ନୂଆଦିଲ୍ଲୀ: ଆଇଡି ବିସ୍ଫୋରଣରେ ୪ ଯବାନ ସହିଦ। ଶନିବାର ଛତିଶଗଡ଼ କାଙ୍କେର ଜିଲ୍ଲାରେ ନକ୍ସଲ ଦ୍ବାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ୩ ଡିଆରଜି ଯବାନ ଏବଂ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଜଣାପଡ଼ିଛି ଯବାନମାନେ ଗୋଟିଏ ଆଇଇଡି ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା।

ବଡ଼ କଥା ହେଲା ମାର୍ଚ୍ଚ ୩୧ରେ ନକ୍ସଲବାଦରୁ ମୁକ୍ତ ଘୋଷଣା କରାଯିବା ପରେ ରାଜ୍ୟରେ ନକ୍ସଲଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ଏହା ପ୍ରଥମ ଘଟଣା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ବିସ୍ଫୋରଣ ଛୋଟେବେଟିୟା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ହୋଇଛି। ଏହି ଅଞ୍ଚଳ ନାରାୟଣପୁର ଜିଲ୍ଲାର ସୀମା ନିକଟବର୍ତ୍ତୀ।

୪ ଯବାନ ସହିଦ

ଅଧିକାରୀ କହିଛନ୍ତି ଡିଆରଜି ଟିମ୍ ନକ୍ସଲଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ଖୋଜି ଏହାକୁ ନିଷ୍କ୍ରିୟ କରିବାକୁ ଅଭିଯାନ ଚଳାଇଥିଲେ। ଅଭିଯାନ ସମୟରେ ସୁରକ୍ଷାକର୍ମୀଙ୍କୁ ଏକ ଆଇଡି ମିଳିଥିଲା। ହେଲେ ଯବାନ ଆଇଇଡି ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ସେଥିରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଯବାନ ସହିଦ ହୋଇଛନ୍ତି। ଅଧିକାରୀ କହିଛନ୍ତି, ଇନ୍ସପେକ୍ଟର ସୁଖରାମ ବଟ୍ଟୀ, କନଷ୍ଟେବଲ କୃଷ୍ଣ କୋମରା ଏବଂ କନଷ୍ଟେବଲ ସଞ୍ଜୟ ଗଢ଼ପାଲେଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କନଷ୍ଟେବଲ ପରମାନନ୍ଦ କୋମରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। 

ସରେଣ୍ଡର କରିଥିବା ନକ୍ସଲଙ୍କ ଠାରୁ ମିଳିଛି ବଡ଼ ସହାୟତା

ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରରାଜ କହିଛନ୍ତି ଘଟଣାକୁ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ନିକଟରେ ସରେଣ୍ଡର କରିଥିବା ନକ୍ସଲଙ୍କ ଠାରୁ ମିଳିଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ବଡ଼ ସଫଳତା ମିଳିଛି। କାଙ୍କେର ସହ ବସ୍ତର ରେଞ୍ଜର ୭ ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିବା ଶତାଧିକ ଆଇଇଡି ଖୋଜି ସୁରକ୍ଷିତ ଭାବରେ ନିଷ୍କ୍ରିୟ ମଧ୍ୟ କରାଯାଇଛି।