News7 Logo

ଦାୟିତ୍ୱ ନେବାମାତ୍ରେ ନେପାଳରେ ସୁଶୀଲା କାର୍କୀ କରିଦେଲେ ଏହି କାମ, ବାଂଲାଦେଶରେ କରି ପାରୁନାହାନ୍ତି ୟୁନୁସ

NEWS7
Sushila Karki

କାଠମାଂଡୁ  ୧୩।୯:   ନେପାଳ ରାଜନୀତିରେ ଐତିହାସିକ ପରିବର୍ତ୍ତନ ହୋଇଛି। ଦେଶର ପ୍ରଥମ ମହିଳା ବିଚାରପତି ଥିବା ସୁଶୀଲା କାର୍କୀ ଏବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିସାରିଛନ୍ତି। ଏହା ସହିତ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନବ ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ସୁପାରିସରେ ପ୍ରତିନିଧିସଭାକୁ ଭଙ୍ଗ କରିଛନ୍ତି ଓ ସଂସଦୀୟ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ମୁତାବକ ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ସୁଶୀଲା କାର୍କୀ ଙ୍କ ଏହି ନିଷ୍ପତ୍ତିକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏଥିରୁ ସୁଶୀଲା କାର୍କୀ ​​​​​​​ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଭଳି ଜୋର ଜବରଦସ୍ତ କ୍ଷମତାରେ ରହିବାକୁ ଚାହୁଁନଥିବା ପ୍ରମାଣିତ ହେଉଛି। ମହମ୍ମଦ ୟୁନୁସ ଗତ ବର୍ଷେ ହେଲା ବାଂଲାଦେଶ ଶାସନରେ ବରିଷ୍ଠ ପରାମର୍ଶଦାତା ହୋଇ କୁଣ୍ଡଳିମାରି ବସିଛନ୍ତି ଓ ଏ ପର୍ଯ୍ୟନ୍ତ ଦେଶରେ ନିର୍ବାଚନ କଥା ବିଚାର ମଧ୍ୟ କରୁ ନାହାନ୍ତି। ଏଥିରେ ତାଙ୍କୁ ସମର୍ଥନ କରୁଥିବା ଲୋକେ ବି ଏବେ ନିର୍ବାଚନକୁ ନେଇ ମହମ୍ମଦ ୟୁନୁସଙ୍କ ଉପରେ ଅସନ୍ତୁଷ୍ଟ ହେଲେଣି।

ଶୁକ୍ରବାର କାଠମାଂଡୁର ଶୀତଲ ନିବାସରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ୭୩ ବର୍ଷ ବୟଷ୍କା ଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ଓ ୬ ମାସ ମଧ୍ୟରେ ନିର୍ବାଚନ କରାଇବାର ଦାୟିତ୍ୱ ନେବେ। ଏହି ପରିବର୍ତ୍ତନ ଏପରି ସମୟରେ ଆସିଛି ଯେତେବେଳେ ଦେଶରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖା ଦେଇଥିଲା।

କାର୍କୀଙ୍କ ଶପଥ ଗ୍ରହଣ ସହିତ ଜେନ-ଜେଡ୍ (୧୯୯୭ରୁ ୨୦୨୧ ମଧ୍ୟରେ ଜନ୍ମ ହୋଇଥିବା ପିଢୀ) ନେପାଳ ରାସ୍ତାଘାଟରେ ଉତ୍ସବ ପାଳନ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବାହାରେ ଜମା ହୋଇଥିବା ହଜାର ହଜାର ଜନତା ଆତସବାଜୀ କରି ଅନ୍ତରୀଣ ସରକାରଙ୍କୁ ସ୍ୱାଗତ କରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ନେପାଳର ପ୍ରଧାନ ବିଚାରପତି, ଶୀର୍ଷ ଅଧିକାରୀ, ସୁରକ୍ଷା ମୁଖ୍ୟ ଓ ଅନେକ କୂଟନୀତିଜ୍ଞ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାଇ ମଧ୍ୟ ଉତ୍ସବକୁ ପହଞ୍ଚିଥିଲେ। ସେ ଏକମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଯିଏ ସୁଶୀଳା  କାର୍କୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।  ନେପାଳରେ ଏହି ରାଜନୈତିକ ଘଟଣାକ୍ରମ ସହିତ ସୃଷ୍ଟି ହୋଇଥିବା ଅନିଶ୍ଚିତତା ସମାପ୍ତ ହୋଇଯାଇଛି। ତେବେ  ନିର୍ବାଚନ ପର୍ଯ୍ୟନ୍ତ ଅନ୍ତରୀଣ ସରକାର ଦେଶକୁ କେତେ ସ୍ଥିରତା ଦେଇ ପାରୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର।