ଭୁବନେଶ୍ବର ୨୦।୫: ସମ୍ବଲପୁର କୋର୍ଟ ମୋଟୁ ପତଲୁ ଗ୍ୟାଙ୍ଗର ବିଚାର କରି ରାୟ ଶୁଣାଇଛନ୍ତି । ଏହି ଗ୍ୟାଙ୍ଗ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବ୍ୟତୀତ ଅନ୍ୟ ୫ ରାଜ୍ୟ ପୋଲିସର ନିଦ ହଜାଇ ଦେଇଥିଲେ । ତେବେ ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅଞ୍ଚଳରେ ଘଟିଥିବା ଏକ ବଡ଼ଧରଣର ସିନ୍ଧିଚୋରି ମାମଲାରେ ଅଦାଲତ ଦୁଇ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୁଖ୍ୟାତ "ମୋଟୁ ପତଲୁ ଗ୍ୟାଙ୍ଗ"ର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅଖଲାକ ଏବଂ ତାର ସହଯୋଗୀ ଶୋବି ଓରଫ ୱାସିମ ଓରଫ ଜୁବେରକୁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୩୧(୩)/୩୦୫/୩(୫) ଅନୁଯାୟୀ କୋର୍ଟ ୬ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସମ୍ବଲପୁର ପୋଲିସର ତଦନ୍ତ ଯୋଗୁଁ ଏହି ସଫଳତା ମିଳିପାରିଛି ।

ସୂଚନା ଅନୁସାରେ, ଗତ ୨୫ ସେପ୍ଟେମ୍ବର ୨୦୨୪ ରିଖ ଦିନ ପ୍ରାୟ ମଧ୍ୟାହ୍ନ ମଧ୍ୟରେ ବୁର୍ଲାର ଜ୍ଞାନ ବିହାର ସ୍ଥିତ ବ୍ଲୁବେଲ୍ ଭିଲ୍ଲାର ବାସିନ୍ଦା ସୁଖମୟ ସରକାରଙ୍କ ଘରୁ ଦିନ ଦ୍ଵିପ୍ରହରରେ କେହି ଦୁର୍ବୃତ୍ତ ନକଲି ଚାବି ସାହାଯ୍ୟରେ ଘର ପଶି ପ୍ରଚୁର ସୁନା ଗହଣା (ମଙ୍ଗଳସୂତ୍ର, ୬ଟି ସୁନା ଚେନ୍, ୧୧ ହଳ କାନଫୁଲ, ଲକେଟ୍, ବାଲା) ଏବଂ ନଗଦ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ଏ ସମ୍ପର୍କରେ ବୁର୍ଲା ଥାନାରେ କେସ୍ ନଂ ୪୪୭/୨୦୨୪ ରୁଜୁ ହୋଇଥିଲା । ମାମଲା ରୁଜୁ କରି ପୋଲିସ ତଦନ୍ତ ସମୟରେ ଏହି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗର ସନ୍ଧାନ ପାଇଥିଲା ।

Also Read:-Bhadrak Wife Missing: ଟଙ୍କା ଡିପୋଜିଟ୍ କରିବାକୁ ଯାଇ ଆଉ ଫେରିଲେନି ୩ ଛୁଆର ମା’, ଏବେ ଥାନାରେ ସ୍ୱାମୀ

ଗ୍ୟାଙ୍ଗର ଅପରେସନ୍ ଶୈଳୀ:

ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଅତ୍ୟନ୍ତ ସଂଗଠିତ ଭାବେ ଦିନବେଳେ ବନ୍ଦ ଥିବା ଘରଗୁଡ଼ିକୁ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ନକଲି ଚାବି ବ୍ୟବହାର କରି ଚୋରି କରୁଥିଲେ । ସେମାନେ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ସମେତ ଦେଶର ପ୍ରାୟ ୫ରୁ ଅଧିକ ରାଜ୍ୟରେ ଏଭଳି ଅନେକ ଚୋରି ମାମଲାରେ ସଂପୃକ୍ତ ଥିଲେ । ସମ୍ବଲପୁର ପୋଲିସ ଉତ୍ତରପ୍ରଦେଶର ମିରଟରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ପୋଲିସକୁ କିଭଳି ଦେଉଥିଲେ ଚକ୍‌ମା:

ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅଖଲାକ ୨୦ ବର୍ଷ ଧରି ଗିରଫଦାରୀରୁ ବଞ୍ଚି ଆସୁଥିଲା । ତା ନାମରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ପୋଲିସ ଉପରକୁ ଆକ୍ରମଣ ଭଳି ୪୦ ରୁ ଅଧିକ ସଙ୍ଗୀନ ମାମଲା ରହିଛି । ଅଭିଯୁକ୍ତ ଜଣକ ୧୯୯୬ ମସିହାରୁ ଅପରାଧ ଜଗତରେ ସକ୍ରିୟ ଥିଲା ଏବଂ ଗତ ୨୦୦୬ ମସିହା ପରଠାରୁ ଦୀର୍ଘ ୨୦ ବର୍ଷ ହେବ ପୋଲିସ ଆଖିରେ ଧୂଳି ଦେଇ ଗିରଫଦାରୀରୁ ବଞ୍ଚି ବୁଲୁଥିଲା । ଅନେକ ମାମଲାରେ ସେ ସମ୍ପୃକ୍ତ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚତୁରତାର ସହ ପରିଚୟ ଲୁଚାଇ ଅପରାଧ ଘଟାଉଥିଲା । ହେଲେ ଚୋର ଘର ସବୁଦିନ ନ ଥାଏ ଅନ୍ଧାର । ସମ୍ବଲପୁର ପୋଲିସର ତଦନ୍ତ ଯୋଗୁଁ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ହୋଇଥିଲା ସଫଳ । କେବଳ ଗିରଫ ନୁହେଁ ପୋଲିସ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ଯାହା ଫଳରେ ଭାରତୀୟ ଆଇନ (BNS) ଅନ୍ତର୍ଗତ ସମ୍ବଲପୁର ପୋଲିସ ଦ୍ୱାରା କରାଯାଇଥିବା ସଠିକ୍ ଏବଂ ବୈଜ୍ଞାନିକ ତଦନ୍ତ ଯୋଗୁଁ ଅଦାଲତରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଅପରାଧ ପ୍ରମାଣିତ ହୋଇଛି ଏବଂ ସେମାନଙ୍କୁ କଠୋର ଦଣ୍ଡାଦେଶ ମିଳିପାରିଛି ।