ବାର୍ସେଲୋନା,୧|୦୧ :ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଜୀବନ ହାରିଲେ ଲୋକୋ ପାଇଲଟଙ୍କ ସହ ଏକାଧିକ ଯାତ୍ରୀ । ଏହାସହ୧୫ରୁ ଅଧିକ ଯାତ୍ରୀ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ସ୍ପେନର ବାର୍ସେଲୋନାରେ ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାର୍ସେଲୋନାରେ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ କୋରଡୋବା ପ୍ରାନ୍ତରେ ଘଟିଥିବା ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାର ଦୁଇ ଦିନ ପରେ ପୁଣି ଏତେ ବଡ ଅଘଟଣ ଘଟିଛି । ଯାହାକୁ ନେଇ ଦେଶରେ ରେଳ ଚଳାଚଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତି୧୧ଟା ସମୟରେ ବାର୍ସେଲୋନା ନିକଟବର୍ତ୍ତୀ ଜେଲିଡା ଅଞ୍ଚଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହା ଜେଲିଡାରୁ ସାଣ୍ଡ୍ ସାଦୁର୍ନୀ ଅଭିମୁଖେ ଯାତ୍ରା କରୁଥିଲା। ଷ୍ଟେସନରୁ ବାହାରିବାର କିଛି ସମୟ ପରେ ଏହା ଟ୍ରାକରୁ ବାହାରକୁ ଚାଲିଯାଇଥିଲା ।

ସ୍ଥାନୀୟ ପ୍ରଶାସନର କହିବାନୁସାରେ, ଜେଲିଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଟ୍ରାକରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଥିଲା । ତେଣୁ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଯାଇଛି । ଏଥିରେ ଲୋକୋ ପାଇଲଟ୍ ପ୍ରାଣ ହରାଇଛନ୍ତି । ଏହାସହ ଆଉ କିଛି ଯାତ୍ରୀ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିଛି ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଅଗ୍ନିଶମ ବାହିନୀର ଅଧିକାରୀ କ୍ଲାଉଡି ଗାଲାରଡୋ କହିଛନ୍ତି ଯେ, ଦୁର୍ଘଟଣା ପରେ ସେମାନେ୨୮ଟି କଲ୍ ପାଇଥିଲେ । ସଙ୍ଗେସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ୩୭ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଟ୍ରେନର ଲୋକୋ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ସେ ପ୍ରାଣ ହରାଇଥିଲେ । ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା କ୍ଲାଉଡି ପ୍ରକାଶ କରିଛନ୍ତି ।