ନୂଆଦିଲ୍ଲୀ: ଲେବାନନରେ ଜାରି ହିଂସା ମଧ୍ୟରେ ଲକ୍ଷାଧିକ ପିଲାଙ୍କ ଜୀବନ ଏବେ ବାଜିରେ ଲାଗିଛି । ହିଂସା ଯୋଗୁ ପିଲାଙ୍କ ଗମ୍ଭୀର ମାନସିକ ସ୍ଥିତି ଆଡ଼କୁ ଦୁନିଆର ଦୃଷ୍ଟି ଆକର୍ଷଣ କରିଛି ୟୁନିସେଫ୍ । ଦାବି କରାଯାଇଛି ଯେ ହିଂସା ଓ ବଡ଼ ଧରଣର ବିସ୍ଥାପନ ଯୋଗୁ ପ୍ରାୟ ୭.୭ ଲକ୍ଷ ପିଲା ମାନସିକ ଚାପଗ୍ରସ୍ତ ହୋଇଛନ୍ତି ।

ୟୁନିସେଫ୍ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଗତ ସାତ ଦିନରେ ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇଛି । ଏପ୍ରିଲ୍ ୧୭ରେ ଯୁଦ୍ଧବିରତି ଘୋଷଣା ହେବା ସତ୍ତ୍ୱେ ପ୍ରାୟ ୫୯ ପିଲାଙ୍କ ମୃତ୍ୟୁ କିମ୍ୱା ଆହତ ନେଇ ରିପୋର୍ଟ ସାମନାକୁ ଆସିଛି ।

ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାଟା ଅନୁସାରେ, ଯୁଦ୍ଧବିରତି ପରେ ଏବେ ସୁଦ୍ଧା ୨୩ ପିଲାଙ୍କ ମୃତ୍ୟୁ ହୋଇସାରିଛି ଓ ୯୩ ଜଣ ଆହତ ହୋଇଛନ୍ତି । ମାର୍ଚ୍ଚ ୨ରୁ ଏବେ ସୁଦ୍ଧା ମୋଟ ୨୦୦ ପିଲାଙ୍କ ଜୀବନ ଯାଇଛି ଓ ୮୦୬ ଜଣଙ୍କ ପିଲା ଆହତ ହୋଇଛନ୍ତି । ଏହାର ଅର୍ଥ ପ୍ରତି ଦିନ ହାରାହାରି ୧୪ ପିଲାଙ୍କ ମୃତ୍ୟୁ କମ୍ୱା ଆହତ ହେଉଛନ୍ତି, ଯାହା ସ୍ଥିତିର ଭୟାବହତାକୁ ଦର୍ଶାଉଛି ।

ୟୁନିସେଫ୍ କହିଛି, ପିଲାମାନେ ଲଗାତାର ହିଂସା, ନିଜ ଖାଦ୍ୟ ଏବଂ ବାରମ୍ୱାର ଘର ଛାଡ଼ିବା ପରି ବାଧ୍ୟତାମୂଳକ ସ୍ଥିତିର ସାମନା କରୁଛନ୍ତି । ଏହାଦ୍ୱାରା ସେମାନଙ୍କୁ ମାନସିକ ସ୍ତରରେ ବଡ଼ ପ୍ରଭାବ ପଡ଼ୁଛି, ଯାହା ଆଗାମୀ ଅନେକ ବର୍ଷ ଯାଏ ତାଙ୍କ ମନରେ ରହିପାରେ ।

ରିପୋର୍ଟରେ କୁହାଯାଇଛି, ପିଲାମାନେ ଏବଂ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଗମ୍ଭୀର ମାନସିକ ଚାପ ରହିଛି । ଅବଶାଦ ସହ ଜଡ଼ିତ ଲକ୍ଷଣ ସାମନାକୁ ଆସିଛି । ଏଥିରେ ଅତ୍ୟଧିତ ଭୟ, ଚିନ୍ତା, ଦୁଃସ୍ୱପ୍ନ, ନିଦ ନଆସିବା ଏବଂ ଭବିଷ୍ୟତକୁ ନେଇ ନିରାଶ ପରି ସମସ୍ୟା ସାମିଲ ରହିଛି । ୟୁନିସେଫ୍ କହିଛି, ଲଗାତାର ଜାରି ହିଂସା ଓ ଅସ୍ଥିରତା ଏହି ପ୍ରଭାବକୁ ଅଧିକ ଗଭୀର କରିଛି । ପିଲାମାନଙ୍କୁ ଏହି ସମସ୍ୟାକୁ ବାହାରିବା ପାଇଁ ସମୟ ମିଳିପାରୁ ନାହିଁ ।