ଚେନ୍ନାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ତ୍ରିଶା କୃଷ୍ଣନ ଏବଂ ସୁପରଷ୍ଟାର୍ ବିଜୟଙ୍କ ମଧ୍ୟରେ ତିକ୍ତତା ଚାଲିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ତ୍ରିଶା ଏକ ଜନ୍ମଦିନ ପୋଷ୍ଟ ସେୟାର କରି ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ବିଜୟଙ୍କ ୫୨ତମ ଜନ୍ମଦିନ ଅବସରରେ ତ୍ରିଶାଙ୍କ ଏହି ପ୍ରେମଭରା ପୋଷ୍ଟ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଜୁନ୍ ୨୨ (ସୋମବାର) ରେ ଅଭିନେତା ବିଜୟଙ୍କ ୫୨ତମ ଜନ୍ମଦିନ ଥିଲା। ସେହିଦିନ ତ୍ରିଶା ସୋସିଆଲ ମିଡିଆରେ ତାଙ୍କୁ ତୁରନ୍ତ କୌଣସି ଶୁଭେଚ୍ଛା ଜଣାଇ ନଥିଲେ। ଏହାକୁ ନେଇ କିଛି ଏଣ୍ଟରଟେନମେଣ୍ଟ ପେଜ୍‌ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଥିଲେ ଯେ, ତ୍ରିଶା ଇନଷ୍ଟାଗ୍ରାମରେ ବିଜୟଙ୍କୁ 'ଅନଫଲୋ' କରିଦେଇଛନ୍ତି। ଏହି ଖବର ପ୍ରଶଂସକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ଏବଂ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ ପ୍ରଚାର ହୋଇଥିଲା ।

ଏହି ସମସ୍ତ ଗୁଜବକୁ ଭୁଲ୍ ପ୍ରମାଣିତ କରି ତ୍ରିଶା ବିଜୟଙ୍କ ମଧ୍ୟରାତ୍ରି ଜନ୍ମଦିନ ଉତ୍ସବର ଏକ ସୁନ୍ଦର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ବିଜୟ ଏକ କାଜୁଆଲ୍ ପ୍ରିଣ୍ଟେଡ୍ ସାର୍ଟ ପିନ୍ଧି ତାଙ୍କ ସାମ୍ନାରେ ରଖାଯାଇଥିବା ଅନେକ ଜନ୍ମଦିନ କେକକୁ ଦେଖି ହସୁଛନ୍ତି। ତାଙ୍କ ପାଖରେ ଛିଡ଼ା ହୋଇ ତ୍ରିଶା ତାଙ୍କୁ ଚାହିଁ ରହିଛନ୍ତି ଏବଂ ଉଭୟଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଛି ।

​​​​​​​

ତ୍ରିଶା ଏହି ଫଟୋ ସହ ଏକ ଛୋଟ କିନ୍ତୁ ଭାବପୂର୍ଣ୍ଣ କ୍ୟାପସନ୍ ଲେଖିଛନ୍ତି– "To the person who makes it all worth it, HBD 00.00"। ତାଙ୍କର ଏହି କ୍ୟାପସନ୍ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ପରବର୍ତ୍ତୀ ସମୟରେ ଏହି ବିବାଦର ସତ୍ୟତା ସାମ୍ନାକୁ ଆସିଛି। ସେପଟେ ତ୍ରିଶା କେବେ ହେଲେ ଇନଷ୍ଟାଗ୍ରାମରେ ବିଜୟଙ୍କୁ ଫଲୋ କରୁନଥିଲେ। ତେଣୁ ତାଙ୍କୁ 'ଅନଫଲୋ' କରିବା ନେଇ ଯେଉଁ ଖବର ଭାଇରାଲ୍ ହେଉଥିଲା, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ଥିଲା।

ବିଜୟ ଓ ତ୍ରିଶାଙ୍କ ଯୋଡ଼ି ଦକ୍ଷିଣ ଭାରତୀୟ ସିନେମାରେ ଖୁବ୍ ଲୋକପ୍ରିୟ। ନିକଟରେ ସେମାନଙ୍କୁ ବ୍ଲକବଷ୍ଟର ଫିଲ୍ମ 'ଲିଓ' (Leo) ରେ ଏକାଠି ଦେଖିବାକୁ ମିଳିଥିଲା। ତ୍ରିଶାଙ୍କ ଏହି ନୂତନ ପୋଷ୍ଟ ପରେ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଥିବା ସୁସମ୍ପର୍କକୁ ନେଇ ଖୁସି ହୋଇଛନ୍ତି ।