ପୁରୀ ୧୭।୦୭ : ବଡ଼ଦାଣ୍ଡରେ ଅଟକିଛି ୩ ରଥ। ମାର୍କେଟ୍ ଛକ ନିକଟରେ ଅଟକିଛି ତାଳଧ୍ବଜ ରଥ। ଦର୍ପଦଳନ ରଥ ମରିଚିକୋଟ ଛକରେ ଅଟକିଛି। ବିଧି ଅନୁଯାୟୀ ମାତ୍ର ହାତେ ଗଡ଼ିବା ପରେ ଅଟକି ଯାଇଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ଆଜି ସକାଳ ୯ଟା ୩୦ରେ ପୁଣି ରଥଟଣା ହେବ। ଆଜି ଆଡ଼ପ ମଣ୍ଡପ ବିଜେ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଓଡ଼ିଶା, ଦେଶ ଏବଂ ବିଦେଶରୁ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମହାବେଦି ଅଭିମୁଖେ ମହାମେରୁ । ସାଥିରେ ଅଛନ୍ତି ବଡ଼ଭାଇ ଓ ସାନ ଭଉଣୀ । ବିଶ୍ୱବାସୀ ଦେଖୁଛନ୍ତି ବଡ଼ଦାଣ୍ଡରେ ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା । ଶ୍ରୀମନ୍ଦିରରୁ ଶରଧାବାଲି ଜନସମୁଦ୍ର । ଅବିଶ୍ରାନ୍ତ ବର୍ଷାକୁ କାହାରି ଖାତିର ନଥାଏ । ସିଂହଦ୍ୱାରରୁ ବଳଗଣ୍ଡି ବଡ଼ଦାଣ୍ଡରେ ପାଦ ରଖିବାକୁ ସ୍ଥାନ ଅଭାବ । ରଥାରୂଢ଼ ଠାକୁରଙ୍କୁ ଦେଖି ଭାବବିହ୍ୱଳ ହେଉଥାନ୍ତି ଅସଂଖ୍ୟ ଭକ୍ତ । ବର୍ଷାର ଧାରା ଓ ଭକ୍ତର ଆନନ୍ଦାଶ୍ରୁ ଏକାକାର ହେଉଥାଏ । ବାହୁ ପ୍ରସାରି ଭକ୍ତଙ୍କ ନିକଟକୁ ଆଗଉଥିଲେ ବଡ଼ଠାକୁରେ । ରଥକୁ ଚାହିଁ ହଜାର ହଜାର ହାତ ଉଠୁଥାଏ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ଉଛୁଳୁଥାଏ ଖଣ୍ଡମଣ୍ଡଳ । ଅଧ ଘଣ୍ଟାଏ ଆଗରୁ ମଙ୍ଗଳ ଆଳତି ଓ ପହଣ୍ଡି ହେଲା । ହେଲେ ମହାପ୍ରଭୁଙ୍କ ପହଣ୍ଡି ଶେଷ ହେବାରେ ଯଥେଷ୍ଟ ହେଲା । ରଥ ଟଣା ଧାର୍ଯ୍ୟ ସମୟ ଠାରୁ ୧ ଘଣ୍ଟା ୧୦ ମିନିଟ୍ ବିଳମ୍ବ ହୋଇ ୫ଟା ୧୦ରେ ରଥ ଟଣା ଆରମ୍ଭ ହେଲା । ଏଣୁ ତିନି ରଥ ମାର୍କେଟ ଛକ ମଧ୍ୟରେ ହିଁ ରହିଗଲା । ଶୁକ୍ରବାର ତିନି ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରେ ପହଞ୍ଚାଯିବ । ପରଦିନ ଅର୍ଥାତ୍ ଶନିବାର ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ହେବ ନାହିଁ। ଶେଷରେ ରବିବାର ଦିନ ଆଡପ ମଣ୍ଡପ ବିଜେ ନୀତି ହେବ ବୋଲି ସୂଚନା ମିଳିନାହିଁ