ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ସବୁ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଖୋଲିବା ଲାଗି ଜମି ଚିହ୍ନଟ ନିମନ୍ତେ ତାମିଲନାଡୁ ସରକାର ୧୫ ଡିସେମ୍ବର ୨୦୨୫ର ଆଦେଶ ପାଳନ କରନ୍ତୁ ବୋଲି କହିଛନ୍ତି। ଏହା ଛଡା କୋର୍ଟ ଏହି ସ୍କୁଲ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି.ନାଗରତ୍ନାଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ନବୋଦୟ ସ୍କୁଲରେ ପଢାଯାଉଥିବା ‘ତ୍ରିଭାଷୀ ନୀତି’କୁ ତାମିଲନାଡୁର ବିରୋଧ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବେଞ୍ଚ କହିଛନ୍ତି ଯେ ରାଜ୍ୟକୁ କେନ୍ଦ୍ରର ପାଣ୍ଠି ମିଳୁଥିବା ଏହି ଅନୁଷ୍ଠାନକୁ ରାଜ୍ୟର ଏବେକା ଶିକ୍ଷା ବ୍ୟବସ୍ଥା ଲାଗି ବିପଦ ମନେ କରିବା ଉଟିତ ନୁହେଁ। ଶୁଣାଣି କାଳରେ ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ‘ଆପଣଙ୍କୁ ଚିନ୍ତାଧାରା’ ବଦଳାଇବାକୁ ପଡିବ। ତାମିଲନାଡୁ ମାଟିରେ ହିନ୍ଦୀ ପାଠ ପଢାଯିବନି ଏପରି ହୋଇ ପାରିବ ନାହିଁ ବୋଲି କୋର୍ଟ ସଫାସଫା କହିଛନ୍ତି। ବେଞ୍ଚ ସମବାୟ ସଂଘିୟତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଚେନ୍ନାଇର ଲୋକେ ଦିଲ୍ଲୀ ଲୋକଙ୍କଠାରୁ ଦୂରେଇ ରହିବା ଉଚିତ ନୁହେଁ।

ଆପଣ ଆପଣଙ୍କ ରାଜ୍ୟରେ ଯେଉଁ ଭଲ କାମ କରୁଛନ୍ତି ସେଥିରେ ଆଉ କିଛି ଅଧିକ କଲେ ଆପଣଙ୍କ ଷ୍ଟାଣ୍ଡାର୍ଡ କମିଯିବନି ବୋଲି କୋର୍ଟ କହିଛନ୍ତି। କୌଣସି ଜିନିଷ ଦିଲ୍ଲୀରୁ ଚେନ୍ନାଇ ପହଞ୍ଚିଲେ ତାହାର ମାନ କମିଯିବନି। ଏଣୁ ଚେନ୍ନାଇ ଲୋକେ ଦିଲ୍ଲୀରୁ ଦୂରେଇବା ଉଚିତ ନୁହେଁ କି ଦିଲ୍ଲୀର ଲୋକେ ଚେନ୍ନାଇରୁ। ରାଜ୍ୟରେ ନବୋଦୟ ବିଦ୍ୟାଳୟ ସ୍ଥାପନା ନିମନ୍ତେ ତାମିଲନାଡୁର ସବୁ ଜିଲ୍ଲାରେ ଉପଯୁକ୍ତ ଜମି ଚିହ୍ନଟ ନିମନ୍ତେ କୋର୍ଟ ରାଜ୍ୟ ସରକାରଙ୍କୁ ଆଉ ୩ ମାସ ସମୟ ଦେଇଛନ୍ତି। ଏହା ଛଡା ସ୍କୁଲ ଖୋଲିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି କଥାବାର୍ତ୍ତା ଆରମ୍ଭ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୪ ତାରିଖରେ ହେବ।

ତାମିଲନାଡୁ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ଓକିଲ ଜୟଦୀପ ଗୁପ୍ତା କହିଛନ୍ତି ଯେ ବିଦ୍ୟାଳୟରେ ହିନ୍ଦୀ ବିଷୟ ପଢାଗଲେ ରାଜ୍ୟକୁ କୌଣସି ଆପତ୍ତି ନାହିଁ, ହେଲେ ନବୋଦୟ ଯୋଜନା ସମ୍ପର୍କିତ ଭାଷା ନୀତିକୁ ନେଇ ଆପତ୍ତି ରହିଛି। ଏହା ରାଜ୍ୟ ନୀତିର ବିରୁଦ୍ଧାଚରଣ କରୁଛି। ଏହା ତାମିଲ ଭାଷାକୁ ପଛକୁ ଠେଲି ଦେଉଛି। ଏପରି ଏକିକରଣ ସମ୍ବିଧାନର ଉଦ୍ଦେଶ୍ୟ ନୁହେଁ। ଏହା କେନ୍ଦ୍ର ସରକାରଙ୍କ ସ୍କୁଲ ନୁହେଁ, ଏକ ସୋସାଇଟି ଚଳାଉଥିବା ସ୍କୁଲ। ଏଥିରେ ହିନ୍ଦୀକୁ ପ୍ରାଥମିକତା ଦିଆଯିବାକୁ ଜିଦ୍ କରାଯାଉଛି।

ଏଥିରେ ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ଭାଷା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା ହୋଇପାରେ। ଯଦି ଆପଣ ତାମିଲକୁ ଦ୍ୱିତୀୟ ଭାଷା ଭାବେ ଚାହାନ୍ତି ତେବେ ତା ଉପରେ ବିଚାର କରାଯାଇ ପାରେ। ଏଥି ପାଇଁ ବିଚାରପତି ରାଜ୍ୟ ସରକାରଙ୍କ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମ୍ବଦ୍ଧିତ ସେକ୍ରେଟାରୀଙ୍କ ସହ କଥା ହେବାକୁ କହିଛନ୍ତି। ଏଥିରେ ଆଡଭୋକେଟ ଗୁପ୍ତା କହିଛନ୍ତି ଯେ କଥାବାର୍ତ୍ତା ପୂର୍ବରୁ ମଧ୍ୟ ହୋଇଛି, ହେଲେ କେନ୍ଦ୍ର ହିନ୍ଦୀକୁ ନେଇ ନିଜ ଜିଦରେ ଅଡି ରହିଛି। ଏହା ସତ୍ତ୍ୱେ ଆଉ ଥରେ କଥାବାର୍ତ୍ତା ପାଇଁ ଓକିଲ ରାଜି ହୋଇଛନ୍ତି।