ଲଣ୍ଡନ: ୟୁକ୍ରେନର ମାର୍ଟା କୋସ୍ତୟୁକ ତାଙ୍କ କ୍ୟାରିୟରରେ ପ୍ରଥମ ଥର ୱିମ୍ବଲଡନ ସେମିଫାଇନାଲକୁ ପହଞ୍ଚିଛନ୍ତି। କୋସ୍ତୟୁକ୍ ବୁଧବାର ସେଣ୍ଟର କୋର୍ଟରେ ଇଟାଲୀର ଜସ୍ମିନ ପାଓଲିନୀଙ୍କ ବିପକ୍ଷରେ ୬-୩,୬-୨ରେ ଜିତି ଲଗାତାର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ପାଖାପାଖି ୧ଘଣ୍ଟା ୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱାଦଶ ବରିଷ୍ଠତାପ୍ରାପ୍ତ ଖେଳାଳି ଗତବର୍ଷର ରନରଅପଙ୍କ ଉପରେ ବିଜୟ ହାସଲ କରି ଡବ୍ଲୁଟିଏ ଟୁରରେ ତାଙ୍କର ପିଛିଲା ୨୨ଟି ମ୍ୟାଚରୁ ୨୧ଟିରେ ବିଜୟର ରେକର୍ଡ ସୃଷ୍ଟି କରିଛନ୍ତି।

କୋସ୍ତୟୁକଙ୍କୁ ଏହି ବିଜୟ ଫ୍ରେଞ୍ଚ ଓପନ ୨୦୨୬ରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବା ପରେ ମିଳିଛି। ପ୍ରଥମ ଥର ସେଣ୍ଟର କୋର୍ଟରେ ଖେଳି କୋସ୍ତୟୁକ୍ ବେଶ୍ ଆକ୍ରମକତା ପ୍ରଦର୍ଶନ କରିଛନ୍ତି। ଫଳରେ ସେ ପାଓଲିନୀଙ୍କୁ ଲଗାତାର ଚାପରେ ରଖି ପାରିଥିଲେ। ପାଓଲିନୀଙ୍କୁ ପ୍ରାରମ୍ଭିକ ସେଟ୍ ରେ ବେଶ୍ ସଂଘର୍ଷ କରିବାକୁ ପଡିଥିଲା ଓ ସେ ୧୫ ଅନଫୋର୍ସଡ ଏରର କରିଥିଲେ। ଏଣୁ ମ୍ୟାଚ୍ କୋସ୍ତୟୁକଙ୍କ ସପକ୍ଷକୁ ଆସିଯାଇଥିଲା। ମ୍ୟାଚ୍ ର ଗୁରୁତ୍ୱପୂର୍ଣ୍ଣ ମୋଡ ପଞ୍ଚମ ଗେମରେ ଆସିଥିଲା। ୟୁକ୍ରେନ ଖେଳାଳି ଦ୍ୱିତୀୟ ସର୍ଭିସରେ ଫୋରହ୍ୟାଣ୍ଡ ରିଟର୍ଣ୍ଣ ୱିନର ଲଗାଇ ଗୁରୁତ୍ୱପୂର୍ଣ୍ଣ ବ୍ରେକ୍ ହାସଲ କରିଥିଲେ।

ଏହା ପରଠାରୁ ମାର୍ଟା କୋସ୍ତୟୁକ୍ ଆତ୍ମବିଶ୍ୱାସର ସହ ଖେଳିଥିଲେ ଇଟାଲୀୟ ଖେଳାଳିଙ୍କୁ ଆଦୌ ସୁଯୋଗ ଦେଇ ନଥିଲେ। କୋସ୍ତୟୁକ୍ ଦ୍ୱିତୀୟ ସେଟ୍ ରେ ମଧ୍ୟ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଥିଲେ। ସେ ତାଙ୍କର ଦମଦାର ବେସ୍ ଲାଇନ ଗେମ୍ ଓ ସଠିକ୍ ରିଟର୍ଣ୍ଣକୁ ଉପଯୋଗ କରି ମାତ୍ର ୬୯ ମିନିଟ୍ ରେ ବିଜୟୀ ହୋଇ ଅଲ ଇଂଲଣ୍ଡ କ୍ଲବରେ ପ୍ରଥମ ଥର ଚୂଡ଼ାନ୍ତ ୪ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଆଗାମୀ ମ୍ୟାଚ୍ ରେ ମାର୍ଟା କୋସ୍ତୟୁକ୍ ଚେକ୍ ଗଣରାଜ୍ୟର ନବମ ବରିଷ୍ଠତା ପ୍ରାପ୍ତ ଖେଳାଳି ଲିଣ୍ଡା ନସ୍କୋଭା ଅଥବା ବେଲଜିୟମର ୨୫ତମ ବରିଷ୍ଠତା ପ୍ରାପ୍ତ ଖେଳାଳି ଏଲିସ୍ ମର୍ଟେସଙ୍କ ସହ ହୋଇପାରେ।