କୋଲକାତା: ନିଜର ଚର୍ଚ୍ଚିତ ପୁସ୍ତକ 'ଦ୍ବିଖଣ୍ଡିତ' (Dwikhondito) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ପ୍ରତିବାଦ ଯୋଗୁଁ କୋଲକାତା ଛାଡ଼ିବାକୁ ବାଧ୍ୟ ହୋଇଥିବା ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ପ୍ରାୟ ଦୁଇ ଦଶନ୍ଧି ପରେ ପୁଣି କୋଲକାତା ପ୍ରତ୍ୟାବର୍ତ୍ତନ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ସେ କହିଛନ୍ତି, ‘ଏଠାକୁ ଆସି ମୋତେ ବହୁତ ଭଲ ଲାଗୁଛି।’

୨୦୦୭ ମସିହାରେ ନିଜ ଆତ୍ମଜୀବନୀକୁ ନେଇ ହୋଇଥିବା ପ୍ରବଳ ବିରୋଧ ଯୋଗୁଁ ସେ କୋଲକାତା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତା’ପରଠାରୁ ୬୩ ବର୍ଷୀୟା ଏହି ଲେଖିକା ତଥା ସାମାଜିକ କର୍ମୀଙ୍କର କୋଲକାତାରେ ଏହା ପ୍ରଥମ ସାର୍ବଜନୀନ ଉପସ୍ଥିତି। ୨୦୦୩ ମସିହାରେ ତତ୍କାଳୀନ ସିପିଏମ୍ (CPM) ନେତୃତ୍ୱାଧୀନ ବେଙ୍ଗଲ ସରକାର ତାଙ୍କ ପୁସ୍ତକ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗରେ ନିଷିଦ୍ଧ କରିଥିଲେ। 

 ରବୀନ୍ଦ୍ର ସଦନଠାରେ ଶନିବାର ଦିନ ମୌଳବାଦ ବିରୋଧୀ ଏକ ପ୍ରତିବାଦ ସଭାରେ ତସଲିମା ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବେଙ୍ଗଲର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ପ୍ରଖ୍ୟାତ ସାହିତ୍ୟିକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ଯୋଗଦେବାର ସମ୍ଭାବନା ରହିଛି। ସଂଗଠକଙ୍କ ସୂଚନା ଅନୁସାରେ, ଲେଖିକାଙ୍କୁ ଦିଆଯିବାକୁ ଥିବା ନାଗରିକ ସମ୍ବର୍ଦ୍ଧନା ପରେ ସେ ନିଜର କିଛି କବିତା ଆବୃତ୍ତି କରିବେ ଏବଂ ଏକ ବିଶେଷ ଆଲୋଚନା ଚକ୍ରରେ ଭାଗ ନେବେ।

ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (PTI) କୁ ଦେଇଥିବା ସାକ୍ଷାତକାରରେ ତସଲିମା ଏହାକୁ ନିଜର ‘ବ୍ୟକ୍ତିଗତ ଘରବାହୁଡ଼ା’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ‘ମୁଁ କେବେ ବି ସ୍ୱେଚ୍ଛାକୃତ ଭାବରେ କୋଲକାତା ଛାଡ଼ିନଥିଲି । ତତ୍କାଳୀନ ପଶ୍ଚିମବଙ୍ଗ ସରକାର ମୋତେ ରାଜ୍ୟ ଛାଡ଼ିବାକୁ ବାଧ୍ୟ କରିଥିଲେ। ତଥାପି ମୁଁ ଦିନେ ନା ଦିନେ ଫେରିବି ବୋଲି ଆଶା ରଖିଥିଲି। ବର୍ଷ ପରେ ବର୍ଷ ବିତିଗଲା, ସରକାର ବଦଳିଲେ, କିନ୍ତୁ ମୋ ପାଇଁ ଦ୍ୱାର ସବୁବେଳେ ବନ୍ଦ ରହିଥିଲା।’

ତାଙ୍କର ଏହି ପ୍ରତ୍ୟାବର୍ତ୍ତନକୁ ନେଇ ରାଜ୍ୟରେ ରାଜନୈତିକ ତାତି ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ ବିଧାୟକ ଆଖରୁଜ୍ଜାମାନ ଦାବି କରିଛନ୍ତି ଯେ, ଲେଖିକା ଜଣକ ବାରମ୍ବାର ମୁସଲମାନମାନଙ୍କ ବିରୋଧରେ ବକ୍ତବ୍ୟ ଦେଇଆସିଛନ୍ତି, ସେଥିପାଇଁ "ଡବଲ-ଇଞ୍ଜିନ୍ ସରକାର" ତାଙ୍କୁ ସ୍ୱାଗତ କରୁଛନ୍ତି।  ଅନ୍ୟପଟେ ରାଜ୍ୟର ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ଲେଖିକାଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ, ପୂର୍ବ ସରକାରଙ୍କ ଶାସନକାଳରେ ତାଙ୍କୁ ଫେରିବାର ସୁଯୋଗ ମିଳିନଥିଲା। ସେ ସତ୍ୟ ଲେଖିଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଇନଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଅଧୀନରେ ତସଲିମା ନସରିନଙ୍କ ଏହି ପ୍ରତ୍ୟାବର୍ତ୍ତନ ରାଜ୍ୟ ପାଇଁ ଗୌରବ ଓ ଆନନ୍ଦର ବିଷୟ।