ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ରୁଷ, ୟୁକ୍ରେନ ସହିତ ଏକ ଶାନ୍ତି ଚୁକ୍ତି କରିବା ଉଚିତ । ଏହା ସହ ଫ୍ରାନ୍ସରେ ଚାଲିଥିବା ଜି୭ ସମ୍ମିଳନୀରେ ଯୁଦ୍ଧକୁ ଶେଷ କରିବା ପାଇଁ ନିଜ ପକ୍ଷରୁ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଫ୍ରାନ୍ସର 'ଏଭିଆନ୍-ଲେସ୍-ବେନ୍ସ'ରେ ଆୟୋଜିତ ଜି୭ ସମ୍ମିଳନୀରେ ଟ୍ରମ୍ପ ଯୋଗ ଦେଇଛନ୍ତି । ଇରାନ ସହିତ ଚାଲିଥିବା ସଂଘର୍ଷର ସମାଧାନ କରିବା ପାଇଁ ଚୁକ୍ତି ସହିତ ଏଠାରେ ପହଞ୍ଚିଛନ୍ତି । ବର୍ତ୍ତମାନ ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁରୋପୀୟ ନେତାମାନେ ଟ୍ରମ୍ପଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ୟୁକ୍ରେନର ସ୍ଥିତି ଏବେ ପୂର୍ବ ଅପେକ୍ଷା ସୁଧୁରିଛି । ମସ୍କୋ ସହିତ ଆଗାମୀ ଶାନ୍ତି ଆଲୋଚନାରେ ନିଜର ପକ୍ଷକୁ ମଜଭୁତ କରିବା ପାଇଁ କିଭ୍ ବର୍ତ୍ତମାନ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ଅଧିକ ସମର୍ଥନ ଚାହୁଁଛି ।

ମଙ୍ଗଳବାର ଏକ ରୁଦ୍ଧ ଦ୍ୱାର ବୈଠକରେ ୟୁକ୍ରେନ ନେତା ଏବଂ ଅନ୍ୟ ଜି୭ ରାଷ୍ଟ୍ରପତିମାନଙ୍କ ସହ ହୋଇଥିବା ଆଲୋଚନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସମ୍ମିଳନୀରେ ଜେଲେନସ୍କି, ଟ୍ରମ୍ପ ଏବଂ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କିଛି ଫଟୋ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସେୟାର କରାଯାଇଛି ।

ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, "ମୁଁ ଯାହା କରିପାରିବି, ତାହା କରିବି। ମୁଁ ଆଠଟି ଯୁଦ୍ଧର ସମାଧାନ କରିଛି । ଏହି ଯୁଦ୍ଧଟି ସବୁଠାରୁ ସହଜରେ ସମାଧାନ ହୋଇଯିବ ବୋଲି ମୁଁ ଭାବିଥିଲି ।"

 

ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ମୁଖ୍ୟ ଲକ୍ଷ୍ୟ ହେଉଛି ୟୁକ୍ରେନ ପାଇଁ ଏୟାର ଡିଫେନ୍ସକୁ ମଜଭୁତ କରିବା ଏବଂ କୂଟନୀତିକୁ ଆଗକୁ ବଢ଼ାଇବା, ଯେପରି ରୁଷ ଏହି ଯୁଦ୍ଧ ବନ୍ଦ କରିବ । ଶାନ୍ତିର ଆବଶ୍ୟକତା ରହିଛି ।" ୟୁରୋପୀୟ କୂଟନୀତିଜ୍ଞମାନେ କହିଛନ୍ତି ଯେ ଏହି ବୈଠକର ଆଭିମୁଖ୍ୟ ସକାରାତ୍ମକ ଥିଲା । ଯୁଦ୍ଧକ୍ଷେତ୍ରର ସ୍ଥିତି ଏବେ ୟୁକ୍ରେନ ସପକ୍ଷରେ ଅଛି ବୋଲି ଜି୭ ନେତାମାନେ ମତ ଦେଇଛନ୍ତି । ସେମାନେ କିଭ୍‌କୁ ଅଧିକ ବାୟୁ ସୁରକ୍ଷା କ୍ଷମତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ପୂର୍ବରୁ ଆମେରିକା ରଖିଥିବା ଚୁକ୍ତିର ସର୍ତ୍ତଗୁଡ଼ିକ ମସ୍କୋ ସପକ୍ଷରେ ଅଧିକ ଥିଲା ୟୁରୋପୀୟ ନେତାମାନେ ଟ୍ରମ୍ପଙ୍କୁ ବୁଝାଇବାକୁ ଚାହୁଁଥିଲେ ।