ପାଟନା ୬।୩: ରାଜ୍ୟସଭା ନିର୍ବାଚନ ଲାଗି ନୀତୀଶ କୁମାରଙ୍କ ପ୍ରାର୍ଥୀପତ୍ର ଦାଖଲ ସହ ବିହାରରେ ନୂଆ ସରକାର ଗଠନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ନୂଆ ସରକାରକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏଥି ମଧ୍ୟରେ ଏବେ ଖବର ଆସୁଛି ଯେ ଜେଡିୟୁ ବିହାର ବିଧାନସଭା ବାଚସ୍ପତି ପଦ ନିମନ୍ତେ ନିଜର ଦାବି ରଖିଛି। ଏବେ ଏହି ପଦବୀରେ ୯ ଥରର ବିଜେପି ବିଧାୟକ ପ୍ରେମକୁମାର ଅଛନ୍ତି। ତେବେ ଏଥିରେ ପ୍ରଶ୍ନ ଉଠୁଛି ବିଧାନସଭା ବାଚସ୍ପତିଙ୍କ ଏପରି କେଉଁ କ୍ଷମତା ରହିଛି ଯାହାକୁ ଉଭୟ ପାର୍ଟି ଚାହୁଁଛନ୍ତି। ଆସନ୍ତୁ ଜାଣିବା..

ବିଧାନସଭା ବାଚସ୍ପତିଙ୍କର ରହିଛି ଅସାଧାରଣ ଶକ୍ତି
ବାଚସ୍ପତି କେବଳ ବିଧାନସଭାର ଅଧ୍ୟକ୍ଷତା କରନ୍ତିନି। କେଉଁ ସଦସ୍ୟ କେତେବେଳେ କହିବେ, କେତେ ସମୟ କହିବେ, ଚର୍ଚ୍ଚାରେ କାହାକୁ କେତେ ସମୟ ମିଳିବ ଓ କେଉଁ ବିଧେୟକ କେତେବେଳେ ବିଧାନସଭାରେ ଉପସ୍ଥାପିତ ହେବ ତାହା ବାଚସ୍ପତି ଅନୁମତି ଦେଇଥାନ୍ତି। କେବଳ ଏତିକି ନୁହେଁ ଗୃହରେ ଶୃଙ୍ଖଳା ରକ୍ଷା କରିବା ମଧ୍ୟ ବାଚସ୍ପତିଙ୍କ ଦାୟିତ୍ୱ ଏହା ଛଡା ବିଧାନସଭାରେ ହେଉଥିବା ଚର୍ଚ୍ଚାର ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ବାଚସ୍ପତି ଗ୍ରହଣ କରନ୍ତି।

ସେହିପରି ଯଦି କୌଣସି ସଦସ୍ୟ ଇସ୍ତଫା ଦେବାକୁ ଚାହାଁନ୍ତି ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ବାଚସ୍ପତି ଗ୍ରହଣ କରନ୍ତି। ଭାରତୀୟ ସମ୍ବିଧାନର ୧୦ମ ଅନୁସୂଚୀରେ ସାମିଲ ଦଳବଦଳ ଆଇନରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ବାଚସ୍ପତି ନିଅନ୍ତି। ଏହାଛଡା ଯଦି କୌଣସି ବିଧାୟକ ପାର୍ଟିଲାଇନ ବଦଳାନ୍ତି, ହ୍ୱିପ ଅମାନ୍ୟ କରନ୍ତି, ପାର୍ଟି ବିରୋଧରେ ଯାଆନ୍ତି ଓ ଏଥି ପାଇଁ ତାଙ୍କ ବିଧାନସଭା ସଦସ୍ୟତା ରହିବ କି ନା ତାର ନିଷ୍ପତ୍ତି ମଧ୍ୟ ବାଚସ୍ପତି କରନ୍ତି। ଏହା ଛଡା କୌଣସି ବିଲ ମନି ବିଲ କି ନୁହେଁ ଏହାର ଚୂଡାନ୍ତ ନିଷ୍ପତ୍ତି ମଧ୍ୟ ଅନୁଚ୍ଛେଦ ୧୯୯ ଅନୁସାରେ ବାଚସ୍ପତିଙ୍କ ନିକଟରେ ଥାଏ।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ରାଜନୀତିର ଦିଗ ବଦଳାଇଥିଲେ ବାଚସ୍ପତି
ଇତିହାସରେ ଅନେକବାର ବାଚସ୍ପତିଙ୍କ କ୍ଷମତା ରାଜନୈତିକ ସମୀକରଣକୁ ବଦଳେଇ ଦେଇଛି। ୨୦୧୮ ମସିହାରେ କଂଗ୍ରେସ ମଧ୍ୟପ୍ରଦେଶର କମଲନାଥଙ୍କ ନେତୃତ୍ୱରେ ସରକାର କରିଥିଲା। ୨୦୨୦ ମସିହାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ କମଲନାଥଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା। ବିଜେପି ଫ୍ଲୋରଟେଷ୍ଟ ଦାବି କରିଥିଲା, ହେଲେ ତତ୍କାଳୀନ ବାଚସ୍ପତି ଏନ.ପି. ପ୍ରଜାପତି ତାଙ୍କ ଶକ୍ତି ଉପଯୋଗ କରି ଫ୍ଲୋରଟେଷ୍ଟ ଟାଳି ଦେଇଥିଲେ।

୧୬ ମାର୍ଚ୍ଚ ୨୦୨୦ରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ହେଲେ ବାଚସ୍ପତି କୋଭିଡ-୧୯ ର ଦ୍ୱାହି ଦେଇ ସଦନକୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ସେହିପରି ବିଦ୍ରୋହୀ ୨୨ ବିଧାୟକଙ୍କ ଇସ୍ତଫା ପତ୍ର ସେ ଏକକାଳୀନ ସ୍ୱୀକାର କରିନଥିଲେ। ଏହା ଦ୍ୱାରା ବାକି ବିଧାୟକଙ୍କ ଉପରେ ଚାପ ପକା ଯାଇ ପାରିଥିଲା। ପରେ ଶିବରାଜ ସିଂହ ଚୌହାନ ସୁପ୍ରିମକୋର୍ଟରେ ଫ୍ଲୋରଟେଷ୍ଟ ଦାବି କରିଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ତେବେ କମଲନାଥ ତା ପୂର୍ବରୁ ଇସ୍ତଫା ଦେଇଥିଲେ। ସେହିପରି ୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟରେ କୁମାର ସ୍ୱାମୀଙ୍କ ସରକାର କାଳରେ ଅନେକ ବିଧାୟକ ଇସ୍ତଫା ଦେଇଥିଲେ, ହେଲେ ବାଚସ୍ପତି ସେମାନଙ୍କ ଇସ୍ତଫା ତୁରନ୍ତ ସ୍ୱୀକାର କରିନଥିଲେ। ଏଥି ପାଇଁ ସେ ବିଧାୟକଙ୍କୁ ବ୍ୟକ୍ତିଗତ ରୂପେ ଆସି ପୁଷ୍ଟି କରିବାକୁ କହିଥିଲେ। ଫଳରେ ପ୍ରକ୍ରିୟା ଦୀର୍ଘ ହୋଇଥିଲା। ଫଳରେ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚିଥିଲା ଓ କୁମାର ସ୍ୱାମୀଙ୍କ ସରକାର ଭାଙ୍ଗି ଯାଇଥିଲା।

ସେହିପରି ୨୦୨୨ରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେଲା ହେଲେ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚି ଥିଲା। ଫଳରେ ଫ୍ଲୋରଟେଷ୍ଟ ପୂର୍ବରୁ ଉଦ୍ଧବ ସରକାର ଇସ୍ତଫା ଦେଇଥିଲେ।

ଏଥି ପାଇଁ ଜେଡିୟୁ ଚାହୁଁଛି ବାଚସ୍ପତି ପଦ
ଉପରୋକ୍ତ ଉଦାହରଣରୁ ସ୍ପଷ୍ଟ ହେଉଛି ଯେ ବିଧାନସଭା ବାଚସ୍ପତି ଇସ୍ତଫା ସ୍ୱୀକାର କରିବାରେ ବିଳମ୍ବ କରିପାରନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରନ୍ତି, ଫ୍ଲୋର ଟେଷ୍ଟଟାଳି ପାରନ୍ତି ଓ ସଦନକୁ ସ୍ଥଗିତ କରିପାରନ୍ତି। ଏହି କାରଣରୁ ନୀତୀଶ କୁମାରଙ୍କ ପାର୍ଟି କୌଣସି ମୂଲ୍ୟରେ ମଧ୍ୟ ଏହି ପଦବୀକୁ ନିଜ ହାତରେ ରଖିବାକୁ ଚାହୁଁଛି ଯାହା ଏପର୍ଯ୍ୟନ୍ତ ବିଜେପି ହାତରେ ଅଛି। ଏହାକୁ ନେଇ ବିହାର ରାଜନୀତିରେ ନୂଆ ଟଣାଓଟରା ଆରମ୍ଭ ହୋଇଛି।