ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ତେଲ ବଜାରରେ ହାହାକାର ସ୍ଥିତି ରହିଛି । ଅନେକ ଦେଶରେ ଇନ୍ଧନ ସଂକଟ ଉତ୍କଟ ରୂପ ନେଲାଣି । ଏପରି ସ୍ଥିତିରେ ବୈଶ୍ୱିକ ସ୍ତରରେ ନୂତନ ସମୀକରଣ ମଧ୍ୟ ତିଆରି ହେଉଛି । ସାରା ଦୁନିଆକୁ ଆଦର୍ଶର ଜ୍ଞାନ ଦେଉଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ବି ବାସ୍ତବିକତା ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛନ୍ତି । ଏହି କ୍ରମରେ ବ୍ରିଟେନ ଏବେ ଭାରତରୁ ପ୍ରକ୍ରିୟାକୃତ ରୁଷ ତୈଳ ଆମଦାନୀ କରିବ ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ବ୍ରିଟିଶ ସରକାର ରୁଷ ତେଲ ଉପରେ ଲଗାଇଥିବା କଟକଣାକୁ ଅନେକ ମାତ୍ରାରେ କୋହଳ କରିଛନ୍ତି । ବ୍ରିଟେନ ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ନୂଆ ଜେନେରାଲ୍ ଲାଇସେନ୍ସ ଜାରି କରିଛି । ଏହା ଅଧିନରେ ଭାରତ ଓ ତୁର୍କୀ ବିଶୋଧନାଗାରରେ ରୁଷ ଅଶୋଧିତ ତୈଳରୁ ପ୍ରସ୍ତୁତ ଡିଜେଲ୍ ଓ ଜେଟ୍ ଇଞ୍ଜିନ ଆମଦାନୀକୁ ବୈଧ ଘୋଷଣା କରାଯାଇଛି । ଏହି ନୂଆ ନିୟମ ଆଜିଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଛି ।

କାହିଁକି ନଇଁଲା ବ୍ରିଟେନ

ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧ ପରେ ରୁଷର ଅର୍ଥବ୍ୟବସ୍ଥାକୁ ଆଘାତ ଦେବା ଉଦ୍ଦେଶ୍ୟରେ ତାର ତେଲ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲା । କିନ୍ତୁ ବର୍ତ୍ତମାନର ଯୁଦ୍ଧ ସ୍ଥିତି ସବୁ କିଛି ବଦଳାଇ ଦେଇଛି ଓ ବ୍ରିଟେନକୁ ୟୁ-ଟର୍ଣ୍ଣ ନେବା ପାଇଁ ବାଧ୍ୟ କରିଛି । ଇରାନ ଯୁଦ୍ଧ କାରଣରୁ ଗୋଲ୍ଫ ଦେଶଗୁଡ଼ିକରୁ ହେବାକୁ ତେଲ ଓ ଇନ୍ଧନର ଯୋଗାଣ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଏହା ପୂର୍ବରୁ ୟୁରୋପ ନିଜ ଆବଶ୍ୟକତାର ବଡ଼ ଅଂଶ ପାଇଁ ମଧ୍ୟପ୍ରାଚ୍ୟର ବିଶୋଧନାଗାର ଉପରେ ନିର୍ଭର ଥିଲା, ଯାହା ଏବେ ଯୁଦ୍ଧ ଯୋଗୁ ଅକ୍ଷମ ପ୍ରାୟ ।

ଭାରତର ନୀତି ପୁଣି ଜିତିଲା

ବ୍ରିଟେନର ଏହି ପଦକ୍ଷେପ ବୈଶ୍ୱିକ ମଞ୍ଚରେ ଭାରତର କୂଟନୀତିକୁ ପୁଣି ଥରେ ସଠିକ୍ ପ୍ରମାଣିତ କରିଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପଶ୍ଚିମ ଦେଶଗୁଡ଼ିକ ରୁଷଠାରୁ ଦୂରତା ବଢାଇଥିଲେ । ଅନ୍ୟପଟେ ଭାରତ ନିଜ ରାଷ୍ଟ୍ରୀୟ ହିତକୁ ସର୍ବୋପରି ରଖି ରୁଷ ତେଲର ସବୁଠାରୁ ବଡ଼ କ୍ରେତା ଓ ପ୍ରୋସେସର ପାଲଟିଥିଲା । କଟକଣା ଯୋଗୁ ଗତ ଜାନୁଆରୀରୁ ବ୍ରିଟେନ ଭାରତଠାରୁ ଡିଜେଲ୍ ଏବଂ ଜେଟ୍ ଇନ୍ଧନ ଆମଦାନୀ କରି ନ ଥିଲା । କିନ୍ତୁ ଏବେ ବିଶୋଧିତ ତୈଳ ନେବାକୁ ଭାରତ ଆଗରେ ହାତ ପତାଇଛି ।