନାଲ୍ ଏବଂ ପାଇପଲାଇନ୍ ଗୁଡ଼ିକ ଇରାନର ତୈଳ ଶିଳ୍ପ ପାଇଁ ସ୍ନାୟୁକେନ୍ଦ୍ର (Nerve centre) ଭାବେ କାମ କରେ।

* ଆବୁଜାର ଫୋରୌଜାନ୍ ଏବଂ ଦୋରୁଦ ଭଳି ତିନୋଟି ପ୍ରମୁଖ ଅଫଶୋର୍ ତୈଳ କ୍ଷେତ୍ରରୁ ଏଠାକୁ ଅଶୋଧିତ ତୈଳ ଆସିଥାଏ।

* ଏହାପରେ ଏହାକୁ ସମୁଦ୍ର ତଳେ ଥିବା ପାଇପଲାଇନ୍ ମାଧ୍ୟମରେ ଅନଶୋର ପ୍ରୋସେସିଂ ସୁବିଧାକୁ ପଠାଯାଏ ଏବଂ ଶେଷରେ ବିଶ୍ୱ ବଜାରକୁ ରପ୍ତାନି କରାଯାଏ।

* ଇରାନର ସବୁଠାରୁ ବଡ଼ ତୈଳ କ୍ଷେତ୍ର ଅହବାଜ, ମାରୁନ୍ ଏବଂ ଗାଚସାରନ୍ ର ପାଇପଲାଇନ୍ ଗୁଡ଼ିକ ସିଧାସଳଖ ଖାର୍ଗର ଷ୍ଟୋରେଜ୍ ଟ୍ୟାଙ୍କ ସହିତ ସଂଯୁକ୍ତ। ଏହି ଦ୍ୱୀପରେ ବର୍ଷକୁ ପ୍ରାୟ ୯୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳ ପରିଚାଳନା କରାଯାଏ।

ଶକ୍ତି ଗବେଷକ ପେଟ୍ରାସ୍ କାଟିନାସଙ୍କ ମତରେ ଇରାନ ସରକାର ଏବଂ ସେନାକୁ ପାଣ୍ଠି ଯୋଗାଇବାରେ ଖାର୍ଗ ଦ୍ୱୀପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଇରାନ ଏହି ଦ୍ୱୀପ ଉପରୁ ନିୟନ୍ତ୍ରଣ ହରାଏ, ତେବେ ଦେଶ ଚଳାଇବା କଷ୍ଟକର ହୋଇପଡ଼ିବ।

ଐତିହାସିକ ଗୁରୁତ୍ୱ

କେବଳ ତୈଳ ନୁହେଁ, ଏହି ଦ୍ୱୀପର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି। ଆଲ ଜଜିରାର ରିପୋର୍ଟ ଅନୁଯାୟୀ ଏଠାରେ ସପ୍ତମ ଶତାବ୍ଦୀର ମୀର ମହମ୍ମଦ ମନ୍ଦିର, ଆକେମେନିଡ୍ ସମୟର ମୀର ଆରାମ ମନ୍ଦିର, ଜୋରାଷ୍ଟ୍ରିଆନ୍ ସମାଧି, ଖ୍ରୀଷ୍ଟିଆନ୍ କବର, ଇସଲାମିକ୍ କବରସ୍ଥାନ ଏବଂ ୧୭୪୭ ମସିହାରେ ନିର୍ମିତ ଏକ ଡଚ୍ ଦୁର୍ଗ ଓ ବଗିଚାର ଅବଶେଷ ରହିଛି। ଖାର୍ଗ ବ୍ୟତୀତ କେଶମ୍ ଦ୍ୱୀପ, ଆବୁ ମୁସା ଏବଂ ଗ୍ରେଟର୍ ଓ ଲେସର୍ ଟୁନ୍ବ ଭଳି ଛୋଟ ଦ୍ୱୀପଗୁଡ଼ିକ ମଧ୍ୟ ସେମାନଙ୍କର ତୈଳ ସୁବିଧା ଏବଂ ରଣନୀତିକ ଅବସ୍ଥାନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

କାହିଁକି ଆକ୍ରମଣ କଲା ଆମେରିକା?

ଆମେରିକା ଏବଂ ଇସ୍ରାଏଲ୍ ପୂର୍ବରୁ ଖାର୍ଗ ଦ୍ୱୀପକୁ ନେଇ ସତର୍କ ଥିଲେ। କିନ୍ତୁ ବର୍ତ୍ତମାନ ଆମେରିକା ଏହାକୁ ନିଜ କବଜାକୁ ନେବାକୁ ଚିନ୍ତା କରୁଛି। ପେଣ୍ଟାଗନ୍ ପ୍ରାୟ ୨,୫୦୦ ମେରାଇନ୍ ସେନା ସହ ଜାପାନ ସ୍ଥିତ ଆମ୍ଫିବିଅସ୍ ଆସଲ୍ଟ ସିପ୍ 'ୟୁଏସଏସ୍ ତ୍ରିପୋଲି' କୁ ଏହି ଅଞ୍ଚଳକୁ ପଠାଇଛି।

ଆକ୍ରମଣ ପରେ ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, "ଖାର୍ଗ ଦ୍ୱୀପର ସମସ୍ତ ସାମରିକ ଟାର୍ଗେଟକୁ ଧ୍ୱଂସ କରାଯାଇଛି। ମୁଁ ଜାଣିଶୁଣି ଏହାର 'ତୈଳ ଭିତ୍ତିଭୂମି'କୁ ବର୍ତ୍ତମାନ ପାଇଁ ନଷ୍ଟ କରିନାହିଁ। କିନ୍ତୁ ଯଦି ଇରାନ ବା ଅନ୍ୟ କେହି ହର୍ମୁଜ୍ ଜଳପଥରେ (Strait of Hormuz) ଜାହାଜ ଚଳାଚଳରେ ବାଧା ସୃଷ୍ଟି କରେ, ତେବେ ମୁଁ ଏହା ଉପରେ ତୁରନ୍ତ ବିଚାର କରିବି।"

ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ

ଇରାନ ହର୍ମୁଜ୍ ଜଳପଥ ଦେଇ ଯାତାୟାତକୁ ପ୍ରାୟତଃ ବନ୍ଦ କରିଦେଇଛି, ଯେଉଁ ବାଟ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି ଏବଂ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଛି। ଓପେକର ଚତୁର୍ଥ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ଇରାନ ଚେତାବନୀ ଦେଇଛି ଯେ ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ଉପସାଗରରୁ ଗୋଟିଏ ଲିଟର ତୈଳ ମଧ୍ୟ ରପ୍ତାନି ହେବ ନାହିଁ।

ଇରାନର ପ୍ରତିକ୍ରିୟା

ଜେପି ମୋର୍ଗାନଙ୍କ ଚେତାବନୀ ଅନୁଯାୟୀ, ଆମେରିକାର ଏହି ଆକ୍ରମଣ ପରେ ଇରାନ ଚୁପ୍ ବସିବ ନାହିଁ। ହର୍ମୁଜ୍ ଜଳପଥରେ କିମ୍ବା ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଇରାନ ଭୟଙ୍କର ପ୍ରତିଶୋଧ ନେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ ମଧ୍ୟ କହିଥିଲେ ଯେ ଯଦି ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ ହୁଏ, ତେବେ ଟ୍ରମ୍ପଙ୍କୁ ଆମେରିକୀୟ ସୈନିକଙ୍କ ରକ୍ତର ହିସାବ ଦେବାକୁ ପଡ଼ିବ।