ଦାରିଙ୍ଗବାଡ଼ି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ । ଶନିବାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାସିଂବାଡ଼ି ନିକଟ ଟେକାବାଡ଼ି ଘାଟି ବୁଲାଣିରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମର ଭଞ୍ଜକିଶୋର ବାଗସିଂଙ୍କ ପୁଅ ଦିବାକର ବାଗସିଂ (୨୫)।

ସୂଚନା ଅନୁଯାୟୀ, ଦିବାକର କୌଣସି କାମରେ ଗଦାପୁରରୁ ମୋଟରସାଇକେଲ ଯୋଗେ ଦାରିଙ୍ଗବାଡ଼ି ଆସିଥିଲେ । କାମ ସାରି ଅପରାହ୍ଣରେ ଗାଁକୁ ଫେରୁଥିବା ବେଳେ ଦାସିଂବାଡ଼ି ନିକଟସ୍ଥ ଟେକାବାଡ଼ି ଘାଟିର ଏକ ବିପଜ୍ଜନକ ବୁଲାଣିରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦିବାକର ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇପଡ଼ିଥିଲେ ।

ତେବେ ସେହି ରାସ୍ତାରେ ଯାଉଥିବା କିଛି ଲୋକ ଦିବାକରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ପଡ଼ିଥିବା ଦେଖି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ସଂଯୋଗବଶତଃ ଦିବାକରଙ୍କ ଜଣେ ସମ୍ପର୍କୀୟ ମହିଳା ମଧ୍ୟ ସେହି ବାଟ ଦେଇ ଯାଉଥିବା ସମୟରେ ତାଙ୍କୁ ଚିହ୍ନିପାରି ଅଟକି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋରିକ୍ସା ଯୋଗେ ତାଙ୍କୁ ତୁରନ୍ତ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Also Read: ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ଡାକ୍ତରଖାନାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲେ ବି ଅତ୍ୟଧିକ ରକ୍ତସ୍ରାବ ଓ ଗଭୀର ଆଘାତ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ଦିବାକରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଦାରିଙ୍ଗବାଡ଼ି ଥାନା ଏଏସଆଇ ଅର୍ଜୁନ ଶବର ଟିମ୍ ସହ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ମେଡିକାଲ ଶବ ସଂରକ୍ଷଣ ଗୃହରେ ରଖିଛି । ରବିବାର ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଯୁବକଙ୍କ ଅକାଳ ବିୟୋଗରେ ଗଦାପୁର ଗ୍ରାମ ତଥା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।