ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ କହି ଫସିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଖଡଗେଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ‘ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ବାରା ପିଏମ ମୋଦୀଙ୍କୁ ଆତଙ୍କବାଦୀ କହିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।’’

ସୂଚନାଥାଉକି, ଖଡଗେ ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଆତଙ୍କବାଦୀ’ କହିଥିଲେ। ଅବଶ୍ୟ ବିବାଦ ବଢ଼ିବା ପରେ ସେ ସଫେଇ ଦେଇ କହିଛନ୍ତି ଯେ, ତାଙ୍କ କହିବାର ଅର୍ଥ ପିଏମ ମୋଦୀ ଲୋକଙ୍କୁ ଏବଂ ରାଜନୈତିକ ଦଳକୁ ଡରାଉଛନ୍ତି ଓ ଧମକ ଦେଉଛନ୍ତି। ଖଡଗେ ଆହୁରି କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ କେବେବି ଆତଙ୍କବାଦୀ କହିନାହାଁନ୍ତି।

ନିର୍ବାଚନ ଆୟୋଗରେ ଫେରାଦ ହୋଇଥିଲା ବିଜେପି

ଉଲ୍ଲେଖଯୋଗ୍ୟ, ବିଜେପି ଏହି ମାମଲାରେ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲେ। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରନ ରିଜିଜୁଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟୀର ଏକ ପ୍ରତିନିଧିମଣ୍ଡଳ ବୁଧବାର ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଟିପ୍ପଣୀକୁ ନେଇ ଅଭିଯୋଗ କରିଥିଲେ ତଥା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଜେପି ପ୍ରତିନିଧିମଣ୍ଡଳରେ ରିଜିଜୁଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ, ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏବଂ ଓମ ପାଠକ ଏବଂ ଅନ୍ୟ ନେତା ସାମିଲ ଥିଲେ।