ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ପରୀକ୍ଷାରେ ବାରମ୍ବାର ଘଟୁଥିବା ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, "ଏହାକୁ ଏପରି ଚାଲିବାକୁ ଦିଆଯାଇପାରିବ ନାହିଁ।" ଏହାସହ ପରୀକ୍ଷା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟର-ଭିତ୍ତିକ (Computer-based testing) କରିବା ପାଇଁ ସରକାରଙ୍କ ଯୋଜନା ବିଷୟରେ ସବିଶେଷ ତଥ୍ୟ ମାଗିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ କୋର୍ଟ ନିଜେ ଏହି ପ୍ରକ୍ରିୟା ଉପରେ ନଜର ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଶର ଏହି ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଏକ ମଜଭୁତ ଆନୁଷ୍ଠାନିକ ବ୍ୟବସ୍ଥା ଗଠନ କରାଯିବ। ଜଷ୍ଟିସ୍ ପି.ଏସ୍. ନରସିଂହା ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନିୟମିତ ବ୍ୟବଧାନରେ ଏହାର ତଦାରଖ କରାଯିବ ବୋଲି ଜଣାଇଛନ୍ତି।

 ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ବିସ୍ତୃତ ଆଫିଡେଭିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ପ୍ରଶ୍ନପତ୍ର ଲିକ୍ ରୋକିବା ଏବଂ ପରୀକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଦର୍ଶାଇବେ ସରକାର। କୋର୍ଟ ପ୍ରଶ୍ନ କରିଛନ୍ତି, ‘ପରୀକ୍ଷାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରିବା ପାଇଁ ଆପଣ କ’ଣ କରୁଛନ୍ତି ଆମକୁ ଜଣାନ୍ତୁ। କମ୍ପ୍ୟୁଟର-ଭିତ୍ତିକ ପରୀକ୍ଷା ହେଲେ ଡାଟା ସୁରକ୍ଷା କିପରି କରାଯିବ ସେ ବିଷୟରେ ସୂଚନା ଦିଅନ୍ତୁ । ଆମେ ସବୁକିଛି ନିୟମିତ ଓ ସୁସଂଗଠିତ କରିବୁ।’

Also Read: ନିଟ୍- ୟୁଜି ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲା, କିଙ୍ଗପିନ୍‌କୁ ସିବିଆଇର କ୍ଲିନ୍ ଚିଟ୍

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ସାମୟିକ ସମାଧାନ ଯଥେଷ୍ଟ ନୁହେଁ, ଜାତୀୟ ସ୍ତରର ପରୀକ୍ଷାଗୁଡ଼ିକର ସୁରକ୍ଷା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ଆବଶ୍ୟକ। ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସରକାର ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏକ ସ୍ୱଚ୍ଛ ପରୀକ୍ଷା ପ୍ରକ୍ରିୟା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବେ। ସେ କୋର୍ଟରେ ଏକ ସମ୍ପୂର୍ଣ୍ଣ ସୂଚନାପତ୍ର ରଖିବା ପାଇଁ ଅଧିକ ସମୟ ମାଗିଛନ୍ତି।କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ତାରିଖରେ ଧାର୍ଯ୍ୟ କରିଛନ୍ତି।