ନୂଆଦିଲ୍ଲୀ: ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ରେ ପୁଣି ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆବୁଧାବି ସ୍ଥିତ ‘ବରାକାହ ଆଣବିକ ଶକ୍ତି ପ୍ରକଳ୍ପ’ (Barakah Nuclear Power Plant) ବାହାରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିବା ବେଳେ, ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ତଦନ୍ତ ଏବଂ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଇରାନ ଡ୍ରୋନ୍ ବ୍ୟବହାର କରାଯାଇଛି।

ଆବୁଧାବି ମିଡିଆ ଅଫିସ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁସାରେ, ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ଭିତରେ ଥିବା ଏକ ବୈଦ୍ୟୁତିକ ଜେନେରେଟରରେ (Electrical Generator) ନିଆଁ ଲାଗିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ପ୍ଲାଣ୍ଟର ମୁଖ୍ୟ ଅଂଶରେ ନୁହେଁ, ବରଂ ବାହ୍ୟ ସୁରକ୍ଷା ପାଚେରୀ ନିକଟରେ ଘଟିଥିଲା।

ପ୍ରକଳ୍ପ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଏହି ଆକ୍ରମଣ ଯୋଗୁଁ ଆଣବିକ କେନ୍ଦ୍ରର ମୁଖ୍ୟ ରିଆକ୍ଟର ବା ପରମାଣୁ ସୁରକ୍ଷା ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆକ୍ରମଣ ପରେ କୌଣସି ପ୍ରକାରର ପରମାଣୁ ବିକିରଣ (Radiation) ର ବିପଦ ନାହିଁ ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସୌଭାଗ୍ୟବଶତଃ ଏହି ବଡ଼ ଧରଣର ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ କେହି ମୃତାହତ କିମ୍ବା ଆହତ ହୋଇନାହାନ୍ତି।

ବରାକାହ ପ୍ଲାଣ୍ଟ ଆରବ ଜଗତର ପ୍ରଥମ ବାଣିଜ୍ୟିକ ଆଣବିକ ଶକ୍ତି ପ୍ରକଳ୍ପ ହୋଇଥିବାରୁ ଏହା ଉପରେ ହୋଇଥିବା ଆକ୍ରମଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଉଛି। ଇରାନ ନିର୍ମିତ ଡ୍ରୋନର ବ୍ୟବହାର ଯୋଗୁଁ ଆଗାମୀ ଦିନରେ ୟୁଏଇ ଏବଂ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କୂଟନୈତିକ ତଥା ସାମରିକ ଉତ୍ତେଜନା ଆହୁରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଘଟଣାର ଅଧିକ ଯାଞ୍ଚ ଚଳାଇଛନ୍ତି ଏବଂ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି।