କୋରାପୁଟ: ବର୍ଷାରେ ଭିଜିଲା ବଡ଼ଦାଣ୍ଡ, ଭିଜିଲେ ଭକ୍ତ ଆଉ ଭିଜିଲେ ମହାପ୍ରଭୁ। ତଥାପି କମିନଥିଲା ଭକ୍ତଙ୍କ ଉତ୍ସାହ । ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା। ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା।

ସକାଳୁ କୋରାପୁଟରେ ଲଗାଣ ବର୍ଷା ଯୋଗୁ ରଥଯାତ୍ରାରେ ଭକ୍ତଙ୍କ ସମାଗମ କମିପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ସମୟ ବଢ଼ିବା ସହ ବର୍ଷା ମଧ୍ୟ ବଢ଼ିଲା ଆଉ ସେହି ଅନୁପାତରେ ବଢ଼ିଲା ଶ୍ରଦ୍ଧାଳୁଙ୍କ ଭିଡ଼। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ ହେବା ପରେ ଝିପିଝିପି ବର୍ଷା ମଧ୍ୟରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ କରିଥିଲେ।

Also Read: ମାର୍କେଟ ଛକରେ ତାଳଧ୍ବଜ, ମରିଚିକୋଟରେ ଅଟକିଲା ଦର୍ପଦଳନ; ଶୁକ୍ରବାର ସକାଳୁ ହେବ ରଥଟଣା

ଏହାପରେ ହଜାର ହଜାର ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଆରମ୍ଭ ହୋଇଥିଲା ରଥଟଣା। ମୃଦଙ୍ଗ ବାଦନ, କୀର୍ତ୍ତନ ଓ ହୁଳହୁଳିରେ କମ୍ପି ଉଠିଥିଲା ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ। ତିନି ରଥ ଶେଷରେ ମାଉସୀ ମା' ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ସିଭିଲ ଡିଫେନ୍ସ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ସେବା ସଂଗଠନର ସଦସ୍ୟମାନେ ମଧ୍ୟ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ସହଯୋଗ କରିଥିଲେ।