ଭୁବନେଶ୍ବର ୨୨।୫: ରାଜ୍ୟରେ ଆଜି ବି ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଝାରସୁଗୁଡାରେ ୪୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ତେବେ ଉପକୂଳରେ ତାପମାତ୍ରା କମ୍ ଥିଲେ ବି ପ୍ରବଳ ଗୁଳୁଗୁଳି ଥିଲା । ଭୁବନେଶ୍ବରରେ ଫିଲ୍ ଟେମ୍ପରେଚର ପାଖାପାଖି ୫୪ ଡିଗ୍ରୀ ଥିଲା ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଆଶ୍ବାସନା ହେବ କାଳବୈଶାଖୀ ନହେଲେ ଆସୁଥିବା ଲଘୁଚାପ ।

Also Read:- ଯୁକ୍ତ ଦୁଇ ବାଣିଜ୍ୟରେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯାଜପୁରର ଛାତ୍ରୀ

ପ୍ରଚଣ୍ଡ ଖରାରେ ବଢୁଛି ଅଂଶୁଘାତ ଜନିତ ଘଟଣାମାନ । ଅଂଶୁଘାତରେ ୩ ଜଣଙ୍କର ପ୍ରାଣହାନି ଘଟିଛି । ବଲାଙ୍ଗିର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ ୧୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ପୋଷ୍ଟମର୍ଟମ ପରେ ୩ଟି ଅଶୁଘାତ ଜନିତ ଥିବା ସ୍ପଷ୍ଟ ହୋଇଛି । ସେହିପରି ଢେଙ୍କାନାଳ ଭୁବନରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲରେ କାର୍ଯ୍ୟରତ ଆରଆଇ ଚୈତନ୍ୟ ଦେହୁରୀ । ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ପରେ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ଅଂଶୁଘାତ ସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲ ଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଲୋକେ ପ୍ରଚଣ୍ଡ ଖରାରେ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି ।