• ବୋଫୋର୍ସ ବିବାଦର ପ୍ରାରମ୍ଭ ୨୪ ମାର୍ଚ୍ଚ ୧୯୮୬ ମସିହାରେ ହୋଇଥିଲା
  • ଏପ୍ରିଲ ୧୯୮୭ ମସିହାରେ ସ୍ୱିଡିସ ରେଡିଓ ଅଭିଯୋଗ କରିଥିଲା ଯେ ଭାରତୀୟ ରାଜନେତା ଓ ପ୍ରତିରକ୍ଷା ଅଧିକାରୀଙ୍କୁ ଏହି ତୋପ କିଣାରେ ଅବୈଧ କମିଶନ ପୈଠ କରାଯାଇଛି
  • ଭାରତ ସରକାର ଓ ସ୍ୱିଡିଶ କମ୍ପାନୀ ଏ.ବି.ବୋଫୋର୍ସ ମଧ୍ୟରେ ୪୦୦ ହ୍ୱିଟଜର ତୋପ କ୍ରୟ ଲାଗି ସ୍ୱାକ୍ଷରିତ ୧,୪୩୭ କୋଟି ଟଙ୍କାର ଡିଲ ହୋଇଥିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରାଜନୈତିକ ରୂପେ ସମ୍ବେଦନଶୀଳ ବୋଫର୍ସ ଲାଞ୍ଚ କାରବାରରେ ଲମ୍ବିତ ଶେଷ ଅପିଲକୁ ଖାରଜ କରିଦେଇଛନ୍ତି। ଏହା ସହିତ ପାଖାପାଖି ୪ ଦଶନ୍ଧୀ(୪୦ ବର୍ଷ) ଧରି ଦେଶରେ ହଟଚମଟ କରୁଥିବା ପୁରୁଣା ମାମଲାର ଅନ୍ତ ହୋଇଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ କେ.ଭିନୋଦ ଚନ୍ଦ୍ରନଙ୍କ ପୀଠ ଓକିଲ ଅଜୟ କେ. ଅଗ୍ରୱାଲଙ୍କ ସେହି ଆବେଦନ ଉପରେ ଆଗାମୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଯେଉଁଥିରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା।

ପୂର୍ବରୁ ଖାରଜ ହୋଇଥିଲା ସିବିଆଇର ଅପିଲ
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀ ଉଚ୍ଚନ୍ୟାୟାଳଙ୍କ ଦ୍ୱାରା ଅନେକ ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରାଯାଇଛି ଓ ପୂର୍ବର ସିବିଆଇ ଅପିଲ ମଧ୍ୟ ଖାରଜ ହୋଇଛି। ଏଣୁ ଏହି ମାମଲାକୁ ଆଗକୁ ଜାରି ରଖିବାର କୌଣସି ଔଚିତ୍ୟ ନାହିଁ। କୋର୍ଟ ମୃତ ଅଭିଯୁକ୍ତ ଶ୍ରୀଚନ୍ଦ ପି. ହିନ୍ଦୁଜା ଓ ଗୋପିଚାନ୍ଦ ପି.ହିନ୍ଦୁଜାଙ୍କ ନାମ ହଟାଇବା ପାଇଁ ଅତିରିକ୍ତ ସମୟ ଦାବିକୁ ଏହା କହି ଖାରଜ କରିଦେଇଛନ୍ତି ଯେ ମାମଲାରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ।

ଅତିରିକ୍ତ ସମୟ ଦେବାକୁ ମନା କଲେ ସୁପ୍ରିମକୋର୍ଟ
ହାଇକୋର୍ଟଙ୍କ ସେହି ରାୟରେ ହିନ୍ଦୁଜା ଭ୍ରାତା ଓ ସ୍ୱିଡିସ୍ ଅସ୍ତ୍ର ନିର୍ମାତା ଏ.ବି.ବୋଫୋର୍ସଙ୍କ ବିରୋଧରେ ସମସ୍ତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଥିଲେ। ଶୁଣାଣି କାଳରେ ଅଜୟ ଅଗ୍ରୱାଲ ପରଲୋକଗତ ଶ୍ରୀଚନ୍ଦ ପି.ହିନ୍ଦୁଜା ଓ ଗୋପିଚନ୍ଦ ପି.ହିନ୍ଦୁଜାଙ୍କ ନାମ ହଟାଇବା ଲାଗି ୪ ସପ୍ତାହ ସମୟ ମାଗିଥିଲେ। ତେବୋ ସୁପ୍ରିମକୋର୍ଟ ଅତିରିକ୍ତ ସମୟ ଦେବାକୁ ମନା କରିଦେଇଛନ୍ତି ଓ କହିଛନ୍ତି ଯେ ମାମଲା ୨୦୧୮ ମସିହାରୁ ଲମ୍ବିତ ରହିଛି ଏବଂ ଏହାକୁ ଆଉ ଆଗକୁ ଟଳା ଯାଇ ପାରିବ ନାହିଁ।

ନଭେମ୍ବର ୨୦୧୮ରେ ସୁପ୍ରିମକୋର୍ଟ ଖାରଜ କରିଥିଲେ ସିବିଆଇ ଅପିଲ
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ୩୧ ମେ ୨୦୦୫ରେ ହିନ୍ଦୁଜା ଭ୍ରାତା ଓ ବୋଫୋର୍ସ ବିରୋଧରେ ସବୁ ଅଭିଯୋଗକୁ ଖାରଜ କରିଦେଇଥିଲେ। କୋର୍ଟ ମାମଲାରେ ସିବିଆଇ ଯାଞ୍ଚ ଉପରେ କଡ଼ା ଟିପ୍ପଣୀ କରି କହିଥିଲେ ଯେ ଏହି ଯାଞ୍ଚ ପାଇଁ ସରକାରୀ ରାଜକୋଷରୁ ପାଖାପାଖି ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ନଭେମ୍ବର ୨୦୧୮ରେ ମାମଲାରେ ସିବିଆଇର ଅପିଲକୁ ଖାରଜ କରିଦେଇଥିଲେ।

ଜାଣନ୍ତୁ ବୋଫୋର୍ସ ବିବାଦ କ’ଣ?
ବୋଫୋର୍ସ ବିବାଦର ପ୍ରାରମ୍ଭ ୨୪ ମାର୍ଚ୍ଚ ୧୯୮୬ ମସିହାରେ ହୋଇଥିଲା। ଭାରତ ସରକାର ଓ ସ୍ୱିଡିଶ କମ୍ପାନୀ ଏ.ବି.ବୋଫୋର୍ସ ମଧ୍ୟରେ ୪୦୦ ହ୍ୱିଟଜର ତୋପ କ୍ରୟ ଲାଗି ସ୍ୱାକ୍ଷରିତ ୧,୪୩୭ କୋଟି ଟଙ୍କାର ଡିଲ ହୋଇଥିଲା। ଏହା ପରେ ଏପ୍ରିଲ ୧୯୮୭ ମସିହାରେ ସ୍ୱିଡିସ ରେଡିଓ ଅଭିଯୋଗ କରିଥିଲା ଯେ ଭାରତୀୟ ରାଜନେତା ଓ ପ୍ରତିରକ୍ଷା ଅଧିକାରୀଙ୍କୁ ଏହି ତୋପ କିଣାରେ ଅବୈଧ କମିଶନ ପୈଠ କରାଯାଇଛି। ଏହା ପରେ ଭାରତରେ ଏକ ବଡ଼ ଧରଣର ରାଜନୈତିକ ବିବାଦର ସୂତ୍ରପାତ ହୋଇଥିଲା।

ଏ ନେଇ ସିବିଆଇ ୧୯୯୦ ମସିହାରେ ଏକ ମାମଲା ରୁଜୁ କରିଥିଲା। ଏହା ପରେ ପୂର୍ବତନ ବୋଫୋର୍ସ ଅଧ୍ୟକ୍ଷ ମାର୍ଟିନ ଆର୍ଡବୋ, କଥିତ ମଧ୍ୟସ୍ଥି ୱିନ ଚଡ୍ଡା, ହିନ୍ଦୁଜା ଭ୍ରାତା ଓ ପରେ ଇଟାଲୀୟ ବ୍ୟବସାୟୀ ଓଟାଭିଓ କ୍ୱାଟ୍ରୋଚିଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା। ତେବେ ସମୟ ସହିତ ମାମଲାର ଅଭିଯୁକ୍ତଙ୍କ ପରଲୋକ ହୋଇଛି ଅଥବା ସେମାନେ ନିର୍ଦ୍ଦୋଷରେ ମୁକ୍ତ ହୋଇଯାଇଛନ୍ତି।