ନୂଆଦିଲ୍ଲୀ ୧୫।୯:  ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଉପଯୋଗ କରୁଥିବା ଗ୍ରାହକଙ୍କ ଲାଗି ବଡ଼ ଖବର। ଯଦି ଆପଣ ବି ଫୋନ ପେ, ପେଟିଏମ ଅଥବା ଜି ପେ ଭଳି ଆପସ୍ ଉପଯୋଗ କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ କେତେକ ଜରୁରି ଓ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଅର୍ଥାତ ଏନପିସିଆଇ ବଡ଼ ନେଣଦେଣର ସୀମା ବଢେଇ ଦେଇଛନ୍ତି। ଏହି ନିୟମ ୧୫ ସେପ୍ଟେମ୍ବର ୨୦୨୫ ଅର୍ଥାତ ସୋମବାରଠାରୁ ଦେଶରେ ଲାଗୁ ହୋଇଛି।

ଏବେ ଇନସ୍ୟୁରାନ୍ସ, କ୍ୟାପିଟାଲ ମାର୍କେଟ, ଲୋନ ଇଏମଆଇ ଓ ଟ୍ରାଭେଲ ଭଳି କ୍ୟାଟଗରୀ ପାଇଁ ଗୋଟିଏ ଦିନରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇ ପାରିବ। ତେବେ ଧ୍ୟାନଦେବା ଯୋଗ୍ୟ ଯେଉଁ କଥାଟି ତାହା ହେଉଛି ଏହି ନିୟମ ପର୍ସନ-ଟୁ-ମର୍ଚାଣ୍ଟ (ପିଟୁଏମ)ରେ ଲାଗୁ ହେବ। ଅର୍ଥାତ ବ୍ୟାପାରୀ କିମ୍ବା ସଂସ୍ଥାନଙ୍କୁ ପେମେଣ୍ଟ କରିବାରେ ନୂଆ ଲିମିଟ୍ ଲାଗୁ ହେବ, ହେଲେ ପର୍ସନ-ଟୁ-ପର୍ସନ (ପି ଟୁ ପି) ଅର୍ଥାତ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଇସା ପଠାଇବାର ସୀମା ପୂର୍ବ ଭଳି ଦୈନିକ ୧ଲକ୍ଷ ଟଙ୍କା ରହିବ।

ଏନପିସିଆଇ କହିଛନ୍ତି ଯେ ନୂଆ ଲିମିଟ୍ କେବଳ ପି ଟୁ ଏମ ପେମେଣ୍ଟସ ପାଇଁ ଲାଗୁ ହେବ। ତେବେ ବ୍ୟାଙ୍କ ତାଙ୍କ ରିସ୍କ ପଲିସି ଆଧାରରେ ଲିମିଟ୍ କମ୍ ମଧ୍ୟ କରିପାରନ୍ତି। ଇନସ୍ୟୁରାନ୍ସ ପ୍ରିମିୟମ ଓ କ୍ୟାପିଟାଲ ମାର୍କେଟ ନିବେଶ ସୀମା ୨ଲକ୍ଷରୁ ବଢାଇ ୫ଲକ୍ଷ ଟଙ୍କା କରାଯାଇଛି। ଏହା ଛଡା ୨୪ ଘଣ୍ଟାରେ ଅଧିକତମ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରାଯାଇ ପାରିବ। ସେହିପରି ଯାତ୍ରା କ୍ଷେତ୍ରରେ ଏକା ଥରକେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିହେବ। ପୂର୍ବରୁ ଏହି ଲମିଟ୍ ୧ଲକ୍ଷ ଟଙ୍କା ଥିଲା। ସେହିପରି ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ ପ୍ଲେସ୍ ରେ ଟ୍ୟାକ୍ସ ଓ ଇଏମଡି ପେମେଣ୍ଟସ୍ ମଧ୍ୟ ପ୍ରତି ପେମେଣ୍ଟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇ ପାରିବ ଓ ଦୈନିକ ୧୦ଲକ୍ଷ ଟଙ୍କା ପୈଠ କରିହେବ।

ଲୋନ ଓ ଇଏମଆଇ କଲେକ୍ସନ ନିମନ୍ତେ ଟ୍ରାଞ୍ଜାକ୍ସନ ଲିମିଟ୍ ୫ଲକ୍ଷ ଟଙ୍କା କରାଯାଇଛି। ସେହିପରି ଦୈନିକ ସୀମା ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। କ୍ରେଡିଟ କାର୍ଡ ବିଲପେମେଣ୍ଟସ୍ ଏବେ ଥରକେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ। ସେହିପରି ଦୈନିକ ସୀମା ୬ଲକ୍ଷ ଟଙ୍କା ରଖାଯାଇଛି। ଜ୍ୱେଲରୀ କ୍ରୟ ସୀମାକୁ୧ ଲକ୍ଷରୁ ବଢାଇ ୨ଲକ୍ଷ ଟଙ୍କା କରାଯାଇଛି। ଏ ବାବଦେ ଦୈନିକ ସୀମା ୬ଲକ୍ଷ ଟଙ୍କା ରଖା ଯାଇଛି। ବ୍ୟାଙ୍କିଙ୍ଗ ସର୍ଭିସେସରେ ଟର୍ମ ଡିପୋଜିଟ୍ ନିମନ୍ତେ ଡିଜିଟାଲ ଅନବୋର୍ଡିଂରେ ଏବେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ତେବେ ବିଦେଶୀ ମୁଦ୍ରା ପୈଠ (ବିବିପିଏସ)  ମାଧ୍ୟମରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିହେବ।

୧୫ ସେପ୍ଟେମ୍ବର ଅର୍ଥାତ ସୋମବାରଠାରୁ ହୋଇଥିବା ଏହି ପରିବର୍ତ୍ତନ ନେଇ ଏନପିସିଆଇ କହିଛନ୍ତି ଯେ ୟୁପିଆଇ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଦୈନିକ ଛୋଟ ପେମେଣ୍ଟସରୁ ନେଇ ବଡ଼ ନିବେଶ ଓ ବିଲ ପେମେଣ୍ଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ୟୁପିଆଇ ଉପଯୋଗ ହେଉଛି। ଏଣୁ ବଜାରର ଚାହିଦାକୁ ନଜରରେ ରଖି ବଡ଼ ଲିମିଟ୍ ନିର୍ଦ୍ଧାରଣ କରାଯାଇଛି,ଯାହା ଦ୍ୱାରା ହାଇ ଭାଲ୍ୟୁ ଟ୍ରାଞ୍ଜାକ୍ସନ ବିନା ସମସ୍ୟାରେ ପୁରା ହୋଇ ପାରିବ।