ହ୍ୟୁଷ୍ଟନ: ଆମେରିକା କାଲିଫର୍ଣ୍ଣିଆରେ ଦୁଇ ବାନ୍ଧବୀଙ୍କ ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦଭବ ମହିଳାଙ୍କୁ ଗିରଫ କରାଯାଇଛି। କୁହାଯାଉଛି ମହିଳା ଜଣକୁ ଛୁରୀ ଭୂଷି ଓ ଅନ୍ୟ ଜଣକୁ କାରରେ ଧକ୍କା ଦେଇ ହତ୍ୟା କରିଛି। ଅନିଲା ବେବି(୩୨) ଦୁଇ ବାନ୍ଧବୀ ଏନ.ମ୍ୟାରୀ ମାଥ୍ୟୁ ଓ ଅଞ୍ଜନା ହରିଙ୍କୁ ମାତ୍ର ୯୦ ମିନିଟ୍ ଅନ୍ତରାଳରେ ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରି ହତ୍ୟା କରିଛି। ଯେଉଁମାନଙ୍କୁ ହତ୍ୟା କରାଯାଇଛି ସେମାନେ ଭାରତର କେରଳମର ବାସିନ୍ଦା। ଏହି ହତ୍ୟାକାଣ୍ଡ ଅଗଷ୍ଟ ୨୮ ତାରିଖରେ ସାନଜୋସ ଓ ମିଲପିଟାସ୍ ରେ ହୋଇଛି।

ଏହି ସ୍ଥାନ ଦୁଇଟି ଆମେରିକୀୟ ସହର କାଲିଫର୍ଣ୍ଣିଆରୁ ୨୦ କିଲୋମିଟରରୁ ବି କମ୍ ଦୂରତାରେ ଅବସ୍ଥିତ। ତଦନ୍ତକାରୀମାନେ ଉଭୟ ମାମଲା ଯାଞ୍ଚରେ ଅନିଲା ବେବିର ହାତ ଥିବା ଜାଣିବାକୁ ପାଇଥିଲେ। ଏଣୁ ତୁରନ୍ତ ବେବିକୁ ଗିରଫ କରାଯାଇଥିବା ବେଳେ ଆରମ୍ଭରେ ତା ବିରୋଧରେ ମିଲପିଟାସ ହତ୍ୟା ଅଭିଯୋଗ ଅଣାଯାଇଥିଲା। ତେବେ ସେପ୍ଚେମ୍ବର ୮ ତାରିଖ ଦିନ ଓକିଲ ମାଥ୍ୟୁ ହତ୍ୟା ମାମଲାର ଆରୋପ ମଧ୍ୟ ବେବି ଉପରେ ଲଗାଇଥିଲେ।

ପୋଲିସ ଘଟଣାର ଉଦ୍ଦେଶ୍ୟ ଓ ପରିସ୍ଥିତି ଏବେବି ତଦନ୍ତ କରୁଛି। ବେବିକୁ ସାନ୍ତା କ୍ଲାରା କାଉଣ୍ଟି କୋର୍ଟରେ ହାଜର କରାଯାଇଥିଲା। ତାକୁ ନଭେମ୍ବର ୧୭ରେ ପୁଣି କୋର୍ଟରେ ହାଜର କରାଯିବ। ଏହି ଶୁଣାଣି କାଳରେ ବେବିକୁ ତାର ପକ୍ଷ ରଖିବାର ସୁଯୋଗ ମିଳିବ। ଯଦି ଦୋହରା ହତ୍ୟାକାଣ୍ଡରେ ଅନିଲା ବେବି ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ୫୦ ବର୍ଷରୁ ଆରମ୍ଭ କରି ଆଜୀବନ ଜେଲଦଣ୍ଡାଦେଖ ହୋଇପାରେ।