ପୁରୁଣା ପୋଷାକ ଦାନ କରିବା ଏକ ମହତ କାର୍ଯ୍ୟ ବୋଲି ସମସ୍ତେ ଭାବନ୍ତି କିନ୍ତୁ ଆପଣମାନେ କେବେ ଭବିଛନ୍ତି କି ଯେଉଁ କାର୍ଯ୍ୟ ଆପଣଙ୍କୁ ମହତ ମନେ ହେଉଛି ଏହାର ଅନ୍ୟ ଏକ ଦିଗ ରହିଛି। ବିଶ୍ୱସ୍ତରରେ ଦାନ କରାଯାଉଥିବା କୋଟି କୋଟି ଟନ୍ ପୋଷାକ ଶେଷରେ ମରୁଭୂମି କିମ୍ବା ନଦୀ କୂଳରେ ଆବର୍ଜନା ଭାବେ ଜମା ହେଉଛି, ଯାହା ପରିବେଶ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ପରିସ୍ଥିତି ପ୍ରମାଣ କରୁଛି ଯେ କେବଳ ଦାନ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ, ବରଂ ଦାନ କରାଯାଊଥିବା ପୋଷାକର ସଠିକ୍ ପରିଚାଳନା ଏବଂ ବସ୍ତ୍ର ବ୍ୟବହାରକୁ ନେଇ ଆମର ସଚେତନତା ନିହାତି ଆବଶ୍ୟକ।

ଦାନ କରାଯାଉଥିବା ପୋଷାକର ବିଶ୍ୱସ୍ତରୀୟ ଯାତ୍ରା

ସଂଗ୍ରହ ଏବଂ ବର୍ଗୀକରଣ:ବିକଶିତ ଦେଶଗୁଡ଼ିକରେ ପୋଷାକ ଦାନ କରାଯିବା ପରେ ସେଗୁଡ଼ିକୁ ଗୁଣବତ୍ତା ଏବଂ ପୁନର୍ବିକ୍ରୟ ସମ୍ଭାବନା ଆଧାରରେ ବର୍ଗୀକରଣ କରାଯାଏ। ଭଲ ପୋଷାକଗୁଡ଼ିକ ସ୍ଥାନୀୟ ବଜାରରେ କିମ୍ବା ଅନଲାଇନ୍ରେ ବିକ୍ରି ହେଉଥିବା ବେଳେ ଅନ୍ୟଗୁଡ଼ିକୁ ଆନ୍ତର୍ଜାତୀୟ ବଜାରକୁ ରପ୍ତାନି କରାଯାଏ।

ନିମ୍ନମାନର ପୋଷାକ ସାଜୁଛି ଆବର୍ଜନା:ଯଦି ପୋଷାକଗୁଡ଼ିକ ଦାଗ ଲାଗିଥିବା, ଚିରି ଯାଇଥିବା, ପୁରୁଣା ଡିଜାଇନ୍ର କିମ୍ବା ମିଶ୍ରିତ ତନ୍ତୁ (mixed fibres) ରେ ତିଆରି ହୋଇଥାଏ, ତେବେ ସେଗୁଡ଼ିକ ଅନ୍ୟ ଦେଶରେ ପହଞ୍ଚିବା ପରେ ଖୁବ୍ଶୀଘ୍ର ଆବର୍ଜନାରେ ପରିଣତ ହୋଇଯାଏ।

ବିଭିନ୍ନ ଦେଶରେ ଦେଖାଦେଉଥିବା ପରିବେଶ ସଙ୍କଟ

ଚିଲିର ଆଟାକାମା ମରୁଭୂମି:ବାର୍ଷିକ ପ୍ରାୟ ୧,୨୩,୦୦୦ ଟନ୍ ବ୍ୟବହୃତ ପୋଷାକ ଚିଲିରେ ପହଞ୍ଚେ। ଅବିକ୍ରିତ ପୋଷାକକୁ ଆଟାକାମା ମରୁଭୂମିରେ ଫୋପାଡ଼ି ଦିଆଯାଏ। ବର୍ଷା ନହେବା କାରଣରୁ ଏହା ନଷ୍ଟ ନହୋଇ ମାଇକ୍ରୋପ୍ଲାଷ୍ଟିକ୍ ନିର୍ଗତ କରିବା ସହ ମାଟିକୁ ପ୍ରଦୂଷିତ କରୁଛି ଏବଂ ଅଗ୍ନିକାଣ୍ଡର ଭୟ ମଧ୍ୟ ସୃଷ୍ଟି କରୁଛି।

ଇଣ୍ଡୋନେସିଆର ଜଳପଥ ପ୍ରଦୂଷଣ:ଇଣ୍ଡୋନେସିଆରେ ବ୍ୟବହାର ଅନୁପଯୋଗୀ ସିନ୍ଥେଟିକ୍ ପୋଷାକଗୁଡ଼ିକ ମରୁଭୂମି ବଦଳରେ ନଦୀ, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ସମୁଦ୍ର କୂଳରେ ଜମା ହୋଇ ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି।

ଆଫ୍ରିକାରେ ଲାଭ ଏବଂ କ୍ଷତିର ଦ୍ୱନ୍ଦ୍ୱ:ଘାନା ଏବଂ କେନିଆ ଭଳି ଦେଶରେ ପୁରୁଣା ପୋଷାକ ବଜାର ସ୍ଥାନୀୟ ଅର୍ଥନୀତି ଏବଂ ନିଯୁକ୍ତିକୁ ସାହାଯ୍ୟ କରୁଛି। ତେବେ ଖରାପ ମାନର ପୋଷାକ ପହଞ୍ଚିବା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି ଏବଂ ସହରଗୁଡ଼ିକ ଉପରେ ଆବର୍ଜନାର ବୋଝ ବଢ଼ୁଛି।

ସମସ୍ୟା ଘେରରେ ଦାନ ବ୍ୟବସ୍ଥା ଏବଂ ରିସାଇକ୍ଲିଂର ଭ୍ରମ

ଫାଷ୍ଟ ଫ୍ୟାସନର କୁପ୍ରଭାବ:ଆଜିକାଲି ଲୋକେ ଶସ୍ତା ପୋଷାକ କିଣୁଛନ୍ତି ଏବଂ ତାହା ଟିକେ ପୁରୁଣା ହେଲେ ଶୀଘ୍ର ଫୋପାଡ଼ି ଦେଉଛନ୍ତି। ଅନଲାଇନ୍ ସପିଂର ସହଜ ରିଟର୍ଣ୍ଣ ନୀତି କାରଣରୁ ଦାନ ସଂସ୍ଥାଗୁଡ଼ିକ ପାଖରେ ନିଜ ପରିଚାଳନା କ୍ଷମତାଠାରୁ ଅଧିକ ପୋଷାକ ଜମା ହେଉଛି।

ଜଟିଳ ରିସାଇକ୍ଲିଂ ପ୍ରକ୍ରିୟା:ଲୋକଙ୍କ ଧାରଣା ଅଛି ଯେ ପୋଷାକ ସହଜରେ ରିସାଇକେଲ୍ ହୋଇଯାଏ। କିନ୍ତୁ ବାସ୍ତବରେ ମିଶ୍ରିତ ତନ୍ତୁ, ଇଲାଷ୍ଟିକ୍ କିମ୍ବା ଚମକଦାର ଜରି ଲାଗିଥିବା ପୋଷାକର ପୁନର୍ବ୍ୟବହାର ବହୁତ କଷ୍ଟକର ଏବଂ ଏଥିପାଇଁ ବ୍ୟବହୃତ ଜ୍ଞାନକୌଶଳ ବ୍ୟୟବହୁଳ ଅଟେ।

କିଏ ଦାୟୀ ଏବଂ ପ୍ରକୃତ ସମାଧାନ କ'ଣ?

ଉତ୍ପାଦକ ଏବଂ ସରକାରଙ୍କ ନୂଆ ନିୟମ:କେବଳ ଗ୍ରାହକ ନୁହଁନ୍ତି, ଶସ୍ତା ପୋଷାକ ବହୁଳ ମାତ୍ରାରେ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ଏଥିପାଇଁ ଦାୟୀ। ବର୍ତ୍ତମାନ ଚିଲି ଏବଂ ୟୁରୋପୀୟ ସଂଘ (EU) ଭଳି ସ୍ଥାନରେ ଉତ୍ପାଦକମାନଙ୍କୁ ପୋଷାକର ଶେଷ ପରିଣାମ ପାଇଁ ଉତ୍ତରଦାୟୀ କରିବାକୁ 'ଏକ୍ସଟେଣ୍ଡେଡ୍ ପ୍ରୋଡ୍ୟୁସର୍ ରେସପନ୍ସିବିଲିଟି' ନିୟମ ଅଣାଯାଉଛି।

ଗ୍ରାହକଙ୍କ ସକ୍ରିୟ ଭୂମିକା: ଗ୍ରାହକମାନେ କମ୍ ପୋଷାକ କିଣିବା, ଅଧିକ ସମୟ ବ୍ୟବହାର କରିବା, ଛିଣ୍ଡା ପୋଷାକ ମରାମତି କରିବା ଏବଂ କେବଳ ଭଲ ସ୍ଥିତିରେ ଥିବା ପୋଷାକ ହିଁ ଦାନ କରିବା ଏହି ସମସ୍ୟାର ସବୁଠାରୁ ଉତ୍ତମ ସମାଧାନ। ଦାନ ବାକ୍ସ କେବଳ ଅତ୍ୟଧିକ କିଣାକିଣିର କ୍ଷତିପୂରଣ ହୋଇନପାରେ, ଏହା ସଠିକ୍ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍।