ନୂଆଦିଲ୍ଲୀ:ଋଷକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଆମେରିକା ମସ୍କୋ ଠାରୁ ତେଲ କିଣୁଥିବା ସମସ୍ତ ଦେଶ ଉପରେ ଶୁଲ୍କ ଲଗାଇଛି। ଯେଉଁଥିରେ ଭାରତ ବି ରହିଛି। ଭାରତ ଉପରେ କେବଳ ଏଥିପାଇଁ ଅତିରିକ୍ତ ୨୫% ମୋଟ ୫୦% ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଗକୁ ପୁଣି ୫୦୦% ଶୁଳ୍କ ଲଗାଇବାକୁ ଯୋଜନା ଚାଲିଛି। ଏନେଇ ଆମେରିକା ସିନେଟରେ ପ୍ରସ୍ତାବ ମଧ୍ୟ ଆଗତ ହୋଇ ସାରିଛି।

ତେବେ ଭାରତ ଉପରେ ହାକିମାତି ଜାହିର କରିବାରେ ସଫଳ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କାରଣ ଭାରତ ବର୍ତ୍ତମାନ ବିକଶିତ ସ୍ତରରେ ରହିଛି। ତେଣୁ ଆମେରିକା ସହିତ ପଙ୍ଗା ନେବା ମହଙ୍ଗା ପଡ଼ିପାରେ। ଏଥିପାଇଁ ରଣନୈତିକ ସ୍ତରରେ ଭାରତ ଋଷ ଠାରୁ ତେଲ କିଣିବା କମାଇ ଦେଇଛି।

ସଦ୍ୟତମ ଡାଟା ଅନୁସାରେ, ନଭେମ୍ବରରେ ରୁଷର ଆସୁଥିବା ଅଶୋଧିତ ତୈଳର ପରିବହନରେ ୬୬% ହ୍ରାସ ଘଟିଛି। ଆମେରିକା ଋଷର ଦୁଇଟି ବଡ଼ ତୈଳ କମ୍ପାନୀ ରୋସନେଫ୍ଟ ଏବଂ ଲୁକୋଏଲ ଉପରେ କଟକଣା ଲଗାଇଛି। ଯାହା ନଭେମ୍ବର ୨୧ ତାରିଖରେ ଲାଗୁ ହେବ। ଏଥିପ୍ରତି ଭାରତରେ ରିଫାଇନାରୀମାନେ ସତର୍କତା ଅବଲମ୍ବନ କରି ତୈଳ ଆମଦାନୀ କମାଇ ଦେଇଛନ୍ତି। ଫଳରେ ଟ୍ରମ୍ପ ତାଙ୍କ ଚାଲ୍‌ରେ ସଫଳ ହେଉଥିବା ଦେଖାଯାଉଛି।

ବିଶ୍ୱସ୍ତରୀୟ ରିଅଲ୍-ଟାଇମ୍ ଡାଟା ଏବଂ ବିଶ୍ଳେଷଣ ତଥ୍ୟ ପ୍ରଦାନକାରୀ ସଂସ୍ଥା Kpler ଅନୁଯାୟୀ, ନଭେମ୍ବର ୧-୧୭ ମଧ୍ୟରେ ଭାରତ ରୁଷ ଠାରୁ ହାରାହାରି ପ୍ରତିଦିନ ୬୭୨,୦୦୦ ବ୍ୟାରେଲ (bpd) ଅଶୋଧିତ ତୈଳ ଆମଦାନୀ କରିଥିଲା। ଏହା ଅକ୍ଟୋବରର ୧.୮୮ ନିୟୁତ ବିପିଡି ତୁଳନାରେ ବହୁତ କମ। Kpler ତଥ୍ୟ ନେଇ ET କରିଥିବା ରିପୋର୍ଟ ଆଧାରରେ ଟାଇମ୍ସ ଅଫ୍ ଇଣ୍ଡିଆ ଏହି ଖବର ଲେଖିଛି। ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ସମସ୍ତ ପାର୍ଟନର୍ ଦେଶଗୁଡ଼ିକୁ ରୁଷର ସାମଗ୍ରିକ ତୈଳ ଯୋଗାଣ ୨୮% ହ୍ରାସ ପାଇ ୨.୭୮ ନିୟୁତ ବିପିଡି ହୋଇଛି।

ଅନ୍ୟ ପ୍ରମୁଖ ଗ୍ରାହକ, ଚୀନ୍ ଏବଂ ତୁର୍କୀକୁ ମଧ୍ୟ ଋଷୀୟ ଅଶୌଧିତ ତୈଳ ବିତରଣରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଚୀନରୁ ରପ୍ତାନୀ ୪୭% ହ୍ରାସ ପାଇ ୬୨୪,୦୦୦ ବ୍ୟାପିଡି ହୋଇଥିବା ବେଳେ ତୁର୍କୀକୁ ରପ୍ତାନୀରେ ୮୭% ହ୍ରାସ ପାଇ ୪୩,୦୦୦ ବ୍ୟାପିଡି ହୋଇଛି।

ଅକ୍ଟୋବର ମାସରେ, ଚୀନ୍, ଭାରତ ଏବଂ ତୁର୍କୀ ମିଳିତ ଭାବରେ ରୁଷର ପ୍ରାୟ ୯୦% ଅଶୋଧିତ ତୈଳ ଆମଦାନୀ କରିଥିଲେ। ରୁଷୀୟ ରପ୍ତାନୀ ସାଧାରଣତଃ ଭାରତରେ ପହଞ୍ଚିବା ପାଇଁ ଗୋଟିଏ ମାସ ସମୟ ଲାଗେ, ନଭେମ୍ବର ମାସର ଅଧିକାଂଶ ରପ୍ତାନୀ ଡିସେମ୍ବରରେ ପହଞ୍ଚିବ, ଯାହା ଆମେରିକାର ପ୍ରତିବନ୍ଧକ ସମୟ ନଭେମ୍ବର ୨୧କୁ ଟପିଯିବ।