ମୁମ୍ବାଇ ୪।୯: ଦୀର୍ଘ ବର୍ଷ ପରେ ଅଣ୍ଡରୱାର୍ଲଡ ଡନ ଅଋଣ ଗୱଲୀ ମୁମ୍ବାଇ ଫେରିଛି। ଖାସ କରି ମୁମ୍ବାଇରେ ଗଣପତି ଉତ୍ସବ କାଳରେ ତାକୁ ଜେଲରୁ ମୁକ୍ତି ମିଳିବା ତା ପରିବାରରେ ଖୁସିର ଲହର ଖେଳି ଯାଇଛି। ଅଣ୍ଡରୱାର୍ଲଡ ଡନ ଅଋଣ ଗୱଲୀ ଓରଫ ଡାଡି ୧୭ ବର୍ଷ ପରେ ନାଗପୁର ଜେଲରୁ ମୁକ୍ତ ହୋଇଛି। ନିକଟରେ ସୁପ୍ରିମକୋର୍ଟ ତାକୁ ଜାମିନ ପ୍ରଦାନ କରିଛନ୍ତି। ଶିବେସନା ନେତା କମଲାକର ଆମସାଣ୍ଡେକର ହତ୍ୟା ମାମଲାରେ ଗୱଲୀକୁ ୨୦୦୭ ମସିହାରେ ଗିରଫ କରାଯାଇଥିଲା।

ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ବୁଧବାର ଗୱଲୀ ନଗାପୁର ଜେଲରୁ ବାହାରକୁ ବାହାରିଥିବା ବେଳେ ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ବିମାନ ବନ୍ଦର ପହଞ୍ଚାଇଥିଲା। ସେଠାରୁ ସେ ମୁମ୍ବାଇ ଆସିଛି। ଅଋଣ ଗୱାଲୀ ୨୦୦୪ ମସିହାରେ ମୁମ୍ବାଇର ଏକ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲା। ସେ ମୁମ୍ବାଇ ଶିବସେନା କାଉଁନସିଲ କମଲାକର ଆମସାଣ୍ଡେକର ହତ୍ୟା ମାମଲାରେ ନାଗପୁର ଜେଲରେ ଆଜୀବନ କାରାଦଣ୍ଡରେ ଦଣ୍ଡ ଭୋଗୁଥିଲା।

ମୁମ୍ବାଇ ସେସନସ୍ କୋର୍ଟ ଗୱାଲୀକୁ ୨୦୧୨ ମସିହାରେ କମଲାକର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଣୁ ତାକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ନାଗପୁର ଜେଲ ସିଫ୍ଟ ହୋଇଥିଲା। ଗିରଫ ହେବା ପରେ ଗୱାଲୀ ସମୟସମୟରେ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିଲା। ସେସନସ କୋର୍ଟ ରାୟକୁ ସେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ତେବେ ୨୦୧୯ରେ ହାଇକୋର୍ଟ ନିମ୍ନ କୋର୍ଟଙ୍କ ରାୟକୁ କାୟମ ରଖିଥିଲେ।

ଗୱାଲୀ ପକ୍ଷରୁ ଜାମିନ ପାଇଁ ବାରମ୍ବାର କୋର୍ଟରେ ନିବେଦନ ଦାଖଲ ହେଉଥିଲା। ଶେଷରେ ସେ ଜାମିନ ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାକୁ ଜାମିନ ମିଳିଯାଇଛି। ସୁପ୍ରିମକୋର୍ଟ ଅଗଷ୍ଟ ୨୮ ତାରିଖରେ ଶିବସେନା ନେତା ହତ୍ୟା ମାମଲାରେ ଜାମିନ ମଞ୍ଜୁର କରିଥିଲେ। ୭୩ ବର୍ଷ ବୟଷ୍କ ଗୱଲୀର ଦଣ୍ଡ ଅବଧି (୧୮ ବର୍ଷ)କୁ ନଜରରେ ରଖି ତାକୁ ଜାମିନ ମଞ୍ଜୁର କରିଛନ୍ତି।