ତେହେରାନ,୧୫|୦୬: ବନ୍ଦ ହେବ ଯୁଦ୍ଧ । ଆମେରିକା ଏବଂରାନ ମଧ୍ୟରେ ତିକ୍ତତାବଢିବନି । କେହି କାହାରି ଉପରେ ଆଉ ଆକ୍ରମଣ କରିବେନି । କାରଣ ଦୁଇ ଦେଶ ମଧ୍ୟରେ ହୋଇଛି ଶାନ୍ତି ଚୁକ୍ତି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବ । ଆମେରିକୀୟ ନୌସେନା ଯେଉଁ କଟକଣା ଲଗାଇଥିଲା ତାହାକୁ ହଟାଇ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ୍ ଲେଖିଛନ୍ତି ଯେ, ସମସ୍ତଙ୍କୁ ଅଭିନନ୍ଦନ । ଯେଉଁମାନେ ଶାନ୍ତି ଚୁକ୍ତିରେ ସାମିଲ ଥିଲେ ସମସ୍ତଙ୍କୁ ଶୁଭେଚ୍ଛା । ଏବେ ଚୁକ୍ତି ସରିଛି । ହର୍ମୋଜ୍ ଦେଇ ଚଳାଚଳ ଉପରେ କିଛି ଟ୍ୟାକ୍ସ ଲାଗିବ ନାହିଁ । ଆମେରିକା ନୌସେନାକୁ ଏଠାରୁ ତୁରନ୍ତ ହଟାଇ ଦିଆଯାଇଛି । ବିଭିନ୍ନ ଦେଶର ଜାହାଜ ଏହି ଷ୍ଟ୍ରେଟ୍ ଦେଇ ଏବେ ପରିବହନ କରିପାରିବେ ।

ତେବେ ଟ୍ରମ୍ପଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ପାକିସ୍ତାନର ମଧ୍ୟସ୍ତତାରେ ଚୁକ୍ତି ହୋଇଥିବା ନେଇ ଇସଲାମାବାଦ ପକ୍ଷରୁ କୁହାଯାଇଥିଲା । ଫଳରେ ଶାନ୍ତି ଚୁକ୍ତି ସରିଥିବା ସ୍ପଷ୍ଟ ହୋଇଛି ।

ଦୀର୍ଘଦିନର ଆଲୋଚନା

ପ୍ରାୟମାସ ଧରି ଦୁଇ ଦେଶ ମଧ୍ଯରେ ତିକ୍ତତା ବୃଦ୍ଧି ପାଇଥିଲା । ପରସ୍ପର ଉପରେ ଗୁଳିଗୋଳା ଏବଂ ମିସାଇଲ ବର୍ଷା କରିଥିଲେ । ଖାଲି ଏତିକି ନୁହେଁ ଇରାନର ଅନେକ ଟପ୍ କମାଣ୍ଡରଙ୍କୁ ଆମେରିକା ହତ୍ୟା କରିଥିଲା । କିନ୍ତୁ ଶାନ୍ତି ଆଲୋଚନା ପାଇଁ ପ୍ରୟାସ ମଧ୍ୟ ଚାଲିଥିଲା । ଦୀର୍ଘଦିନର ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ଏବେ ଦୁଇ ଦେଶ ଯୁଦ୍ଧ ବନ୍ଦ ପାଇଁ ରାଜି ହୋଇଛନ୍ତି । ଦୁଇ ଦେଶ ତୁରନ୍ତ ସୈନ୍ୟ ଅପସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି ଲେବାନନରେ ମଧ୍ୟ କିଛି ଅଘଟଣ ଘଟିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ସରିଫ କହିଛନ୍ତି ।