ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଦୁବାଇ ସ୍ଥିତ ଜେବେଲ ଅଲି ଶିଳ୍ପାଞ୍ଚଳରେ ବୁଧବାର ସକାଳେ ୨୦ ମିନିଟ୍ ମଧ୍ୟରେ ୭ ଥର ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଆକାଶକୁ କଳା ଧୂଆଁର ବାଦଲ ଉଠୁଥିବା ଦେଖିବାକୁ ମିଳିଛି।ଏହି ଘଟଣାର ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା କୌଣସି ଆକ୍ରମଣ କିମ୍ବା ଶିଳ୍ପାଞ୍ଚଳ ଦୁର୍ଘଟଣା, ସେ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । 

ଇରାନର ନ୍ୟୁଜ୍ ଏଜେନ୍ସି ଏବଂ ପ୍ରେସ୍ ଟିଭି ଏହି ବିସ୍ଫୋରଣ ସଂପର୍କରେ ସୂଚନା ଦେଇଛି । ଜେବେଲ ଅଲି ନିକଟସ୍ଥ ଅଲ୍ ଫୁରଜାନ୍ ଆବାସିକ ଅଞ୍ଚଳର ବାସିନ୍ଦାମାନେ ଅନ୍ତତଃ ୪ ରୁ ୫ଟି ବିସ୍ଫୋରଣ ଶବ୍ଦ ଶୁଣିଥିବା ପ୍ରକାଶ କରିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି । କେତେକ ଇରାକୀ ମିଡିଆ ଦାବି କରିଛନ୍ତି ଯେ, ୟେମେନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଯୋଗୁଁ ଏହି ବିସ୍ଫୋରଣ ଘଟିଛି। 

ନାସା (NASA) ର ଥର୍ମାଲ ଇମେଜେରୀ ରିପୋର୍ଟ ଅନୁଯାୟୀ, ବନ୍ଦର ନିକଟସ୍ଥ ଏକ ଗୋଦାମରେ ନିଆଁ ଲାଗିଥିଲା, ଯେଉଁଠାରେ ଇନ୍ଧନ ଗଚ୍ଛିତ କରାଯାଉଥିଲା।ତେବେ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ କିମ୍ବା କେତେ ପରିମାଣର କ୍ଷତି ହୋଇଛି, ସେ ନେଇ ସୂଚନା ମିଳିନାହିଁ। ଦୁବାଇର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଜେବେଲ ଅଲି ହେଉଛି ମଧ୍ୟ-ପ୍ରାଚ୍ୟର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ଓ ସାମଗ୍ରୀ ପରିବହନ କେନ୍ଦ୍ର। 

୧୯୮୫ରେ ପ୍ରତିଷ୍ଠିତ ଜେବେଲ ଅଲି ଫ୍ରି ଜୋନରେ ୧୫୦ରୁ ଉର୍ଦ୍ଧ୍ୱ ଦେଶର ୧୧,୦୦୦ରୁ ଅଧିକ କମ୍ପାନୀ ଅଛି । ଏଠାରେ ବୃହତ୍ତମ 'ଜେବେଲ ଅଲି ବନ୍ଦର' ଏବଂ 'ଅଲ୍ ମାକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦର' ରହିଛି, ଯାହା ବିଶ୍ୱ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ପୂର୍ବରୁ ହୋଇଥିବା ଆକ୍ରମଣ ଯୋଗୁଁ UAE ବର୍ତ୍ତମାନ ହାଇ-ଆଲର୍ଟରେ ରହିଛି।