ନୂଆଦିଲ୍ଲୀ: ୪୨ ବର୍ଷ ପୂର୍ବେ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଲଦ୍ଦାଖର ଲୋକଙ୍କ ଅଧିକାର ଦାବିରେ ଅନଶନ କରୁଥିବା ଜଣେ ନେତାଙ୍କୁ ବୁଝାଇ ଅନଶନ ଭାଙ୍ଗିବା ପାଇଁ ବିମାନ ଯୋଗେ ଲେହ ଯାଇଥିଲେ । ଏବେ, ଯେତେବେଳେ ସେହି ନେତାଙ୍କ ପୁଅ ଅନଶନରେ ବସିଛନ୍ତି, ସେତେବେଳେ କଂଗ୍ରେସ ପୁରୁଣା ସ୍ମୃତିକୁ ମନେ ପକାଇଛି ।

ବିଭିନ୍ନ ପ୍ରସଙ୍ଗକୁ ନେଇ ସୋନମ ୱାଙ୍ଗଚୁକ ପ୍ରାୟ ୨୦ ଦିନରୁ ଅଧିକ ସମୟ ଧରି ଅନଶନରେ ବସିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଚାଲିଛି । ଶୁକ୍ରବାର କଂଗ୍ରେସ ସାଂସଦ ତଥା ମୁଖପାତ୍ର ପବନ ଖେରା ଦଳର ପ୍ରତିନିଧି ଭାବେ ଆନ୍ଦୋଳନ ସ୍ଥଳକୁ ଯାଇ ସୋନମ ୱାଙ୍ଗଚୁକଙ୍କୁ ଭେଟିଥିଲେ । ଏହି ଆନ୍ଦୋଳନ ଆରମ୍ଭରୁ ଏକ "ଅଣ-ରାଜନୈତିକ" ବୋଲି କୁହାଯାଉଥିଲା । ଏହା ଉପରେ କଂଗ୍ରେସର ନୀରବତାକୁ ଭାଙ୍ଗି ଗୁରୁବାର ଦଳର ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ ଏକ୍ସରେ ନିଜର ସମର୍ଥନ ଜଣାଇଥିଲେ । ଏହାର ଗୋଟିଏ ଦିନ ପବନ ଖେରା ଆନ୍ଦୋଳନକାରୀଙ୍କୁ ଭେଟିବାକୁ ଯାଇଥିଲେ ।

କଂଗ୍ରେସର ଆଭିମୁଖ୍ୟରେ ଏହି ପରିବର୍ତ୍ତନ ଏବଂ ବରିଷ୍ଠ ପ୍ରତିନିଧି ପଠାଇବା ପଛରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ରହିଥିବା କୁହାଯାଉଛି । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ। ଇଣ୍ଡଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବୈଠକରେ ସୋନିଆ ଗାନ୍ଧୀ ୪୨ ବର୍ଷ ପୂର୍ବର ଘଟଣାକୁ ମନେ ପକାଇଥିଲେ । ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲେହ ଯାଇ ସୋନମ ୱାଙ୍ଗଚୁକଙ୍କ ବାପା ସୋନମ ୱାଙ୍ଗୟାଲଙ୍କୁ ଭେଟିଥିଲେ । ଲଦ୍ଦାଖର ସମ୍ପ୍ରଦାୟଗୁଡ଼ିକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ଦାବିରେ ସେ ଅନଶନରେ ବସିଥିଲେ ।

ଶୁକ୍ରବାର ୱାଙ୍ଗଚୁକଙ୍କୁ ଭେଟିବା ପରେ ପବନ ଖେରା ମଧ୍ୟ ୧୯୮୪ର ସେହି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ, "ଆଜି କଂଗ୍ରେସ ଦଳ ପକ୍ଷରୁ ମୁଁ ସୋନମ ୱାଙ୍ଗଚୁକ ଏବଂ ଆନ୍ଦୋଳନକାରୀଙ୍କୁ ଭେଟିଥିଲି । ସେମାନଙ୍କର ବିଗିଡ଼ି ଯାଉଥିବା ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଅନଶନ ଶେଷ କରିବାକୁ ଅନୁରୋଧ କରିଥିଲି । ନିଜ ଲୋକଙ୍କୁ ହରାଇ କୌଣସି ଆନ୍ଦୋଳନ ଶକ୍ତିଶାଳୀ ହୁଏ ନାହିଁ । ଆମେ ପୁଣି ଲଢ଼ିବା ପାଇଁ ବଞ୍ଚି ରହିବା ଆବଶ୍ୟକ ।"

୧୯୮୪ରେ କଣ ଘଟିଥିଲା

ସୋନମ ୱାଙ୍ଗଚୁକଙ୍କ ବାପା ସୋନମ ୱାଙ୍ଗୟାଲ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ଏମଏଲସି ଏବଂ ପରେ ୧୯୬୭ ଓ ୧୯୭୨ରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୫ରେ ସେ ଜମୁ କାଶ୍ମୀର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସ ସହ ନ୍ୟସନାଲ କନଫରେନ୍ସ ଦଳ ସହିତ ମଧ୍ୟ ଜଡ଼ିତ ଥିଲେ । ୧୯୮୦ ଦଶକରେ ଲଦ୍ଦାଖର ସମ୍ପ୍ରଦାୟଗୁଡ଼ିକୁ ଏସଟି ମାନ୍ୟତା ପ୍ରଦାନ ପାଇଁ ସେ ଏକ ବଡ଼ ଆନ୍ଦୋଳନ ଚଳାଇଥିଲେ ।

୧୯୮୪ରେ ନିଜ ଦାବି ହାସଲ ପାଇଁ ସେ ୫ ଦିନିଆ ଅନଶନ କରିଥିଲେ । ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ଲେହ ଯାଇ ତାଙ୍କର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ସହ ତାଙ୍କର ଅନଶନ ଭଙ୍ଗ କରାଇଥିଲେ । କିନ୍ତୁ ସେହି ବର୍ଷ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ ।

ସରକାର ଏହି ଦାବି ପୂରଣ କରିବା ପାଇଁ ଆହୁରି ୫ ବର୍ଷ ସମୟ ନେଇଥିଲେ । ଶେଷରେ ୧୯୮୯ ମସିହାରେ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ଲଦ୍ଦାଖର ଆଠଟି ସମ୍ପ୍ରଦାୟକୁ ପ୍ରାରମ୍ଭିକ ଭାବେ ଏସଟି ମାନ୍ୟତା ପ୍ରଦାନ କରାଯାଇଥିଲା । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ୧୯୮୭ରେ ୱାଙ୍ଗୟାଲଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା । ୧୯୯୮ ମସିହାରେ ତାଙ୍କର ପରଲୋକ ଘଟିଥିଲା ।

ତାଙ୍କ ପୁଅ ସୋନମ ୱାଙ୍ଗଚୁକ ସକ୍ରିୟ ରାଜନୀତିରୁ ଦୂରରେ ରହିଛନ୍ତି । ସେ ମୁଖ୍ୟତଃ ଶିକ୍ଷା, ଜଳବାୟୁ ଏବଂ ଲଦ୍ଦାଖର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଆସୁଛନ୍ତି । ୨୦୧୯ରେ ଜମ୍ମୁ-କାଶ୍ମୀରରୁ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇ ଲଦ୍ଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରେ, ସେଠାକାର ସ୍ୱତନ୍ତ୍ର ମାନ୍ୟତା ଦାବିରେ ଆନ୍ଦୋଳନ କରି ସେ ୬ ମାସ ଜେଲରେ ରହିଥିଲେ ।