ନୂଆଦିଲ୍ଲୀ: ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କମ ଇନିଂସ ଖେଳି ୧୦୦୦ ରନ୍ ପୂରଣ କରିବା ପ୍ରତ୍ୟେକ ବ୍ୟାଟରଙ୍କ ପାଇଁ ଏକ ବଡ଼ ସଫଳତା। ଭାରତୀୟ ଦଳର ଅନେକ ତାରକା ଖେଳାଳି ଏମିତି ଅଛନ୍ତି ଯେଉଁମାନେ ନିଜର ଦମଦାର ବ୍ୟାଟିଂ ବଳରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ସୂର୍ଯ୍ୟକୁମାର ଯାଦବ ଓ ଯୁବ ତାରକା ଅଭିଷେକ ଶର୍ମାଙ୍କ ପର୍ଯ୍ୟନ୍ତ ବ୍ୟାଟର ନିଜ ନାଁରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତୁ ନଜର ପକାଇବା ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ୍ ଇନିଂସରେ ୧୦୦୦ ରନ୍ ସଂଗ୍ରହ କରିଥିବା ଶୀର୍ଷ ୫ ଭାରତୀୟ ବ୍ୟାଟରଙ୍କ ଉପରେ।

ବିରାଟ କୋହଲି (୨୭ ଇନିଂସ)

ରନ ମେସିନ ବିରାଟ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେ ମାତ୍ର ୨୯ଟି ମ୍ୟାଚର ୨୭ଟି ଇନିଂସ ଖେଳି ଭାରତ ପାଇଁ ଦ୍ରୁତତମ ୧୦୦୦ ଟି-୨୦ ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ।

ଅଭିଷେକ ଶର୍ମା (୨୮ ଇନିଂସ)

ବିସ୍ଫୋରକ ଓପନର ଅଭିଷେକ ଶର୍ମା ୨୮ଟି ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁ ଦ୍ବିତୀୟ ସ୍ଥାନରେ ଅଛନ୍ତି। ୨୦୨୫ରେ ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ନିଜର ୧୦୦୦ ରନ୍ ପୂରଣ କରିଥିଲେ।

କେ.ଏଲ. ରାହୁଲ (୨୯ ଇନିଂସ)

ଷ୍ଟାଇଲିସ ବ୍ୟାଟର କେ.ଏଲ. ରାହୁଲ ୩୨ଟି ମ୍ୟାଚର ୨୯ଟି ଇନିଂସରେ ୧୦୦୦ ରନ୍ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୯ରେ ହାଇଦ୍ରାବାଦଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଏହି ସଫଳତା ହାସଲ କରିଥିଲେ।

ସୂର୍ଯ୍ୟକୁମାର ଯାଦବ (୩୧ ଇନିଂସ):

‘ମିଷ୍ଟର ୩୬୦’ ତଥା ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୩ଟି ମ୍ୟାଚର ୩୧ଟି ଇନିଂସରେ ନିଜର ୧୦୦୦ ରନ୍ ସମ୍ପୂର୍ଣ୍ଣ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ତିଲକ ବର୍ମା (୩୪ ଇନିଂସ)

ଯୁବ ମଧ୍ୟକ୍ରମ ବ୍ୟାଟର ତିଲକ ବର୍ମା ୩୭ଟି ମ୍ୟାଚର ୩୪ଟି ଇନିଂସ ଖେଳି ଏହି ବିଶେଷ କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।