ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) କମିଶନର ତଥା ବରିଷ୍ଠ ଆଇଏଏସ ଅଫିସର ତୁକାରାମ ମୁଣ୍ଡେ ନିକଟରେ ପୁଣେରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମଞ୍ଚକୁ ଆସିଥିଲେ । ଏହି ସମୟରେ ଉପସ୍ଥିତ ଜନସାଧାରଣ ଛିଡ଼ା ହୋଇ କରତାଳି ଦେଇ (Standing Ovation) ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାଜ୍ୟସାରା ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଖାଦ୍ୟ ନିରାପତ୍ତା କଡ଼ାକଡ଼ି କରୁଥିବା ଏହି ଅଫିସରଙ୍କ ସପକ୍ଷରେ ସାରା ରାଜ୍ୟରେ ଏବେ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ଏଫଡିଏ ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ମୁମ୍ବାଇ ସମେତ ଅନ୍ୟାନ୍ୟ ପ୍ରମୁଖ ସହରର ପ୍ରାୟ ୧୦୦ରୁ ଅଧିକ ହୋଟେଲ ଓ ରେଷ୍ଟୁରାଣ୍ଟର ଲାଇସେନ୍ସ ବାତିଲ କରାଯାଇଛି। ଚଢ଼ାଉ ସମୟରେ ଅନେକ ସ୍ଥାନରୁ Expired ଖାଦ୍ୟ ସାମଗ୍ରୀ, ଫଙ୍ଗସ୍ ଲାଗିଥିବା ମାଂସ, ବାରମ୍ବାର ବ୍ୟବହୃତ ହେଉଥିବା  ତେଲ ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ସଂରକ୍ଷଣ କରାଯାଉଥିବା ନଜରକୁ ଆସିଥିଲା।

ଏହି ସବୁ ହୋଟେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଣ୍ଡେ । ତେବେ ତାଙ୍କର ଏହି କାର୍ଯ୍ୟଶୈଳୀ ପାଇଁ ସାଧାରଣ ଲୋକେ ତାଙ୍କୁ ଉଚ୍ଚ ପ୍ରଶଂସା କରୁଥିବା ବେଳେ ହୋଟେଲ ଶିଳ୍ପର କିଛି ବ୍ୟବସାୟୀ ଏହାକୁ ସମାଲୋଚନା କରିଛନ୍ତି। ପୁଣେର ବାଲଗନ୍ଧର୍ବ ରଙ୍ଗମନ୍ଦିରରେ ଆୟୋଜିତ "ଅନଷ୍ଟପେବୁଲ୍ ତୁକାରାମ" କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ଜଣେ ୟୁଜର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରଥମ ଥର ପାଇଁ ଜଣେ ସରକାରୀ ଅଫିସରଙ୍କ ପ୍ରତି ହୃଦୟରୁ ଏତେ ଭଲପାଇବା ଓ ସମ୍ମାନ ଦେଖିବାକୁ ମିଳିଲା।’ ଏହି ସମ୍ବର୍ଦ୍ଧନାରେ ତୁକାରାମ ମୁଣ୍ଡେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କର ଏହି ନିର୍ଭୀକ ଶୈଳୀ ପାଇଁ ତାଙ୍କୁ ଫିଲ୍ମର 'ସିଙ୍ଘମ' ଚରିତ୍ର ସହ ତୁଳନା କରୁଛନ୍ତି।

ସେପଟେ ନିଜର କଠୋର ପ୍ରଶାସନିକ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା ତୁକାରାମ ମୁଣ୍ଡେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କହିଛନ୍ତି ଯେ, ଏଫଡିଏର ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ବ୍ୟବସାୟକୁ ଲକ୍ଷ୍ୟ କରି କରାଯାଉନାହିଁ; ବରଂ ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ଖାଦ୍ୟ ଯୋଗାଇଦେବା ଏବଂ ସ୍ୱଚ୍ଛତା ନିୟମ ବଜାୟ ରଖିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।