LIVE TV

ମହାଭାରତର 'କର୍ଣ୍ଣ' ପଙ୍କଜ ଧୀରଙ୍କ ଦେହାନ୍ତ, ୬୮ ବର୍ଷ ବୟସରେ କର୍କଟ ରୋଗ ସହ ଲଢ଼ି ହାରିଗଲେ

NEWS7
pankaz dheer

ମୁମ୍ୱାଇ ୧୫/୧୦: ବି-ଟାଉନ୍‌ରୁ ଆସିଛି ଦୁଃଖଦ ଖବର । ପରଲୋକରେ ଅଭିନେତା ପଙ୍କଜ ଧୀର । ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସର ସହ ଲଢି ଲଢି ସେ ହାରିଯାଇଛନ୍ତି । ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ସେ । ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ସୂଚନା ଥାଉକି, ପଙ୍କଜ କର୍କଟ ରୋଗରେ ପୀଡିତ ଥିଲେ । କର୍କଟ ଯୁଦ୍ଧରେ ବିଜୟୀ ହୋଇଥିଲେ । ଗତ କିଛି ମାସ ମଧ୍ୟରେ ପୁଣିଥରେ କର୍କଟ ରୋଗର ଶିକାର ହୋଇଥିଲେ ପଙ୍କଜ । ଅଭିନେତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ରୋଗ ଯୋଗୁଁ ତାଙ୍କର ବଡ଼ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । କିନ୍ତୁ ପଙ୍କଜଙ୍କୁ ବଞ୍ଚାଯାଇପାରିନଥିଲେ ଡାକ୍ତର । ପଙ୍କଜଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକ ପ୍ରକାଶ ପାଇଛି । ପ୍ରଶଂସକମାନେ ବି ସହିପାରିନାହାଁନ୍ତି । ପ୍ରଶଂସକ ଓ ସେଲିବ୍ରିଟିମାନେ ପଙ୍କଜଙ୍କୁ ଲୁହଭରା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ରୂପେଲି ପରଦା ଭଳି ଜୀବନ ଯୁଦ୍ଧର ବି ହାରିଯାଇଛନ୍ତି ପଙ୍କଜ ।  

ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ । କିନ୍ତୁ ତାଙ୍କୁ ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ 'ମହାଭାରତ'ରୁ ପ୍ରସିଦ୍ଧି ମିଳିଥିଲା । ଏହି ଧାରାବାହିକରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଟିଭି ସୋ’ ବ୍ୟତୀତ ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଅନେକ ପୌରାଣିକ ସୋ’ର ନଜର ଆସିଥିବା ଦେଖାଯାଇଥିଲା। ଏଥିରେ 'ଚନ୍ଦ୍ରକାନ୍ତା', 'ଦି ଗ୍ରେଟ୍ ମରାଠା' ଭଳି ସୋ’ ଅନ୍ତର୍ଭୁକ୍ତ । ସେ 'ସୋଲଜର', 'ବାଦଶାହା', 'ସଡକ' ଭଳି ହିନ୍ଦୀ ଫିଲ୍ମରେ ଉତ୍କୃଷ୍ଟ କାମ କରିଥିଲେ ।