ନୂଆଦିଲ୍ଲୀ,୦୫/୦୮: ହଟିବେ ଅଜିତ ଅଗରକର । ଆଉ ମାସେ ଭିତରେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ବିଦା ହେବେ ଏହି ପୂର୍ବତନ ଖେଳାଳି । ତାଙ୍କ ଜାଗାରେ ଆଉ ଜଣେ ପୂର୍ବତନ ମହାନ ଖେଳାଳିଙ୍କୁ ନିଯୁକ୍ତ କରିବାକୁ ବିସିସିଆଇ ଯୋଜନା କରୁଛି । ଖୁବ୍ ଶୀଘ୍ର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଅଜିତ ଅଗରକରଙ୍କ ଜାଗାରେ ଭିଭିଏସ ଲକ୍ଷ୍ଣଣଙ୍କୁ ଭାରତୀୟ କ୍ରିକେଟ୍ ର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିପାରେ । ସେ ଏବେ ଏନସିଏର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।୨୦୨୬ଜୁନରେ ଅଗରକରଙ୍କ କାର୍ଯ୍ୟକାଳ ସରୁଥିଲା । କିନ୍ତୁ ଏହାକୁ ତିନି ମାସ ବର୍ଧିତ କରାଯାଇଛି । ପୂର୍ବରୁ ତାଙ୍କୁ୨୦୨୭ଦିନିକିଆ ବିଶ୍ୱକପ୍ ଯାଏଁ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ସେ ହଟିବେ ବୋଲି ଚର୍ଚ୍ଚା ହେଉଛି ।

Also Read :- UPI ପେମେଣ୍ଟ୍ ଉପରେ ଲାଗିବ ଚାର୍ଜ୍ ! ସରକାର ଆଣିବେ ନୂଆ ନିୟମ

ଦେଖିବାକୁ ଗଲେ ଗତ କିଛି ମାସ ମଧ୍ୟରେ ସ୍ଥିତି ଅଧିକ ସଙ୍ଗୀନ ହୋଇ ପଡିଛି । ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ ପ୍ରସଙ୍ଗରେ ଅଗରକର ଫସିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ତାଙ୍କର ଶେଷ ସିରିଜ୍ବୋଲି ବିସିସିଆଇ କହିସାରିଥିଲା । ହେଲେ ହିଟମ୍ୟାନ୍ ଲର୍ଡସରେ ଶତକ ମାରି ସମସ୍ତଙ୍କୁ ଚୁପ୍ କରାଇଥିଲେ । ପରିସ୍ଥିତି ଏପରି ଥିଲା ଯେ ବିସିସିଆଇ ସଚିବ ଦେବଜିତ ସାଇକିୟା ନିଜେ ରୋହିତଙ୍କ ଏହା ଶେଷ ଦିନିକିଆ ନୁହେଁ ସେ ଖେଳ ଜାରି ରଖିବେ ବୋଲି କହିଥିଲେ ।

ଚର୍ଚ୍ଚା ହେଉଛି ଯେ, ଭାରତୀୟ ଦଳର ମ୍ୟାନେଜମେଣ୍ଟ ସମ୍ଭାଳୁଥିବା କିଛି ବ୍ୟକ୍ତି ରୋହିତ୨୦୨୭ବିଶ୍ୱକପ୍ ଖେଳନ୍ତୁ ବୋଲି ଚାହୁଁ ନାହାଁନ୍ତି । ଅନ୍ୟ ଦିଗରେ ଭାରତ ଲଗାତାର ଟି୨୦ଏବଂ ଦିନିକିଆ ସିରିଜ୍ ହାରୁଛି । ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଟି୨୦ରେ କ୍ଲିନ୍ ସୁଇପ୍ ହୋଇଛି । ଯାହାକୁ ନେଇ ବିସିସିଆଇ ଖୁସି ନାହିଁ । ବୋର୍ଡ ଏବାବଦରେ ଖୁବ୍ ଶୀଘ୍ର ଏକ ବୈଠକ କରିବ । ଯେଉଁଥିରେ ଖେଳାଳିଙ୍କ ସମୀକ୍ଷା କରାଯିବା ନେଇ ସୂଚନା ମିଳିଛି ।