କଟକ ୦୬/୧୨: ବାରବାଟୀ ଟି-୨୦ ପାଇଁ କାଉଣ୍ଟଡାଉନ । ଡିସେମ୍ୱର ୯ରେ ଖେଳାଯିବ ମ୍ୟାଚ୍ । ତେବେ ଗତକାଲି ଥିଲା ଅଫ୍ଲାଇନ୍ ଟିକେଟ ବିକ୍ରି । ଟିକେଟ କିଣିବାକୁ ଚାଲିଥିଲା କସରତ । ପ୍ରବଳ ଭିଡ଼ରେ କିଣାହୋଇଥିଲା ଟିକେଟ । ଠେଲାପେଲା ସହ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ପୋଲିସ । ହେଲେ ହଜାର ହଜାର ଦର୍ଶକଙ୍କ ଭିତରେ ଚର୍ଚ୍ଚା ସାଉଁଟିଥିଲେ ଜଣେ ବ୍ୟକ୍ତି । ଏମିତି ଜଣେ ଯୁବକ ହେଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ନୂଆବନ୍ଧ ଗ୍ରାମର ବିଦ୍ୟାଧର ଦାସ ।

ଦିବ୍ୟାଙ୍ଗ ଦିବ୍ୟାଧରଙ୍କ ଗୋଟେ ଗୋଡ଼ ନାହିଁ । ତଥାପି ୧୫ ଘଣ୍ଟା କାଳ ଛିଡା ହୋଇ କିଣିଲେ ଟିକେଟ । କାନ୍ଧରେ ଆଶା ବାଡ଼ି ଦୀର୍ଘସମୟ ଧରି ଛିଡ଼ା ହୋଇ ଟିକେଟ ପାଇଥିଲେ ।ତେବେ ଏଠି ରଖୁଯେ, ବିଦ୍ୟାଧର କେବଳ ଯେ କ୍ରୀଡା ପ୍ରେମୀ ନଥିଲେ ଦିନେ କ୍ରିକେଟର ବି ଥିଲେ । ପିଲାବେଳେ ଗାଁରେ କ୍ରିକେଟ ଖେଳୁଥିଲେ ବିଦ୍ୟାଧର । କିନ୍ତୁ ଆଣ୍ଠୁରେ ବଲ୍ ବାଜିବା ପରେ ରକ୍ତ ଜମାଟ ବାନ୍ଧି ତାହା ଧୀରେ ଧୀରେ ସଂକ୍ରମିତ ହୋଇଥିଲା । ଠିକ୍ ସମୟରେ ଚିକିତ୍ସା କରାଇ ନପାରିବା ଯୋଗୁଁ ବାଧ୍ୟ ହୋଇ ଅପରେସନ୍ କରିବାକୁ ପଡିଲା ।

କିନ୍ତୁ ସେତେବେଳକୁ ଗୋଡ଼ରେ କ୍ୟାନ୍ସର୍ ଚିହ୍ନଟ କରାଯାଇଥିଲା । ଶେଷରେ ତାଙ୍କ ବାମ ଗୋଡ଼କୁ ଆଣ୍ଠୁ ପାଖରୁ କାଟିବାକୁ ପଡିଥିଲା । ଗୋଡ଼ କଟା ଯିବାର ୧୧ ବର୍ଷ ବିତିଲାଣି । କ୍ରିକେଟ ଖେଳାଳି ଭାବେ ନିଜ ସ୍ୱପ୍ନକୁ ସାର୍ଥକ କରିପାରିନଥିବା ବିଦ୍ୟାଧରଙ୍କ ଭିତରେ କ୍ରିକେଟ ଦେଖିବାର ଉତ୍ସାହ ସ୍ପଷ୍ଟ ବାରି ହୋଇପଡିଛି । ବାରବାଟୀ ଷ୍ଟାଡିୟମ୍ରେ କ୍ରିକେଟ ଦେଖିବାକୁ ଗତକାଲି ଦିନ ୫ଟାରୁ ସେ କଟକରେ ପହଞ୍ଚି ଷ୍ଟାଡିୟମ୍ ପାଖ କାଉଣ୍ଟରରେ ଟିକେଟ ନେବାକୁ ଅପେକ୍ଷା କରିଥିଲେ ।

ରାତି ସାରା କିଛି ନଖାଇ, ନପିଇ ଧାଡ଼ିରେ ଗୋଟେ ଗୋଡ଼ରେ ଛିଡ଼ା ହୋଇଥିଲେ । ଶେଷରେ ଦିନ ୧୨ଟା ବେଳକୁ ତାଙ୍କୁ ଦୁଇଖଣ୍ଡ ଗ୍ୟାଲେରୀ ଟିକେଟ ମିଳିଛି । ନିଜ ପ୍ରିୟ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବଙ୍କ ଭଳି କ୍ରିକେଟରଙ୍କୁ ଦେଖିବାକୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।