ୱାସିଂଟନ: ମାସାଚୁସେଟସ୍ ଗଭର୍ଣ୍ଣର ମୌରା ହିଲି ରାଜ୍ୟରେ ଭାରତୀୟ ସମୂଦାୟଙ୍କ ଯୋଗଦାନକୁ ନଜରରେ ରଖି ଅଗଷ୍ଟ ୧୫ ତାରିଖକୁ ‘ଇଣ୍ଡିଆ ଡେ’ ଘୋଷଣା କରିଛନ୍ତି। ଏହା ସହିତ ସେଦିନ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାରତୀୟ ବହୁସଂଖ୍ୟାରେ ଯୋଗଦାନ କରନ୍ତୁ ବୋଲି ସେ ଆଗ୍ରହ କରିଛନ୍ତି। ଏକ ଘୋଷଣାରେ ଗଭର୍ଣ୍ଣର ସାମୂଦାୟିକ ସଙ୍ଗଠନ ଓ ସମର୍ଥକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ ଏହି ସଙ୍ଗଠନ ପ୍ରତିବର୍ଷ ସ୍ୱାଧୀନତା ଦିବସ ସମାରୋହ ଏବଂ ସାମୂଦାୟିକ ସେବା ମାଧ୍ୟମରେ ଲୋକଙ୍କ ଭାଗିଦାରୀ, ସାମାଜିକ ଓ ସାଂସ୍କୃତିକ ଆଦାନପ୍ରଦାନ ଓ ପାରସ୍ପରିକ ବୋଧକୁ ପ୍ରୋତ୍ସାହିତ କରି ଆସୁଛି।

ତେବେ କେବଳ ମାସାଚୁସେଟ୍ ନୁହେଁ ବୋଷ୍ଟନ ମେୟର ମିସେଲ ୱୁ ମଧ୍ୟ ଏହି ଭଳି ଏକ ଘୋଷଣାରେ ୧୫ ଅଗଷ୍ଟକୁ ‘ଇଣ୍ଡିଆ ଡେ’ ଘୋଷଣା କରିଛନ୍ତି। ଏହି ଅବସରରେ ସେ ବୋଷ୍ଟନରେ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲାଯିବା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସେଲବୋଷ୍ଟନ-୨୫୦ କାର୍ଯ୍ୟକ୍ରମରେ ଆଇଏନଏସ ସୁଦର୍ଶନୀର ଆଗମନକୁ ନେଇ ଉତ୍ସବ ପାଳନ କରିଛନ୍ତି। ଭାରତର ପ୍ରବାସୀ ସମୂଦାୟ ବିଶ୍ୱରେ ସର୍ବ ବୃହତ୍ତ। ଯେଉଁଥିରେ ମୂଳ ଭାରତୀୟଙ୍କ ସଂଖ୍ୟା ପାଖାପାଖି ୩.୬ କୋଟିରୁ ବି ଅଧିକ ଯେଉଁମାନେ ବିଦେଶରେ ବସବାସ କରୁଛନ୍ତି।

କେବଳ ଆମେରିକାରେ ୫୦ଲକ୍ଷରୁ ଅଧିକ ଭାରତୀୟ ବସବାସ କରୁଛନ୍ତି, ଯାହା ଦେଶ, ସମୂଦାୟର ସାମାଜିକ, ଆର୍ଥିକ ଓ ନାଗରିକ ସ୍ଥିତିରେ ବଡ଼ ଯୋଗଦାନ ଦେଉଛି। ମାସାଚୁସେଟସ୍ ରେ ଭାରତୀୟ ମାନେ ଚିକିତ୍ସା, ବିଜ୍ଞାନ, ଟେକ୍ନୋଲଜି, ଶିକ୍ଷା, ବାଣିଜ୍ୟ ଓ ଜନସେବା ଆଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଏମାନଙ୍କ ଦ୍ୱାରା ରାଜ୍ୟର ସାମାଜିକ ଓ ଆର୍ଥିକ ସ୍ଥିତି ମଧ୍ୟ ସମୃଦ୍ଧ ହେଉଛି।