ତେହେରାନ,୨୬ /୦୩: ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଇରାନ କିମ୍ବା ଆମେରିକା କେହି ହେଲେ ପଛକୁ ହଟୁ ନାହାଁନ୍ତି । ପରସ୍ପରକୁ ମିସାଇଲ ମାଡ କରୁଛନ୍ତି । ଏହା ଭିତରେ କିନ୍ତୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନର ଶକ୍ତି ଉତ୍ସ ବା ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବେ ନାହିଁ । ୧୦ ଦିନ ଯାଏଁ ଏହି ସବୁରେ ଆକ୍ରମଣ କରାଯିବ ନାହିଁ । ଏହି ନିଷ୍ପତ୍ତି ଇରାନ ସରକାରଙ୍କ ଅନୁରୋଧରେ କରାଯାଇଛି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଆଲୋଚନା ଆଗକୁ ବଢିପାରିବ ।

ୟୁଏସ ରାଷ୍ଟ୍ରପତି ନିଜ ସୋସିଆଲ ମିଡିଆ ପେଜ୍ ଟ୍ରୁଥରେ ଲେଖିଛନ୍ତି ଯେ, ଇରାନ ସରକାର ଅନୁରୋଧ କରୁଛନ୍ତି । ତେଣୁ ସେ ଇରାନର ଶକ୍ତି ଉତ୍ସ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି । ଏହା ଏପ୍ରିଲ ୬ ତାରିଖ ସୋମବାର ଯାଏଁ ଲାଗୁ ରହିବ । ଟ୍ରମ୍ପ୍ ସଙ୍କେତ ଦେଇଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଛି । ଯାହା ସକରାତ୍ମକ ଦିଗକୁ ବଢୁଛି ।

ତେବେ ଯୁଦ୍ଧ ଆରମ୍ଭ ହେଲା ପରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ ଆମେରିକା ଇରାନର ଶକ୍ତି ଉତ୍ସ ଉପରେ ଆକ୍ରମଣ କରିବନି ବୋଲି ବିଧିବଦ୍ଧ ଭାବେ କହିଛି । ଗତ କିଛି ସପ୍ତାହ ହେଲା ଆମେରିକା ଏବଂ ଇସ୍ରାଏଲ ଲଗାତାର ଭାବେ ଇରାନର ତେଲ ଏବଂ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରୁଥିଲେ । ତେହେରାନକୁ ଆର୍ଥିକ ଭାବେ ଦୁର୍ବଳ କରିବା ଦୁଇ ଦେଶର ଲକ୍ଷ୍ୟ ଥିଲା ।

ଇରାନ ମଧ୍ୟ ଚୁପ୍ ବସିନଥିଲା । ୟୁଏସ ଏବଂ ଇସ୍ରାଏଲର ଆକ୍ରମଣର ପ୍ରତି ଜବାବରେ ମଧ୍ୟପ୍ରାଚ୍ୟରେ ଥିବା ୟୁଏସ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ କରିଥିଲା । ଏବେ କିନ୍ତୁ ଆଗାମୀ ୧୦ଦିନ ଯାଏଁ ପରସ୍ପର ଉପରେ ମିସାଇଲ ଆକ୍ରମଣ କମିବ । କାରଣ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ନା ସାମୟିକ ସମୟ ପାଇଁ ଆଶ୍ୱସ୍ତି ବୋଲି ଜଣା ପଡି ନାହିଁ ।