‘ଓଡ଼ିଆଙ୍କ ନେତୃତ୍ଵ ନେବା ପାଇଁ କଣ ନେତା ନାହାନ୍ତି, ବାହାର ଲୋକଙ୍କୁ ପ୍ରଶୟ ଦିଆଯାଉଛି, ସତର୍କ ରୁହନ୍ତୁ ରାଜ୍ୟବାସୀ’

Published By : Prameya-News7 Bureau | April 28, 2024 IST

ବ୍ରହ୍ମପୁର: ଆମ୍ବପୁଆରେ ଆୟୋଜିତ ସାଧାରଣ ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ବଖାଣିବା ସହ ଓଡ଼ିଶାର ବିଜୁ ଜନତା ଦଳ ସରକାରକୁ ସମାଲୋଚନା କରିଛନ୍ତି। ଜୟ ଜଗନ୍ନାଥ କହି ନଡ୍ଡା ନିଜର ଭାଷଣ ଆରମ୍ଭ କରିବା ସହ ମଧୁବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।  ଏଥିସହ ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ଵ ନେବା ପାଇଁ କଣ ନେତା ନାହାନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି। 

Also read: ସାଲେପୁରରେ ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତି, ସରକାରକୁ ଆସିଲେ ୨୦୦ ୟୁନିଟ ମାଗଣା ବିଜୁଳି

ନିଜ ଭାଷଣରେ ଜେପି ନଡ୍ଡା କହିଛନ୍ତି, ମୋଦୀଙ୍କ ବିକାଶ ପହଞ୍ଚାଇବା ପାଇଁ ଏଠାରେ ବିଜେପି ସରକାର ଦରକାର। ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କଣ ଥିଲା। ଲୋକେ ଭାବୁଥିଲେ ଦେଶରେ କିଛି ବଦଳିବାର ନାହିଁ। କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି। ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ପ୍ରତିଟି କ୍ଷେତ୍ରରେ ଦେଶ ବିକାଶ କରୁଛି। ତେଣୁ ଓଡ଼ିଶାକୁ ଆଗେଇ ନେବାର ଇଏ ହେଉଚି ସେହି ନିର୍ବାଚନ। ମୋଦୀ ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡ଼ିଛନ୍ତି। ୧୦ ବର୍ଷ ପୂର୍ବେ ଦେଶର ଅର୍ଥବ୍ୟବସ୍ଥା ବିଶ୍ଵରେ ପଞ୍ଚମ ସ୍ଥାନରେ ଥିଲା, ଯାହାକୁ ମୋଦୀ ପଞ୍ଚମ ସ୍ଥାନକୁ ଆଣିଛନ୍ତି। ଆଉ ଆଗାମୀ ଦୁଇ ବର୍ଷ ଭିତରେ ଭାରତ ତୃତୀୟ ମହାଶକ୍ତି ଦେଶରେ ପରିଣତ ହେବ। 

ନଡ୍ଡା କହିଛନ୍ତି, ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି। ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରତି ୪ ମାସରେ ୨  ହଜାର ଟଙ୍କା ଯାଉଛି। ଗତ ୫ ବର୍ଷରେ ଦେଶରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି। କିନ୍ତୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦେଉ ନାହାନ୍ତି। ଫଳରେ ଓଡ଼ିଶାବାସୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ତେଣୁ ଏଭଳି ସରକାର ରହିବା ଅନୁଚିତ୍। ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ଵେ ମୋଦୀ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲଓ୍ଵେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ୍ ବଢା ଯାଇଛି। ୫୫୦ କୋଟି ଟଙ୍କାରେ ୨୫ଟି ରେଳ ଷ୍ଟେସନର କାମ ଚାଲିଛି। 

ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ଵ ନେବା ପାଇଁ କଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ଏଠି ପ୍ରଶ୍ରୟ ଦିଆଯାଉଛି, ତେଣୁ ଆପଣମାନେ ସତର୍କ ରୁହନ୍ତୁ। ଓଡ଼ିଶାରେ ନେତା, ଅଫିସରଙ୍କ ଦୁର୍ନୀତିର ଶାସନ ଚାଲିଛି। ଏଠାରେ ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରଙ୍କୁ ରହିବା ଦରକାର ନାହିଁ ବୋଲି ନଡ୍ଡା କହିଛନ୍ତି । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଏହାର ଅନ୍ତର୍ଗତରେ ଥିବା ୭ ବିଧାନସଭାର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.